ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଜନସାଧାରଣଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ଚାଲିଛନ୍ତି। କିନ୍ତୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ବ୍ୟାପକ ପିସି କାରବାର ହେଉଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ପାରୁ ନଥିବା ଦେଖାଯାଇଛି। ଏଠାରେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଚାଲିଛି ବୋଲି ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହି କ୍ରମରେ ରିଷିଡା ସାପ୍ତାହିକ ବଜାର ପଡିଆ ଠାରେ ଚାଲିଥିବା ପିଣ୍ଡି ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିଷିଡା ଗ୍ରାମ ପଂଚାୟତର ସାପ୍ତାହିକ ବଜାର ପଡିଆ ଠାରେ ପଂଚମ ଏସଏଫସି ଜିଆଇଏ(ରୁରାଲ ହେଲଥ) ଯୋଜନାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦ଲକ୍ଷ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଛି। ସାପ୍ତାହିକ ହାଟର ବ୍ୟବସାୟୀ ଏବଂ ଗ୍ରାହକ ମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି ଅନୁଦାନ ମଂଜୁର ହୋଇଛି। ତେବେ ଏଠାକାର ବଜାର ପିଣ୍ଡି ନିମ୍ନ ମାନର ନିର୍ମାଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିରେ ଏଷ୍ଟିମେଟ ଅନୁସାରେ କାମ ହେଉନଥିବା ଚର୍ଚ୍ଚା ହେଉଛି। ତେବେ ଏହାର ସତ୍ୟାସତ୍ୟ ପାଇଁ ଜିଲ୍ଲା ପ୍ରଶାସନ ବିଧିବଦ୍ଧ ତଦନ୍ତ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।