୧୯୭୨ ମସିହା ମାଟ୍ରିକ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପ୍ରସ୍ତୁତି ଚୂଡାନ୍ତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ଅନ୍ତର୍ଗତ ସିଦ୍ଧେଶ୍ୱରପୁର ସ୍ଥିତ “ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ” ର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୨ ମସିହା ମାଟ୍ରିକ ବ୍ଯାଚର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ମେ ମାସ ୮ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ “ମୋ ସ୍କୁଲ ଅଭିଯାନ” ରେ ୧୯୭୨ ବ୍ଯାଚର ଛାତ୍ରଛାତ୍ରୀ ସାମିଲ ହୋଇ ସଂଗୃହିତ ଅର୍ଥରେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପାର୍କ ନିର୍ମାଣ କରାଯାଇଥିବାବେଳେ ସେହିଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତିକୁ ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦିନ “ସମାଜ” ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରମୁଖ ମୁଖ୍ୟ ଆୟକର ଆୟୁକ୍ତ ତ୍ରୈଲୋକ୍ୟ ନାଥ ଜେନା (ଆଇ.ଆର.ଏସ.) ଓ କଟକ ଶିକ୍ଷା ଜିଲ୍ଲା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ (ଓ.ଇ.ଏସ)ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହିତ ଏକ ସ୍ମରଣିକା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ସଫଳତା କାମନା କରି ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ , ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ସମାରୋହକୁ କିପରି ଆକର୍ଷଣୀୟ କରାଯାଇପାରିବ ସେଥିପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସଭାପତି ରଘୁନାଥ ପୃଷ୍ଟି, ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର, ପୂର୍ବତନ କଟକ ସଦର ବ୍ଲକ ଅଧ୍ୟକ୍ଷ ସାଧୁ ଚରଣ ଜେନା, କବି କାଳୀ ପ୍ରସାଦ ମହାପାତ୍ର, ବଂଶୀଧର ତ୍ରିପାଠୀ, ଶ୍ରୀକାନ୍ତ ଦତ୍ତ, କୈଳାସ ଚନ୍ଦ୍ର ସାହୁଙ୍କ ସମେତ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ବିଶ୍ୱାଳ, ଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀ ପ୍ରମୁଖ ଆଲୋଚନା କରିଥିଲେ । ଆସନ୍ତା ସମାରୋହରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ ଯୋଗ ଦେବାକୁ ସମ୍ପାଦକ ଶ୍ରୀ ମିଶ୍ର ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.