ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ସମ୍ମାନୀତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ ଓ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇ ସରକାର ଓ ନାଗରିକ ମାନଙ୍କର ମିଳିତ ସହଯୋଗିତାର ଏହି ଅଭିନବ ପ୍ରୟାସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ପୂରାତନ ଛାତ୍ର ଭାବେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ, ସମିତି ସଭ୍ୟ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ , ସମାଜସେବୀ ରୁପେଶ ଅଗ୍ରୱାଲ, ସରପଞ୍ଚ ପୁରୁଷୋତ୍ତମ ରାଉତ ପ୍ରମୁଖ ଶିକ୍ଷାନୁଷ୍ଠାନରେ ବିତାଇଥିବା ମଧୁର ଅନୁଭୁତି ବିଷୟରେ ସ୍ମୃତି ଚାରଣ କରିବା ସହ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ମୋ ସ୍କୁଲ ଅଭିଯାନର କର୍ମକର୍ତ୍ତା ଚୟନ କରା ଯାଇଥିଲା । ସଭାପତି ବିନ୍ଦୁ ମହାନନ୍ଦ, ଉପ ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, ସମ୍ପାଦକ ତଥା କୋଷାଧ୍ୟକ୍ଷ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା , ଯୁଗ୍ମ ସମ୍ପାଦକ ତୁଲେଶ୍ୱର ନାଏକ, କାର୍ଯ୍ୟ ନିର୍ବାହୀ ସଭ୍ୟ ଭାବରେ ସାଉଲ୍ ମଙ୍ଗରାଜ, ପୁରୁଷୋତ୍ତମ ରାଉତ, ସୁଶାନ୍ତ କୁମାର ଦଳେଇ, ରୁପେଶ ଅଗ୍ରୱାଲ, ସୁଧୀର କୁମାର ସାହୁ, ସ୍ବରୂପ କୁମାର ବିଶି ଓ ଦୁଷ୍ମନ୍ତ ସେନାପତିଙ୍କ ନାମ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା। ପ୍ରାଧ୍ୟାପକ ସରୋଜ କାନ୍ତ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂରାତନ ଛାତ୍ର ମାନେ ଉପସ୍ଥିତ ଥିଲେ ।