କେସିଙ୍ଗା, (ମଧୂସୁଦନ ଠାକୁର): କାଣ୍ଡେଲ ରୋଡ଼ ରେଳଷ୍ଟେସନ ଠାରୁ ପ୍ରାୟ ୨ କିମି ଦୂରରେ ଥିବା ବୁଢ଼ୀପଦର ରେଳବାଇ ଫାଟକ ନିକଟ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ସେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି । ମୃତ ଯୁବକ ଜଣକ କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଅନଙ୍ଗ ମାଝୀ (୩୪) ବୋଲି ଜଣାପଡିଛି । ମୃତ ଯୁବକ ଜଣକ ସୁରଟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ଚଳିତ ମାସରେ ବିବାହ କରିବାକୁ ସେ ଗାନ୍ଧିଧାମ – ପୁରୀ ଟ୍ରେନ ଯୋଗେ ଘରକୁ ଫେରୁଥିଲେ । ସେ କେସିଙ୍ଗା ରେଳବାଇ ଷ୍ଟେସନରେ ଓହ୍ଲାଇବା କଥା, କିନ୍ତୁ କେସିଙ୍ଗାରୁ ପ୍ରାୟ ୧୧ କିମି ଦୂର ବୁଢ଼ୀପଦର ରେଳବାଇ ଗେଟ ପାଖରେ କିପରି ଟ୍ରେନରୁ ଖସି ମୃତ୍ୟୁ ବରଣ କଲେ ବୋଲି ମୃତକଙ୍କ ପରିବାରବର୍ଗ ସନ୍ଦେହ କରିଛନ୍ତି । ମୃତ୍ୟୁ ଯୁବକଙ୍କ ପାଖରୁ ଏକ ଆଧାରକାର୍ଡ ମିଳି ଥିବା ଜଣାପଡ଼ିଛି । ରାତ୍ରିରେ ପେଟ୍ରୋଲିଂ କରୁଥିବା କର୍ମଚାରୀମାନେ କାଣ୍ଡେଲ ରୋଡ଼ ଷ୍ଟେସନ ମାଷ୍ଟରଙ୍କୁ ଏନେଇ ସୂଚନା ଦେଇଥିଲେ ।