ଭୁବନେଶ୍ୱର: ଫେବୃଆରୀ ୧୬ରୁ ୫ଟି ପର୍ଯାୟରେ ହେବ ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭, ୨୮ରେ ହେବ ଭୋଟ ଗଣତି । ଆଜିଠୁ ଆରମ୍ଭ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏଥର କରୋନା କଟକଣା ମଧ୍ୟରେ ନିର୍ବାଚନ ହେବ । ଆଉ ନିର୍ବାଚନ କମିଶନଙ୍କ ଗାଇଡଲାଇନ ମାନି ପ୍ରଚାର କରିବେ ପ୍ରାର୍ଥୀ । ରାଲି, ଶୋଭାଯାତ୍ରା, ସଭା ସମିତି, ପଦ ଯାତ୍ରା ଓ ବାଇକ ରାଲି ଉପରେ କଟକଣା ଲଗାଯାଇଛି । ତେଣୁ ଏଥର ପ୍ରାର୍ଥୀମାନେ ଡିଜିଟାଲ ଓ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ନଜର ପକାନ୍ତୁ, ଏନେଇ କଣ କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।
ପଞ୍ଚାୟତ ନିର୍ବାଚନ ଗାଇଡଲାଇନ
◆ ପଥପାନ୍ତ ପ୍ରଦର୍ଶନ, ପଦ ଯାତ୍ରା/ମୋଟରସାଇକେଲ/ ଯାନ ପଟୁଆର ପାଇଁ ଅନୁମତି ନାହିଁ ।
◆ ରାଜନୈତିକ ଦଳ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ ବା ନିର୍ବାଚନରେ ସମ୍ପୃକ୍ତ କୌଣସି ଗୋଷ୍ଠୀଙ୍କର ସମାବେଶ ନିଷିଦ୍ଧ ।
◆ କୋଭିଡ୍ ସୁରକ୍ଷା ଦୃଷ୍ଟିରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଡିଜିଟାଲ ବା ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
◆ ସର୍ବାଧିକ ୫ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରି ପାରିବେ ।
◆ ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ୍-୧୯ର ମାର୍ଗଦର୍ଶିକା ଖିଲାପ କରନ୍ତି ତାହାହେଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧୦୬୦ ଅନୁଯାୟୀ ଦଣ୍ଡିତ ହେବେ ।
◆ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେଇଥିବା ଏବଂ ନେଗେଟିଭ୍ ଆରଟିପିସିଆର କିମ୍ବା ଅଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ ।
◆ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କୋହଳ କିମ୍ବା କଠୋର କରାଯାଇପାରେ ।
◆ ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି ।
◆ ଅସୂୟାଭାବ, ଶତ୍ରୁତା, ଘୃଣା ସୃଷ୍ଟିକାରୀ ଭାଷା ବ୍ୟବହାର ମନା । ଦଳ ବା ପ୍ରାର୍ଥୀ ଏଭଳି କୌଣସି ଲିଖିତ ବା ମୌଖିକ ଭାଷା ବ୍ୟବହାର କରିବେନି ।
◆ ଧାର୍ମିକ ସ୍ଥାନ, ସରକାରୀ ଭବନ, ଶିକ୍ଷାନୁଷ୍ଠାନ ପରିସରରେ ସଭା ମନା ।
◆ ଆଗୁଆ ମଞ୍ଜୁରୀ ନେଇ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇପାରିବ । ରାତି ୮ଟା ପରେ ଓ ସକାଳ ୭ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ମନା ।