ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପରିବେଶ ପ୍ରତି ସଚେତନତା ଓ ଜଙ୍ଗଲରୁ କାଠ କାଟିବା ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଯୋଗୁଁ ଆଜିକାଲି ସହରାଞ୍ଚଳରେ କାଠ ସହଜରେ ମିଳି ପାରୁନାହିଁ। ଯାହା ବି ମିଳୁଛି ତା’ର ଦର ଆକାଶଛୁଆଁ ରହୁଛି। ଏପରି ସ୍ଥିତିରେ ଶବ ଦାହ ପାଇଁ ସହରାଞ୍ଚଳ ଜନତା ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ଡ଼ଃ ଭବାନୀ ଶଙ୍କର ନିଆଲ ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ଠାରେ ବିଦ୍ୟୁତ ଚାଳିତ ଶବଦାହ ଗୃହ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି। ଶବ ଦାହ ପାଇଁ ସମୟାନୁସାରେ ପାଖାପାଖି ୪ ରୁ ୫ କ୍ୟୁଣ୍ଟାଲ କାଠ ମିଳିବା ଏକ କଷ୍ଟକର ବ୍ୟାପାର ହୋଇଯାଇଛି। ଏଣୁ ସାରା ଭାରତ ବର୍ଷରେ ବିଦ୍ୟୁତ ଶବଦାହ ଗୃହ ପ୍ରତିଷ୍ଠା କରାଯାଉଛି ଏବଂ ଏହାର ଚାହିଦା ମଧ୍ୟ ବଢୁଛି। ଏହାଦ୍ୱାରା ଶବଦାହ ଜନିତ ପାଖାପାଖି ତିନି ରୁ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ବଦଳରେ ବିଦ୍ୟୁତ ଶବଦାହ ଗୃହରେ ଅତି କମ ପଇସାରେ ଦାହ ସଂସ୍କାର କରିହେବ। ତେଣୁ ଏପରି ବିଦ୍ୟୁତ ଶବଦାହ ଗୃହ ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡରେ ସ୍ଥାପନ କରିବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ଡ଼ଃ ନିଆଲ। ଏହି ନିବେଦନ ସହ ସେ ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ସହର ଅଧ୍ୟକ୍ଷଙ୍କୁ ମଧ୍ୟ ଏହାର ପ୍ରତିଲିପି ପ୍ରଦାନ କରିଛନ୍ତି।






