ଆଖି ଆଉ ଶରୀର ଦାନ କଲେ ସମାଜ ପାଇଁ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଦୟାବତୀ ଅଗ୍ରୱାଲ ଆଖି ଓ ଶରୀର ଦାନ କରି ମାନବିକତାର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । କମ ପାଠପଢିଥିଲେ ମଧ୍ୟ ଜୀବନ ଦର୍ଶନରେ ବେଶ ଉଚ୍ଚ କୋଟିର ବିଚାର ରଖିଥିବା ନର୍ଲାର ୮୧ ବର୍ଷିୟ ଦୟାବତୀଙ୍କ ଆଜି ରବିବାର ଅପରାହ୍ନ ୪.୩୦ ସମୟରେ ଭୁବନେଶ୍ୱରରେ ଏମ୍ବ୍ରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ତାଙ୍କ ଶରୀରରେ ପାଣି ଜମିଥିବା ନେଇ ସେ ଗତ ୭ ଦିନ ହେଲା ଏମ୍ବ୍ରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ୨୦୧୯ ରେ ନିଜ ପରିବାର ବର୍ଗ ସ୍ୱାମୀ ସ୍ୱର୍ଗତ ରାମଚନ୍ଦ୍ର ଅଗ୍ରୱାଲ, ପୁତ୍ର ଅଶୋକ ଅଗ୍ରୱାଲ, ଅନୀଲ ଅଗ୍ରୱାଲ, କନ୍ୟା ସନ୍ତୋଷ ଅଗ୍ରୱାଲଙ୍କ ସହ ଆଲୋଚନା କରି ତାଙ୍କର ଆଖି ଯେ କୌଣସୀ ଭାରତୀୟ ଚକ୍ଷୁହୀନଙ୍କ ଉପଯୋଗ ପାଇଁ ଏବଂ ତାଙ୍କ ଶରୀର ଆଇଏମ୍ଏସ୍ ଓ ସମ୍ ହସପିଟାଲକୁ ଦାନ କରିଛନ୍ତି ମେଡିକାଲ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ବିନିଯୋଗ ପାଇଁ । ସେ ୨୦୧୯ରେ ଷ୍ଟାମ୍ପ ପେପରରେ ଲିଖିତ ନାମା ଲେଖି ଦେଇଥିଲେ । ଆଜି ତାହା କାର୍ଯ୍ୟରେ ପରିଣତ ହୋଇଛି । ତାଙ୍କ ନିଧନରେ ନର୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ଦୁଇ ପୁତ୍ର ଅଶୋକ, ଅନୀଲ ଓ ଝିଅ ସନ୍ତୋଷ ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ହେଲେ ନର୍ଲାର ଆଦରଣୀୟା ମହିଳା ଦୟାବତୀ ଅଗ୍ରୱାଲଙ୍କ ଏଭଳି ଶରୀର ଓ ଚକ୍ଷୁଦାନ ଖବର ଜାଣିବା ପରେ ଦୟାବତୀଙ୍କ ପାଇଁ ନର୍ଲା ଅଞ୍ଚଳବାସୀ ଓ ତାଙ୍କ ବନ୍ଧୁ ପରିଜନଙ୍କ ହୃଦୟରେ ତାଙ୍କପ୍ରତି ଶ୍ରଦ୍ଧା ଅନେକ ଗୁଣ ବଢିଯିବା ସହ ତାଙ୍କୁ ଦୟାର ଦେବୀ ସାଜିଲେ ଦୟାବତୀ ବୋଲି ଲୋକେ ଭୂୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ତାଙ୍କ ସ୍ୱାମୀ ସ୍ୱର୍ଗତ ରାମଚନ୍ଦ୍ର ଅଗ୍ରୱାଲ ଗତ ୨୦୧୯ ଅକ୍ଟୋବର ମାସରେ ପରଲୋକ ଗମନ କରିଥିଲେ । ସେ ମଧ୍ୟ ତାଙ୍କ ଅନ୍ତିମ ସମୟରେ ଚକ୍ଷୁଦାନ କରିଯାଇଛନ୍ତି । ଦୟାଦେବୀଙ୍କ ମାନବ ସମାଜ ପ୍ରତି ଏଭଳି ଅବଦାନକୁ ନର୍ଲାର ବିଭିନ୍ନ ମହଲରେ ଭୂୟସୀ ପ୍ରସଂସା କରାଯାଇଥିବା ବେଳେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ମାରୱାଡି ଯୁବା ମଞ୍ଚର ବରିଷ୍ଠ ସଦସ୍ୟ ବିମଲ କୁମାର କେଡିଆ, ହମେଶ କୁମାର ଜୈନ, ତାଙ୍କ ପୁତୁରା ପୂରବ ଅଗ୍ରୱାଲ, ନର୍ଲା ବ୍ଲକ ବ୍ରାହ୍ମଣ ସମାଜର ସଭାପତି ବଦ୍ରୀପ୍ରସାଦ ମିଶ୍ର ପ୍ରମୁଖ ଓ ଓଡ଼ିଆ ବାର୍ତ୍ତା ପରିବାର ତରଫରୁ ଶୋକସନ୍ତପ୍ତ ଅଗ୍ରୱାଲ ପରିବାର ପ୍ରତି ସମବେଦନା ଜ୍ଞାପନ କରି ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଦୟାଦେବୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।