କେସିଙ୍ଗା ଏନ୍ଏସି ନିର୍ବାଚନକୁ ନେଇ ସହରରେ ରାଜନୀତି ସରଗରମ

ନିର୍ବାଚନ ମଇଦାନରେ ରହିଛନ୍ତି ୫ ଜଣ ଅଧ୍ୟକ୍ଷ ଓ ୩୭ ଜଣ କାଉନସିଲର ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଆସନ୍ତା ୨୪ରେ ହେବାକୁ ଥିବା ଏନ୍ଏସି ନିର୍ବାଚନକୁ ନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ରାଜନୀତି ସରଗରମ ହୋଇଉଠିଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ଭୋଟ ପ୍ରଚାର ସେତିକି ଯୋର୍ ଧରୁଛି । ସହରର ସବୁଆଡେ ପ୍ରାର୍ଥୀ ମାନଙ୍କ ମାଇକ ପ୍ରଚାର ଗାଡ଼ି ବୁଲୁଥିବା ବେଳେ ଯେଉଁ ମାତ୍ରାରେ ସହରରେ ଭୋଟ ପ୍ରଚାର ଗାଡ଼ି ଗୁଡ଼ିକ ବୁଲୁଛି ତାହାର ଶବ୍ଦ ପ୍ରଦୁର୍ଶଣକୁ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଭୋଟର ମାନଙ୍କୁ ନିଜ ଆଡକୁ ମନେଇବା ପାଇଁ ପ୍ରାର୍ଥୀ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କୁ କିପରି ଜିତାଇବାରେ ସଫଳ ହୋଇପାରିବେ ସେଥିପାଇଁ କେସିଙ୍ଗା ସହରରେ ଆଡ୍ଡା ଜମାଇଲେଣି । ତେବେ ଚଳିତ ନିର୍ବାଚନ ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ଭାବେ ଭୋଟର ଭୋଟ ଦେବାର ବ୍ୟବସ୍ଥା ରହିଛି । ତେଣୁ ଏଥର କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପାଇଁ ଜଣେ ଅଭିଜ୍ଞତା ରହିଥିବା ପ୍ରାର୍ଥୀଙ୍କୁ ହିଁ ଭୋଟରଙ୍କ ପ୍ରଥମ ପସନ୍ଦ ରହିଥିବା ଜଣାପଡିଛି । ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ଆଶାୟୀ ପ୍ରାର୍ଥୀ ଓ ୧୨ ଗୋଟି ଓ୍ବାର୍ଡ ପାଇଁ କାଉନସିଲର ପଦବୀ ପାଇଁ ୩୭ ଜଣ ଆଶାୟୀ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି । କେସିଙ୍ଗା ଏନ୍ଏସିରେ ୧୨ ଗୋଟି ଓ୍ବାର୍ଡ ରହିଛି । ଯାହାକି ୧୨ ଗୋଟି ଓ୍ବାର୍ଡରେ ଭୋଟର ସଂଖ୍ୟା ୧୪୨୦୫ ରହିଥିବା ବେଳେ ସେଥିରେ ମହିଳା ଭୋଟର ସଂଖ୍ୟା ୭୦୪୧, ପୁରୁଷ ଭୋଟର ସଂଖ୍ୟା ୭୧୬୩ ଏବଂ ଜଣେ ତୃତୀୟ ସମଲିଙ୍ଗ ଭୋଟର ରହିଥିବା ଜଣାପଡିଛି । କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ ଅଣ-ସରକ୍ଷିତ ରହିଥିବା ବେଳେ ବିଜେଡିରୁ ପୂର୍ବତନ କାଉନସିଲର ନୃପରାଜ ଯାଦବ, କଂଗ୍ରେସରୁ ପୂର୍ବତନ ନଗରପାଳ ରାମକୁମାର ଜୈନ ଓ ବିଜେପିରୁ ଯୁବ ବ୍ୟବସାୟୀ ସଚିନ୍ ଜୈନ, ଆମ୍ ଆଦମୀ ପାର୍ଟିରୁ ରାଧେଶ୍ୟାମ ଅଗ୍ରୱାଲ ଓ ସ୍ବାଧିନରୁ ମୋତି କୈବର୍ତ୍ତ ନିର୍ବାଚନ ମଇଦାନରେ ରହିଛନ୍ତି । ପ୍ରକାଶ ଯେ, ଚଳିତ ନିର୍ବାଚନରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ନୃପରାଜ ଯାଦବ ପୂର୍ବରୁ ୩ ଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲା ବେଳେ କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ରାମକୁମାର ଜୈନ ମଧ୍ୟ ବିଭିନ୍ନ ଓ୍ବାର୍ଡରୁ ଅନେକ ଥର କାଉନସିଲର ଭାବେ ନିର୍ବାଚିତ ହେବା ସହ ଥରେ ନଗରପାଳ ପଦ ଅକ୍ତିଆର କରିଥିଲେ । ହେଲେ କୋର୍ଟ ମାମଲା ହେବାରୁ ତାଙ୍କର ନଗରପାଳ ପଦ ଅଧାରୁ ହରେଇଥିଲେ । ଏଥର ପୁଣି ଥରେ କେସିଙ୍ଗା ଏନ୍ଏସିର ନଗରପାଳ ପଦ ପାଇଁ ରାମକୁମାର ଜୈନ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଯାହାକି କେସିଙ୍ଗା ଏନ୍ଏସି ପାଇଁ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ସେହିପରି ବିଜେପିର ପ୍ରାର୍ଥୀ ଯୁବ ବ୍ୟବସାୟୀ ସଚିନ୍ ଜୈନ ନିର୍ବାଚନରେ ନୂଆ ଚେହେରା ହୋଇଥିବା ବେଳେ ନିର୍ବାଚନ ମଇଦାନରେ ସଫଳ ହେବା ପାଇଁ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ତେବେ ବିଜେପି ଦଳରେ ଏଥର ନିର୍ବାଚନରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ଅସୁସ୍ଥତା ଯୋଗୁଁ ବାହାରେ ରହିଥିବା ବେଳେ ଲୋକସଭା ସାଂସଦ ବସନ୍ତ ପଣ୍ଡା ଙ୍କ ଲୋକପ୍ରିୟତା ସେତିକି କେସିଙ୍ଗା ସହରରେ ନଥିବା ଭଳି ପରିଲକ୍ଷିତ ହେଉଛି । ଅନ୍ୟପଟେ ବିଜେପିର ବରିଷ୍ଠ ତଥା ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ମନରେ ଦଳ ପ୍ରତି କ୍ଷୋଭ ରହିଥିବା ବେଳେ ସେମାନେ ଏଥର ନିର୍ବାଚନରେ ଖୋଲାଖୋଲି ଭାବେ ବାହାରୁନଥିବା ଦେଖିବାକୁ ମିଳିଛି । ତେଣୁ କେସିଙ୍ଗା ଏନ୍ଏସିରେ ଏଥର ଅଧ୍ୟକ୍ଷ ପଦବୀ କୁ ନେଇ ସହରର ବିଭିନ୍ନ ଓ୍ବାର୍ଡର ଗଳି କନ୍ଦିରେ ବର୍ତ୍ତମାନ ରାଜନୀତି ଚର୍ଚ୍ଚା ଲାଗି ରହିଛି । କେସିଙ୍ଗା ସହରର ବିଭିନ୍ନ ଓ୍ବାର୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସମସ୍ୟା ଲାଗି ରହିଛି । ତେଣୁ ଏଥର କୈାଣସି ଦଳକୁ ନଦେଖି ପ୍ରାର୍ଥୀଙ୍କୁ ଦେଖି ଭୋଟର ଭୋଟ ଦେବା ପାଇଁ ମନସ୍ଥ କରିଛନ୍ତି । ତେବେ ବିଭିନ୍ନ ଦଳ ପକ୍ଷରୁ ଭୋଟରଙ୍କୁ ଯେଉଁ ମାତ୍ରାରେ ଟଙ୍କା ଓ ମଦ ରେ ପ୍ରଲୋଭିତ କରାଯାଉଛି ତାହା କେସିଙ୍ଗା ଏନ୍ଏସି ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.