ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକରେ ୧୬ ଗୋଟି ପଞ୍ଚାୟତ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ରହିଛି। ଏଠାରେ ବିଭିନ୍ନ ସମୟରେ ଦେଖାଯାଉଥିବା ସମସ୍ୟାଗୁଡିକ ମଧ୍ୟରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଅନ୍ୟତମ। ଅଞ୍ଚଳରେ ଅଧିକାଂଶ ଗ୍ରାମକୁ ରାସ୍ତା ନାହିଁ। ମୋବାଇଲ ସେବାରୁ ମଧ୍ୟ ଲୋକମାନେ ବଞ୍ଚିତ। ବ୍ଳକରେ ୨୬ ଗୋଟି ପଞ୍ଚାୟତରେ ୫୮. ୮୩୯ ଜନସଂଖ୍ୟା ରହିଥିବା ବେଳେ ଅଞ୍ଚଳ ପାଇଁ ୫ଟି ଡାକ୍ତରଖାନା ରହିଛି। ଏଥିରେ ଆବଶ୍ୟକ ଅନୁସାରେ କର୍ମଚାରୀ ନଥିବା ଯୋଗୁଁ ବିଭିନ୍ନ ସମୟରେ ରୋଗୀ ସେବା ବାଧା ସୃଷ୍ଟି ହେଉଛି। ଫଳରେ ଗରିବ ଆଦିମ ଜନଜାତି ବର୍ଗର ଲୋକ ଚାଲି ଚାଲି ଲାଞ୍ଜିଗଡ଼ ଆସି ବାଧ୍ୟ ହୋଇ ରାୟଗଡା ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥାନ୍ତି। ବ୍ଲକରେ ଏହି ୫ଟି ଡାକ୍ତରଖାନା ମଧ୍ୟରୁ ଅନ୍ୟତମ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଏହି ଡାକ୍ତରଖାନାରେ ଅଞ୍ଚଳର ୧୬ ଗୋଟି ପଞ୍ଚାୟତ ଲାଞ୍ଜିଗଡ଼, ଛତ୍ରପୁର, ବାତେଲିମା, ବସନ୍ତପଡା, ଜଗନ୍ନାଥପୁର, ତ୍ରିଲୋଚନପୁର, ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ପଦର, ଲାଖବାହିଲି, ବେନଗାଁ, ଲାଞ୍ଜି, କାନକୁଟୁରୁ, କୁମାଖାଲ ଓ ଚମ୍ପାଦେଇପୁର ୨୮୦ ଗ୍ରାମର ୩୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା ପାଇଁ ନିର୍ଭର କରିଥାନ୍ତି। ପ୍ରତି ମାସରେ ୫୦ ରୁ ଅଧିକ ମହିଳାଙ୍କୁ ପ୍ରସୂତି ସୁବିଧା, ୨୦୦ ଶହ ରୋଗୀଙ୍କୁ ଅନ୍ତବିଭଗ ଚିକିତ୍ସା କରାଯାଇଥାଏ।ଏଥିରେ ବର୍ହିବିଭାଗରେ ୨୦୦୦ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ମଧ୍ୟ ହେଉଛନ୍ତି। ହେଲେ ଡାକ୍ତରଖାନାରେ ବର୍ତ୍ତମାନ ୫ ଜଣ ଡାକ୍ତର ରହିଥିବା ବେଳେ ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫନର୍ସ ଓ ଜଣେ ପିଅନ ଅଛନ୍ତି। ତେବେ ଡାକ୍ତରଖାନାରେ ଷ୍ଟାଫନର୍ସ ଅଭାବ ଯୋଗୁଁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମସ୍ୟା ହେଉଛି। ବର୍ତ୍ତମାନ ମାତ୍ର ଜଣେ ଷ୍ଟାଫନର୍ସରେ ଚାଲିଛି ଏହି ଡାକ୍ତରଖାନା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଷ୍ଟାଫନର୍ସ ନିଯୁକ୍ତି ଦେବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ କୈାଣସି ସୁଫଳ ମିଳିପାରିନାହିଁ। ବିଗତ ୬ ମାସ ମଧ୍ୟରେ ୪ ଜଣ ଷ୍ଟାଫନର୍ସ ଲକ୍ଷ୍ମୀପ୍ରିୟା ସାହୁ, ନିଳାଞ୍ଚଳ ସାହୁ, ହରେକୃଷ୍ଣ ସାହୁ ଓ ରମାକାନ୍ତ ସାହୁଙ୍କୁ ଡାକ୍ତରଖାନାରେ ନିଯୁକ୍ତି ଦିଆ ଯାଇଥିଲା। ଦୁର୍ଭାଗ୍ୟ ବସତଃ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବା ପାଇବା ପୂର୍ବରୁ ସେଥିମଧ୍ୟରୁ ୪ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେପୁଟେସନ କରିଛନ୍ତି। ଲକ୍ଷ୍ମୀପ୍ରିୟାଙ୍କୁ ବିଶ୍ୱନାଥପୁର ମେଡିକାଲ, ନିଳାଞ୍ଚଳଙ୍କୁ ମଦନପୁର ରାମପୁର, ହରେକୃଷ୍ଣଙ୍କୁ ଯୋଗସାଇପାଟଣା ଓ ରମାକାନ୍ତ ସାହୁଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଡେପୁଟେସନ କରାଯାଇଛି। ଷ୍ଟାଫ ନର୍ସ ଡେପୁଟେସନକୁ ନେଇ ଗତ ମାର୍ଚ୍ଚ ୧୫ ତାରିଖରେ ଲୋକଙ୍କ ଅଭିଯୋଗ ପରେ ନିଳାଞ୍ଚଳ ସାହୁ ଲାଞ୍ଜିଗଡ ଫେରି ଆସିଲେ। କିନ୍ତୁ ମାତ୍ର ୩ ମାସ ବ୍ୟବଧାନରେ ପୁଣି ନିଳାଞ୍ଚଳ ସାହୁଙ୍କୁ ମ.ରାମପୁରକୁ ଡେପୁଟେସନ କରାଯାଇଛି। ଏନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି।ଚଳିତ ମାସ ୧୦ ତାରିଖ ଦିନ ଲାଞ୍ଜିଗଡ ବ୍ଳକ ଗସ୍ତରେ ସିଡ଼ିଏମଓ ଡ଼.କସ୍ତୁରୀ ମିଶ୍ର ଆସିଥିଲେ। ସେ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ଲାଞ୍ଜିଗଡ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସମାଜସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲଙ୍କ ସମେତ ଲାଞ୍ଜିଗଡ ଅଞ୍ଚଳବାସୀ ଷ୍ଟାଫନର୍ସ ବାବଦକୁ ନେଇ ଅଭିଯୋଗ କରିଥିଲେ। କିନ୍ତୁ ସିଡିଏମଓ ଷ୍ଟାଫ ନର୍ସ ଦେବା ବଦଳରେ ପୁଣି ଆଉଜଣେ ଷ୍ଟାଫ ନର୍ସ ନିଳାଞ୍ଚଳ ସାହୁଙ୍କୁ ଡେପୁଟେସନ କରିବାକୁ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଯଦି ସ୍ଥାୟୀ ସମାଧାନ ନକରାଯାଏ ତାହାହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି।ଏନେଇ ବ୍ଳକ ଚିକିତ୍ସାଧିକାରୀ ନିହାର ରଞ୍ଜନ ସାହୁଙ୍କୁ ପଚାରିବାରୁ ହଁ କିଛି ଦିନ ହେଲା ନିଳାଞ୍ଚଳ ସାହୁଙ୍କୁ ମ. ରାମପୁର ଡେପୁଟେସନ ହୋଇଛି ଗତକାଲି ନୀଳାଞ୍ଚଳଙ୍କ ବଦଳରେ ଆଉ ଜଣେ ବିଶ୍ୱନାଥପୁର ଚିକତ୍ସାଳୟରେ କାର୍ଯ୍ୟରତ ଷ୍ଟାଫନର୍ସ ରୋଜାଲିନ ସେନାପତିଙ୍କୁ ଲାଞ୍ଜିଗଡ ଡେପୁଟେସନ କରାଯାଇଅଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଲାଞ୍ଜିଗଡ଼ ବ୍ଲକର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଯୋଗୁଁ ଗରିବ ଲୋକେ ଗାଡି ଭଡାକରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତଥା ରାୟଗଡା ଜିଲ୍ଲା ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଖର୍ଚ୍ଚରେ ପଡୁଥିବା ଦେଖାଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।