● ଦ୍ୱିତୀୟ ଦିବସରେ ୨୧ ଜଣଙ୍କ ନାମାଙ୍କନ ପତ୍ର ଦାଖଲ
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ମଙ୍ଗଳବାର ଦ୍ୱିତୀୟ ଦିନରେ ନର୍ଲା ବ୍ଲକରେ ସରପଞ୍ଚ ପଦ ପାଇଁ ୪ ଜଣ, ସମିତି ସଭ୍ୟ ପାଇଁ ୩ ଜଣ ଓ ଓ୍ବାର୍ଡ ସଭ୍ୟ ପାଇଁ ୧୪ ଜଣ ପ୍ରାର୍ଥୀ ଏମିତି ମୋଟ ୨୧ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସହିତ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି । କୋଭିଡ କଟକଣା ମଧ୍ୟରେ କମ ଲୋକଙ୍କ ମଧ୍ୟରେ ନାମାଙ୍କନପତ୍ର ଦାଖଲ ହେଉଥିବା ବେଳେ ଗ୍ରାମାଞ୍ଚଳ ରାଜନୀତି ସରଗରମ ହୋଇ ଉଠିଛି । ଗାଁ ଗଣ୍ଡାରେ ଆଶାୟୀ ପ୍ରାର୍ଥୀମାନେ ଭୋଟରମାନଙ୍କୁ ମନାଇବା ପାଇଁ କସରତ ଆରମ୍ଭ କରିଥିବା ଦେଖା ଯାଉଛି । ଅନେକ ସ୍ଥାନରେ ଭୋଟ ଭୋଜି ମଧ୍ୟ ହେଉଥିବା ଜଣାପଡିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବ୍ଲକରେ ୨୬ ଟି ପଞ୍ଚାୟତ ଥିବାବେଳେ ୩୩୨ଟି ଓ୍ବାର୍ଡ ରହିଛି । ସେହିପରି ଭାବେ ତିନୋଟି ଜିଲ୍ଲା ପରିଷଦ ଆସନ ରହିଛି । ତେବେ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ୨୧ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିବ । ୨୫ ଜାନୁଆରୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ ବୋଲି ସୂଚନା ମିଳିଛି ।