ଭୁବନେଶ୍ୱର: ଆଜି ସାରା ଓଡିଶା ପାଇଁ ଏକ ଦୁଃଖର ଦିନ । ଓଡିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ମିହିର ଦାସ ଆଉ ଆମ ଗହଣରେ ନାହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । କିଡନୀ ସଂକ୍ରମଣ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଵା ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ କିଡ୍ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଡିସେମ୍ୱର ୭ ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ସେ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’, ‘ଟାର୍ଗେଟ୍’, ‘ଗୁଣ୍ଡା’, ‘ମାଇଁ ଲଭ୍ ଷ୍ଟୋରୀ’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍’ ଅନ୍ୟତମ । ଅଭିନୟ ପାଇଁ ସେ ଏକାଧିକ ପୁରସ୍କାର ପାଇଛନ୍ତି । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ଏହି ଲୋକପ୍ରିୟ ଅଭିନେତାଙ୍କ ଆବର୍ତ୍ତମାନରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।