ବାଦ୍ ପଡିଥିବା କୃଷକଙ୍କ ପାଇଁ କୃଷକ ଓଡିଶା ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ପଞ୍ଚାୟତରାଜ ନିର୍ବାଚନର ୬ ମାସ ପୂର୍ବରୁ ସାରା ରାଜ୍ୟରେ ସରକାରୀ ଭାବରେ କୃଷି ଓ କୃଷକ ସଶକ୍ତିକରଣ ଯୋଜନାରେ ଆରମ୍ଭ ହୋଇଥିଲା କୃଷକ ଓଡିଶା (ଡାଟାବେସ୍) କାର୍ଯ୍ୟକ୍ରମ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀମାନେ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ଘରକୁ ଘର ଯାଇ ପ୍ରତ୍ୟେକ କୃଷକ ପରିବାରର ତଥ୍ୟ ସଂଗ୍ରହ କରିଥିଲେ । ଏଥିରେ କୃଷକଙ୍କ ପରିବାରର ମୁଖ୍ୟଙ୍କ ସମେତ ପରିବାର ସଦସ୍ୟଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା, ଜମିର ପରିମାଣ, କିଭଳି କିସମର ଜମି, ଗାଈ, ଗୋରୁ, ଛେଳି, ମେଣ୍ଢା, ମଇଁଶି, କୁକୁଡା, ଗୁହାଳ ରହିଛି କି ନାହିଁ? କୃଷକ ପରିବାରଟି ବଡ, ମଧ୍ୟମ କି କ୍ଷୁଦ୍ର ଚାଷୀ, ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଏଭଳି ସମସ୍ତ ତଥ୍ୟ ଲିପିବଦ୍ଧ କରି “ଆପ୍” ଯୋଗେ ଫର୍ମାଟ ପୁରଣ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିଥିଲେ । ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ସର୍ଭେ କାମ ସରିଯାଇଥିଲା । କଳାହାଣ୍ଡି ଜିଲ୍ଲାର ଅନେକ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ପରିବାରର ସଦସ୍ୟ ମାନେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଇଥାନ୍ତି । ଅନ୍ୟ କିଛି ଅନିବାର୍ଯ୍ୟ କାରଣରୁ ମଧ୍ୟ ଅନେକ ଚାଷୀ, ଅନେକ କୃଷକ ପରିବାର ଏହି ଯୋଜନାରେ ସାମିଲ ହୋଇ ନପାରି ବାଦ୍ ପଡିଛନ୍ତି । ସେମାନଙ୍କୁ ପୁଣି ଥରେ ଏହି ଯୋଜନାରେ ସାମିଲ କରିବା ପାଇଁ ସରକାର ପୁଣି ଥରେ ପ୍ରୟାସ ଆରମ୍ଭ କରିଛନ୍ତି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନେତୃତ୍ୱରେ ପ୍ରତି ବ୍ଲକର ପ୍ରତି ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଏକ ସ୍ୱତନ୍ତ୍ର ସଚେତନତା ଗାଡି ବୁଲି ବୁଲି ଡାକବାଜୀ ଯନ୍ତ୍ର ମାଧ୍ୟମରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ନର୍ଲା ବ୍ଲକ୍ ଅଞ୍ଚଳରେ ମଧ୍ୟ ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ସମସ୍ତ ଗାଁକୁ ଡାଟାବେସ୍ ପ୍ରଚାର ଗାଡି ଯାଇ କୃଷକଙ୍କୁ ସଚେତନ କରିଥିଲା । ଆମ କୃଷି ଓଡିଶାରୁ ବାଦ୍ ପଡିଥିବା କୃଷକ ମାନେ ନିଜ ନିଜ ଅଞ୍ଚଳରେ ରହିଥିବା ସହଜ ଜନସେବା କେନ୍ଦ୍ର, ମୋ ସେବାକେନ୍ଦ୍ରକୁ ଯାଇ ଆବଶ୍ୟକ ଡକୁ୍ୟମେଣ୍ଟ ପ୍ରଦାନ କରି ଆମ କୃଷି ଓଡିଶା ଯୋଜନାରେ ନିଜର ନାମ ସମ୍ପୂର୍ଣ୍ଣ ତଥ୍ୟ ସହିତ ସଂଯୋଗ କରି ପାରିବେ ବୋଲି ନର୍ଲା ବ୍ଲକ କୃଷି ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହି ଡାଟାବେସ୍ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୩୧ ଯାଏଁ ସମୟ ଧାର୍ଯ୍ୟ ରହିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.