ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ଉପରେ ପ୍ରକଳ୍ପ ପ୍ରଣୟନ କରି ଚାଲିଛନ୍ତି କିନ୍ତୁ କଳାହାଣ୍ଡିଆ ଚାଷୀର ଦୂଃଖ ଥମିବାର ନାଁ ନେଉନାହି। ୧୯୭୧ ମସିହାରୁ ଆରମ୍ଭ ହୋଇ ୧୯୭୬ ମସିହାରେ ଉଦ୍ଘାଟିତ ହୋଇଥିଲା ଉତେଇ ଜଳ ସେଚନ ପ୍ରକଳ୍ପ। ଉତ୍ତେଇ ନଦୀର ଆମଗାଁ ଡେମ ଠାରୁ ବାହାରିଥିବା ମୁଖ୍ୟ କେନାଳର ଲମ୍ବ ୧୦.୦୮ କିଲୋମିଟର ଥିବା ବେଳେ ରିଷିଡା ପର୍ଯ୍ୟନ୍ତ ୨୨ କିଲୋମିଟର ଲମ୍ବିଛି। ଏକ ମହାନ ଉଦ୍ଦେଶ୍ୟ ଓ ଚାଷୀଙ୍କ ହିତ ଦୃଷ୍ଟିରୁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ସରକାରୀ କଳର ଉଦାସୀନତା ଓ ଖାମଖିଆଳ ମନୋଭାବ ଯୋଗୁଁ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକର ୧୯ ଗୋଟି ପାଣିପଞ୍ଚାୟତ ମଧ୍ୟରେ ବ୍ୟବହାର ହେଉଥିବା ଉତେଇ ଜଳ ସେଚନ ପ୍ରକଳ୍ପର ମୁଖ୍ୟ କେନାଲ ଓ ଶାଖା କେନାଲ ମାନଙ୍କରେ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ପୁର୍ନଉଦ୍ଧାର ପାଇଁ ସଂପୃକ୍ତ ବିଭାଗ ତରଫରୁ କୌଣସି ପଦକ୍ଷେପ ନେଉ ନଥିବାରୁ ଚାଷୀ ମାନେ ଠିକ ଭାବରେ ପାଣି ପାଇପାରୁ ନାହାନ୍ତି, ତେଣୁ ଅଞ୍ଚଳରେ ତିବ୍ର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ପଟେ କେନାଲ ଗୁଡିକର ଅବସ୍ଥା ନକହିବା ଭଲ। ଦୀର୍ଘ ବର୍ଷ ହେଲା କେନାଲ ଗୁଡିକରେ ଆଜି ପ୍ରଯ୍ୟନ୍ତ ଠିକ ଭାବରେ ବେଡ୍ ସଫେଇ ଓ ଦୁର୍ବଳ ଅବସ୍ଥାରେ ଥିବା କେନାଲ ହୁଡ଼ା ଗୁଡିକର କାର୍ଯ୍ୟ ହୋଉ ନଥିବା ଅଭିଯୋଗ ହେଉଛି। ଯାହା ଫଳରେ ଠିକ ସମୟ ରେ ଶେଷ ମୁଣ୍ଡରେ ପାଣି ପହଂଚି ପାରୁନାହିଁ। ଉତେଇ ଜଳସେଚନ ବିଭାଗ ପକ୍ଷରୁ ମୁଖ୍ୟ କେନାଲର ଶେଷ ମୁଣ୍ଡକୁ ରବି ଚାଷ ସରିଲା ପରେ ପାଣି ଯିବା ପାଇଁ ବେଡ ସଫେଇ କାର୍ଯ୍ୟ ମେ ମାସର ଶେଷ ସୁଦ୍ଧା କିମ୍ବା ଜୁନ ମାସ ପହିଲି ମଧ୍ୟରେ ଶେଷ ହେବ କଥା। ଅନ୍ୟପଟେ ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇଥିବା ସିଆର ବ୍ରିଜ ଓ ଏଚଆର ଗେଟ୍ ର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଏହାର ପୁନଃନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। କିନ୍ତୁ ସଂପୃକ୍ତ ବିଭାଗ ଏଥିପ୍ରତି ଧ୍ୟାନ ନ ଦେବା ଦୁର୍ଭାଗ୍ୟ ଜନକ। ଫଳରେ ଅଗାମୀ ଦିନରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଅନୁମାନ କରାଯାଉଛି। ଚାଷୀମାନେ ଅନ୍ୟୋପାୟ ହୋଇ ନିଜସ୍ବ ଶ୍ରମଦାନରେ ଅନେକ ବର୍ଷ ହେଲା କେନାଳ ସଫେଇ କରି ଆସୁଥିବା ଚିତ୍ର ସାମ୍ନାକୁ ଆସିଛି। ଏପଟେ କେତେକ ଲୋକ ସାଖା କେନାଲ ଗୁଡିକ ପାର୍ଶ୍ବରେ ଶୌଚଳୟ ତିଆରି କରୁଥିବା ବେଳେ ମୁଖ୍ୟ କେନାଲ ପାର୍ଶ୍ବରେ ଘର ମଧ୍ୟ ତିଆରି କଲେଣି କିଛି ମୃଷ୍ଟିମେୟ ବ୍ୟକ୍ତି। ଏହାକୁ ଅନେକ ଥର ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଏହି ସମସ୍ୟା ସମୁହର ସମାଧାନ ପାଇଁ ନର୍ଲା ବିଧାୟକ ଦୃଷ୍ଟି ଦେବାକୁ ଚାଷୀ ମହଲରୁ ଦାବି ହେଉଛି।