କବିତା: ମହାସତୀ ସାବିତ୍ରୀ

“ରାଜ କନ୍ୟା ମଧ୍ୟ ଭାଗ୍ୟର ଖେଳରେ,
ପାଇ ଥାଏ କେବେ ଜୀବନେ ଦୁଃଖ ।
ଜନ୍ମରୁ ନୁହଁଇ କର୍ମରୁ ଜନ୍ମଇଁ,
ଏହି ସଂସାରେ ମଣିଷର ସୁଖ ।”

ଏହି ଜ୍ଞାନ ପାଇ ନିଜର ପତିର,
ଆୟୁଷ କରି ପାରିଥିଲେ ଦୀର୍ଘ,
“ମହାସତୀ” ରୂପେ କରି ସମ୍ବୋଧନ,
ଜଗତ ଦିଏ ଯାହାକୁ ମହାର୍ଘ୍ୟ ।

“ଅବଳା’ ନାମରେ ‘ଦୁର୍ବଳା’ ନୁହେଁ ସେ,
ସାଜିଲେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ,
ସୃଷ୍ଟିର ଶୃଙ୍ଗାର ଯାହାର କରରେ,
ସାଜେ ମନୋବଳେ ସେ ମହାସତୀ !

ତାହାର ସମୀପେ ଠିଆ ହୋଇ ଦିନେ,
ସୂର୍ଯ୍ୟପୁତ୍ର ମାନେ ତା’ ପରାଜୟ,
ବୁଦ୍ଧିରେ ନିଜର ଦିଅଇ ଜୀବନ,
ନିଜ ତପ ବଳେ ପାଏ ବିଜୟ ।

ହେଉ ଯେତେ ଘନ ଉଆଁସର ରାତି,
ଥାଉ କଣ୍ଟକ ଯେତେ ତାର ପଥେ,
ବିଧିର ବିଧାନ ହୋଇ ପାରେ ଆନ,
ଧରା ପୃଷ୍ଠରେ, ନାରୀର ଶପଥେ ।

✍🏾ରଞ୍ଜିତ କୁମାର ସାହୁ

ଯୁକ୍ତରାଷ୍ଟ୍ର ଆମେରିକା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.