● ରାସ୍ତା, ପାନୀୟ ଜଳ ଓ ବାସଗୃହ ଯୋଗାଇ ଦେବାକୁ ଦାବୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତ ଅସୁରଗଡ ଗ୍ରାମର ଗଡପଡା ନିବାସୀ ଜନସାଧାରଣ ଚଳିତ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଥିବା ଜଣାପଡିଛି । ଆଜି ଏନେଇ ମାଣ୍ଡେଲର ପୂର୍ବତନ ସରପଞ୍ଚ ରଘୁଅରକ୍ଷିତ ମହାନନ୍ଦ, ପୂଜକ ଧନେଶ୍ୱର ବାହୁକ, ଗୌରଚନ୍ଦ୍ର ମହାରଣା, ଶଙ୍କର ବାହୁକ, ଗୋପାଳ ଦାସ, ଅଜିତ ପୂଝାରୀ, ଗୋପବନ୍ଧୁ ବାହୁକ, ନେପାଳ ଦାସ, ପିତାମ୍ବର ପାତ୍ର, ମହିଳା ମାନଙ୍କ ମଧ୍ୟରେ ରଶ୍ମୀତା ପାତ୍ର, ନୀଳା ବାହୁକ, ମୀନା ପଧାନ, ଗୀତାଞ୍ଜଳୀ ବାହୁକ, ଜ୍ୟୋତ୍ସ୍ନା ପାତ୍ର, ରାମା ଦାସଙ୍କ ସମେତ ୧୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପରୁଷ ଗଡ ସମ୍ମୁଖସ୍ଥ ମୁଖ୍ୟ ଫାଟକ ପାଖରେ ଗେଟରେ ତାଲା ମାରି ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି । ଅସୁଗଡ ଏକ ଐତିହାସିକ କିମ୍ବଦନ୍ତୀ ସ୍ଥଳ । ଏହା ପର୍ଯ୍ୟଟନ ସ୍ଥଳୀର ମଧ୍ୟ ମାନ୍ୟତା ପାଇ ସାରିଛି । ଅସୁରଗଡ ପରିଦର୍ଶନରେ ଅନେକ ସମୟରେ ବାହାରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି । ଏଇଠି ରହିଛନ୍ତି ଗଡର ଅଧିଷ୍ଠାତ୍ରୀ ପ୍ରତ୍ୟକ୍ଷ ଦେବୀ କଳାପାହାଡ । ଗତ ୨୦୧୮/୧୯ ରେ ପ୍ରତ୍ନତତ୍ୱ ବିଭାଗ ତରଫରୁ ଅସୁରଗଡ ଦୁର୍ଗ ଭିତରେ ଖନନ କରାଯାଇ ଏଇଠୁ କୁଶାଣ ବଂଶୀୟ ଶାସନ କାଳ ସମୟର ପୁରାତନ ଗୃହ ର ଭଗ୍ନାବଶେଷ ଓ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ତକ୍ରାଳୀନ ତମ୍ବା ଓ ରୁପା ମୁଦ୍ରା, ସେମାନେ ପରିଧାନ କରୁଥିବା ଅଳଙ୍କାର ସବୁ ଉଦ୍ଧାର କରାଯାଇଛି । ଏଇଠି ଏକ ସୁଉଚ୍ଚ ଗଡଖାଇ (ଦୁର୍ଗ) ରହିଥିବା ବେଳେ ୨୦୦ ଏକର ପରିସୀମା ବିଶିଷ୍ଟ ଏକ ଜଳାଶୟ ମଧ୍ୟ ରହିଛି । ହେଲେ ଏଭଳି ଏକ କିମ୍ବଦନ୍ତୀ ସ୍ଥଳ ଅସୁରଗଡର ଗଡ ମଧ୍ୟରେ ରହିଥିବା ଗଡପଡା ବାସୀଙ୍କ ଗମନାଗମନ ପାଇଁ ରାସ୍ତା, ପାନୀୟ ଜଳ ଓ ବାସୋପେଯାଗୀ ଗୃହର ବ୍ୟବସ୍ଥା ନାହିଁ । ପଡାର ପଛପଟେ ରହିଥିବା ୩୦୦ ମିଟର ଦୂର ସାନ୍ଦୁଲ ନଦୀକୁ ଜମିହୁଡା ଦେଇ ଗାଧୋଇବା ପାଇଁ ଯାଇଥାନ୍ତି ପଡାବାସୀ । ଏହାବାଦ ସରକାରଙ୍କ ଗରୀବ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ଗୃହ ପ୍ରଦାନ ଭଳି ଯୋଜନା ରହିଥିବା ବେଳେ ଏହି ଗଡପଡା ବାସୀଙ୍କ ପାଇଁ ଏହା ସାତ ସପନ ପାଲଟିଛି ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ଅସୁରଗଡ ଗ୍ରାମର ଗଡପଡାରେ ୪୦ ଘର ବାସିନ୍ଦା ରହି ଆସୁଥିବା ବେଳେ ୨୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ୧୫୦ ରୁ ଉର୍ଦ୍ଧ୍ବ ଭୋଟର୍ସ ରହିଛନ୍ତି । ଗାଁ ର ଦୁଇ ମୁଣ୍ଡରେ ଦୀର୍ଘ ୨୫ ବର୍ଷ ତଳେ ଖୋଳା ଯାଇଥିବା ଦୁଇଗୋଟି ନଳକୂଅ ରହିଛି । ଯେଉଁଥିରେ ଖରାଦିନେ ପାଣି ବାହାରୁ ନଥିବା ବେଳେ ବର୍ଷାଦିନେ ମଇଳା ଓ ଅପରିସ୍କାର ପାଣି ବାହାରୁଥିବାରୁ ଏହା ପାନୀୟ ଯୋଗ୍ୟ ନୁହଁ ବୋଲି ଗଡପଡାବାସୀ ଅଭିଯୋଗ କରୁଛନ୍ତି । ଦୀର୍ଘ ୩୦ ବର୍ଷ ଧରି ଗଡପଡା ନିବାସୀ ନେତା, ମନ୍ତ୍ରୀ ଓ ପ୍ରଶାସନର ଦ୍ୱାରସ୍ଥ ହୋଇ ଧାଇଁ ଧାଇଁ ଥକି ପଡିଥିଲେ ମଧ୍ୟ ଏମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାପାଇଁ କେହି କର୍ଣ୍ଣପାତ କରୁ ନଥିବାରୁ ଶେଷରେ ଗଡପଡା ନିବାସୀ ଭୋଟ ବର୍ଜନର ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଗତ ୨୦୧୭/୧୮ ରେ ୧୫ କୋଟି ବ୍ୟୟ ଅଟକଳରେ ରାଜସ୍ଥାନରୁ ଓ ଖୋର୍ଦ୍ଦାରୁ ଏକ ସ୍ୱତନ୍ତ୍ର ଧରଣର ପଥର ଆଣି ଗଡ ଚତୁଃପାଶ୍ୱର୍ରେ ଏକ କି.ମି ଦୀର୍ଘ ୬ ଫୁଟ ଉଚ୍ଚର ପାଚେରୀ ସାଙ୍ଗକୁ ଗଡର ପ୍ରବେଶ ଦ୍ୱାରରେ ମୁଖ୍ୟ ଫାଟକ ନିର୍ମାଣ କରାଯାଇଛି । ଗଡକୁ ଗାଇ ଗୋରୁ ପ୍ରବେଶରୁ ସୁରକ୍ଷା ଦିଆ ଯାଇ ପାରିଛି ସତ ହେଲେ ଗଡପଡା ନିବାସୀଙ୍କ ପାଇଁ ମୌଳିକ ସୁବିଧା ନଥିବାରୁ ଆଜି ଗଡପଡା ନିବାସୀ ଭୋଟ ବର୍ଜନ ନିଷ୍ପତି ନେବାସହ ଗଡର ମୁଖ୍ୟ ଫାଟକରେ ତାଲାମାରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସରକାର ସେମାନଙ୍କ ଦାବୀ ପୁରଣ ନକଲା ଯାଏଁ ଭୋଟ ବର୍ଜତ କରିବେ ହେଲେ ଅନିଦ୍ଦିଷ୍ଟ କାଳ ପାଇଁ ପଡାବାସୀ ଧାରଣରେ ବସିବେ ବୋଲି ପଡାବାସୀ ମତବ୍ୟକ୍ତ କରିଛନ୍ତି । ଦେଖାଯାଉ ଏହି ନିର୍ବାଚନ ସମୟରେ ସରକାର ଏମାନଙ୍କ ଦାବୀ ଉପରେ କ’ଣ ନ୍ୟାୟ ବିଚାର କରୁଛନ୍ତି ।