ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୂଷାପାଲି ଗ୍ରାମରେ ଦିନକୁ ଦିନ ଦେଶୀ ମଦକୋଠି ଖୋଳୁଥିବା ଯୋଗୁ ମଦ୍ୟପଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ମଦ୍ୟପ ମାନଙ୍କ ପାଇଁ ଗାଁ ପରିବେଶ ଅଶାନ୍ତ ହେଉଥିବାବେଳେ ଘରେ ଘରେ କଳିକାଜିଆ ହେଉଥିବା ପରିଲକ୍ଷିତ ହେଉଛି । ତେଣୁ ଗାଁରେ ମଦ ବନ୍ଦ କରିବା ପାଇଁ ମୂଷାପାଲି ପଞ୍ଚାୟତର ୩୦ ଗୋଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଲୟ ଠାରେ ଏକ ବୈଠକ କରିଥିଲେ ।
ବୈଠକରେ ପଞ୍ଚାୟତର ମୂଷାପାଲି, ଖପ୍ରାମାଲ ଓ ଗହନାମୁଣ୍ଡା ଗାଁରେ ଥିବା ଦେଶୀ ମଦ କୋଠି ଗୁଡିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ନେଇ ପଞ୍ଚାୟତ କାର୍ଯ୍ୟାଲୟ ପରିସରରୁ ଏକ ଶୋଭା ଯାତ୍ରାରେ ବାହାରି ଗାଁ ପରିକ୍ରାମା କରି ଗୀତ ମାଧ୍ୟମରେ ମଦମୁକ୍ତ ପାଇଁ ଲୋକଙ୍କୁ ସଚେତନତା କରିଥିଲେ ।
ପରେ ଗୋଷ୍ଠୀର ମହିଳା ମମତା ପାଣ୍ଡେ, ବୈଦେହୀ ସୁନାନୀ, ଶୈଳନ୍ଦ୍ରୀ ନାଏକଙ୍କ ନେତୃତ୍ୱରେ ଧନମତି ରାଉତ, ସନ୍ତୋଷି ବାଗ, ସୁମନ ରାଉତ, କ୍ରାନ୍ତି ଦୁର୍ଗା, କସ୍ତୁରୀ ରାଉତ, ପୂର୍ଣ୍ଣମୀ ଧରୁଆ, ଅଦିତି ରାଉତ, ମଞ୍ଜୁଳତା ଦୁର୍ଗା, କୁମୁଦିନି ବାଗ, ଭୂମିସୁତା ବାଗ, ଗୀତା ରାଉତ, ମମତା ସୁନାନୀ ସମେତ ଶତାଧିକ ମହିଳା କୋକସରା ଥାନାରେ ପହଞ୍ଚି ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଥାନା ଅଧିକାରୀ ବେହେରା ମଧ୍ୟ ଗାଁ ମଦ ବନ୍ଦ କରିବାକୁ ମହିଲା ମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।