ମାଳି ସମ୍ପ୍ରଦାୟ ଜୈନ ସଭ୍ୟତାର ବଂଶଜ ହୋଇଥାଇପାରନ୍ତି -ଐତିହାସିକ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ସୁବାଇ, ନନ୍ଦପୁର, କେଚେଲା ଓ ବିସିଂପୁର ପ୍ରଭୃତି ଅଞ୍ଚଳରେ ଦେଖାଯାଉଥିବା ଜୈନ ପ୍ରତିମୂର୍ତ୍ତି ପୁରାତନ ବୋଲି ଆକଳନ କରାଯାଉଛି । ଏହି ମୂର୍ତ୍ତି ଗୁଡିକ ପ୍ରକୃତରେ କେବେଠାରୁ ନିର୍ମିତ ହୋଇଛି ତାହା ସଠିକ୍ ଆକଳନ କରାଯାଇ ପାରୁନଥିଲେ ମଧ୍ୟ ଏହାଯେ, ବହୁ ପୁରାତନ ତାହା ଏହି ମୂର୍ତ୍ତିରେ କରାଯାଇଥିବା କାରୁକାର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ହେଉଥିବା ଗବେଷକମାନେ ମତ ରଖିଛନ୍ତି ଐତିହାସିକ । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ହେଉ ବା ବିଶ୍ୱବିଦ୍ୟାଳୟଗୁଡିକ ଦ୍ୱାରା ହେଉ ଏହି ମୂର୍ତ୍ତି ଗୁଡିକର ଇତିହାସ ସମ୍ପର୍କରେ ଗବେଷଣା କରାଗଲେ ଏହି ଅଞ୍ଚଳର ଜୈନ ଧର୍ମ ସହିତ ଥିବା ସମ୍ପର୍କକୁ ଉଜାଗର କରିହୁଅନ୍ତା ବୋଲି ବିଶିଷ୍ଟ ଗବେଷକ ଜିତୁ ମିଶ୍ର ମତ ରଖିଛନ୍ତି । ଭୁବନେଶ୍ବରରୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଥିବା ସାଂସ୍କୃତିକ ବୈଭବକୁ ପରିଦର୍ଶନ କରିବାକୁ ଆସିଥିବା ସମୟରେ ଶ୍ରୀ ମିଶ୍ର ଏପରି ମନ୍ତବ୍ୟ ରଖିଛନ୍ତି । ତାଙ୍କ ମତରେ ନନ୍ଦପୁର ଠାରୁ ଆରମ୍ଭ କରି ଛତିଶଗଡ଼ ପର୍ଯ୍ୟନ୍ତ ବ୍ୟାପିଥିବା ଦଣ୍ଡକାରଣ୍ୟ ଅଞ୍ଚଳରେ ଦେଖାଯାଉଥିବା ଜୈନ ମୂର୍ତ୍ତି ପଞ୍ଚମ ଶତାବ୍ଦୀରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଥିବା ଏକ ଉନ୍ନତ ଜୈନ ସଭ୍ୟତାର ସୂଚନା ଦେଉଛି । ଏହି ଅଞ୍ଚଳ ଦେଇ ଦକ୍ଷିଣ ଭାରତରୁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ବ୍ୟବସାୟିକ କରିଡ଼ର ଯାଉଥିଲା ଏବଂ ଏହି କରିଡ଼ର ମାଧ୍ୟମରେ ଜୈନ ସଂସ୍କୃତି ପ୍ରଚଳିତ ହେଉଥିବା ସେ ମତ ରଖିଛନ୍ତି । ଏହି ଅଞ୍ଚଳରେ ବସବାସ କରୁଥିବା ମାଳିମାନେ ଜୈନ ସଭ୍ୟତାର ବଂଶଜ ବୋଲି କିଛି ଐତିହାସିକ ମତ ଦେଇଥିବା ସେ କହିଛନ୍ତି । ତେବେ ସମୁଦ୍ରଗୁପ୍ତଙ୍କ ଦକ୍ଷିଣ ଭାରତ ବିଜୟ ଅଭିଯାନ ସମୟରେ ଏହି ଅଞ୍ଚଳରେ ହିନ୍ଦୁତ୍ବର ପ୍ରଭାବ ବିସ୍ତାର କରିଥିଲା ଓ ସେବେଠାରୁ ଏହି ଅଞ୍ଚଳରେ ଜୈନ ମୂର୍ତ୍ତି ଗୁଡ଼ିକୁ ହିନ୍ଦୁ ଦେବାଦେବୀ ଭାବେ ଏଠାକାର ଅଧିବାସୀ ପୂଜା କରିଆସୁଥିବା ଜଣା ପଡ଼ୁଥିବା ସେ କହିଛନ୍ତି । ସୁବାଇ ଠାରେ ଜୈନ ମୂର୍ତ୍ତିକୁ ବିଭିନ୍ନ ଦେବାଦେବୀ ଭାବେ ପୂଜା କରୁଥିବା ଆଦିବାସୀ ପୂଜକ କୃପା ପୂଜାରୀ ଏହି ମୂର୍ତ୍ତି ଗୁଡ଼ିକ ସହିତ ରାମାୟଣ ସମୟର ବୋଲି ଲୋକକଥା ଥିବା କହିଥିବାବେଳେ ଏହି ମୂର୍ତ୍ତି ଗୁଡ଼ିକର ସଠିକ୍ ପରିଚୟ ଜଣାପଡୁନଥିବା କହିଛନ୍ତି ଜିତୁ ମିଶ୍ର । କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଜୈନ ପୀଠ ସୁବାଇରେ ମନ୍ଦିର ପରିସର ଠାରୁ କିଛି ଦୂରରେ ଏକ ପାହାଡର ପାଦଦେଶରେ ଅନେକ ଦିନ ଧରି ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ରହିଥିବା ଏକ ଜୈନ ମୂର୍ତ୍ତି ଓ ଚାରିପାର୍ଶ୍ଵରେ ଭଗ୍ନ ଅବସ୍ଥାରେ ପଡିଥିବା ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ପ୍ରତ୍ନତତ୍ୱ ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିବାବେଳେ ସେହି ଭଗ୍ନାବଶେଷ ନିକଟରେ ଆଉ ଏକ ମନ୍ଦିରର ମୂଳଦୁଆ ଦେଖାଯିବା ସହ ଏକ ପ୍ରସ୍ତର ମୂର୍ତ୍ତି ଆବିଷ୍କାର ହୋଇଥିବା ପୂଜାରୀ କହିଛନ୍ତି । ପାଖଆଖରେ ଖୋଳାଖୋଳି କରାଗଲେ ଆହୁରି ଅଧିକ ମୂର୍ତ୍ତି ମିଳିବାର ସମ୍ଭାବନା ଥିବା ସେ ମତ ରଖିଛନ୍ତି । ତେବେ ସୁରକ୍ଷା ଅଭାବରୁ ମୁଖ୍ୟ ମନ୍ଦିର ପରିସର ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ମୂର୍ତ୍ତି ଚୋରି ହୋଇଯାଇଥିବାବେଳେ ଏବେ ନୂତନ ଭାବେ ଆବିଷ୍କାର ହେଉଥିବା ମୂର୍ତ୍ତିର ସୁରକ୍ଷା ଚିନ୍ତାର କାରଣ ସାଜିଛି ବୋଲି ଗବେଷକ ସୁନିଲ ବିଶ୍ଵାଳ କ୍ଷୋଭ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.