ବ୍ରିଟେନକୁ ପଛରେ ପକାଇ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି । ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ପ୍ରଗତି ହାସଲ କରୁଛି । ଭାରତରେ ବିଶ୍ଵର ସବୁଠୁ ଅଧିକ ସ୍ମାର୍ଟଫୋନ ଡାଟା ଉପଭୋକ୍ତା ରହିଛନ୍ତି । ସେହିପରି ଭାରତରେ ଅଛନ୍ତି ବିଶ୍ଵର ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ । ବିଶ୍ଵ ଖୁଚୁରା ସୂଚକାଙ୍କରେ ଭାରତ ସମ୍ପ୍ରତି ଦ୍ୱିତୀୟ ସ୍ଥାନ ହାସଲ କରିଛି । ସାରା ବିଶ୍ଵରେ ଭାରତ ତୃତୀୟ ବୃହତମ ଶକ୍ତି ଉପଭୋକ୍ତା ରାଷ୍ଟ୍ର ହୋଇପାରିଛି । ସେହିପରି ଭାରତ ହେଉଛି ବିଶ୍ଵର ତୃତୀୟ ସର୍ବବୃହତ ଉପଭୋକ୍ତା ବଜାର । ନବୋନ୍ମେଷ ସୂଚକାଙ୍କରେ ଭାରତ ଲଗାତାର ଭାବେ ନିଜ ମାନ୍ୟତାରେ ସୁଧାର ଆଣିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଅର୍ଥବ୍ୟବସ୍ଥାରେ କ୍ରମାଗତ ଭାବେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାଫଳରେ ଦେଶରେ ସମାବେଶୀ ବିକାଶ ସୁନିଶ୍ଚିତ ହୋଇଛି ଏବଂ ବିଶ୍ଵ ସ୍ତରରେ ଭାରତର ସମ୍ମାନ ବଢ଼ିଛି । ଚଳିତ ବର୍ଷ ଭାରତ ୬୭୦ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୫୦ ଲକ୍ଷ କୋଟି ଟଙ୍କାର ବସ୍ତୁ ରପ୍ତାନି କରିଛି । ପ୍ରତ୍ୟେକ ଆହ୍ୱାନର ସଫଳତାର ସହ ମୁକାବିଲା କରି ଭାରତର ୪୧୮ ବିଲିୟନ ଡଲାର ବା ପ୍ରାୟ ୩୧ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ରପ୍ତାନି କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛି ।

ବିଗତ ଆଠ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ବିଲିୟନ ଡଲାର କମ୍ପାନୀ ଭାରତରେ ଗଠନ ହୋଇଛନ୍ତି । ପ୍ରତିମାସରେ ନୂଆ ନୂଆ କମ୍ପାନୀ ମୁଣ୍ଡ ଟେକୁଛନ୍ତି । ବିଗତ ଆଠ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଏସବୁ ୟୁନିକର୍ଣ୍ଣର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୫୦ ବିଲିୟନ ଆମେରିକୀୟ ଡଲାର ବା ୧୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

୨୦୧୪ ପରଠାରୁ ୮୦୦ ଦିନ ମଧ୍ୟରେ ପ୍ରଥମ ୧୦ ହଜାର ଷ୍ଟାର୍ଟଅପ୍‌ ଗଠନ ହୋଇଥିଲା । ଏହାପରେ ମାତ୍ର ୨୦୦ ଦିନ ମଧ୍ୟରେ ୧୦ହଜାର ନୂଆ ଷ୍ଟାର୍ଟଅପ୍‌ ଏହି ଇକୋସିଷ୍ଟମ ସହ ଯୋଡ଼ି ହୋଇଛନ୍ତି । ବିଗତ ଆଠ ବର୍ଷ ମଧ୍ୟରେ ଦେଶରେ ଷ୍ଟାର୍ଟଅପଗୁଡ଼ିକର ସଂଖ୍ୟା ମାତ୍ର କେତେ ଶହରୁ ଏବେ ୭୦ହଜାରରୁ ଅଧିକରେ ପହଞ୍ଚିଛି । ଦେଶର ପ୍ରାୟ ସବୁ ରାଜ୍ୟରେ, ବିଶେଷ କରି ଛୋଟ ଛୋଟ ସହରରେ ଷ୍ଟାର୍ଟଅପଗୁଡ଼ିକ ପ୍ରତିଷ୍ଠା ହେଉଛନ୍ତି । ଦେଶର ୬୫୦ରୁ ଅଧିକ ସହରରେ ଷ୍ଟାର୍ଟଅପଗୁଡ଼ିକ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରରେ ରହିଛନ୍ତି ।

ଦେଶରେ ଗତ କିଛି ବର୍ଷ ଏକ ଡିଜିଟାଲ ବିପ୍ଳବ ଆସିଛି । ୨୦୧୪ରେ ମାତ୍ର ୬.୫ କୋଟି ବ୍ରଡବ୍ୟାଣ୍ଡ ଉପଭୋକ୍ତା ଥିବା ବେଳେ ଆଜି ସେମାନଙ୍କ ସଂଖ୍ୟା ୭୮ କୋଟିରୁ ଅଧିକକୁ ଅତିକ୍ରମ କରି ଯାଇଛି । ୨୦୧୪ରେ ୧ଜିବି ଡାଟା ମୂଲ୍ୟ ୨୦୦ ଟଙ୍କା ଥିଲା ଆଜି ଏହା ୧୧-୧୨ ଟଙ୍କାକୁ ହ୍ରାସ ପାଇଛି । ୨୦୧୪ରେ ଦେଶରେ ୧୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ବିଛା ଯାଇଥିଲା । ଏବେ ୨୮ ଲକ୍ଷରୁ ଅଧିକ କିଲୋମିଟର କ୍ଷେତ୍ରରେ ଅପ୍ଟିକାଲ ଫାଇବର ବିଛା ଯାଇପାରିଛି ।

ଭାରତରେ ବିନିର୍ମାଣ ବା ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା କରିବା ଲାଗି ସରକାର ୨ ଲକ୍ଷ କୋଟି ଟଙ୍କାର ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି । ଗତ ଆଠ ବର୍ଷ ମଧ୍ୟରେ ସରକାର ଗୋଟିଏ ସିଙ୍ଗଲ କ୍ଲିକ୍‌ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସିଧାସଳଖ ୨୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଡିବିଟି ଜରିଆରେ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି ।

ସେହିପରି ଦେଶରେ ବହୁମୁଖି ଯୋଗାଯୋଗ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି । ସାଗରମାଳା, ଭାରତମାଳା, ପର୍ବତମାଳା, ବନ୍ଦର ଆଧାରିତ ବିକାଶ ଜରିଆରେ ଯୋଗାଯୋଗ ଭିତ୍ତିଭୂମିରେ ସୁଧାର ଆସିଛି । ସାମାଜିକ ଏବଂ ଭୌତିକ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ ଦେଖିବାକୁ ମିଳିଛି । ଦେଶରେ ସହମତିର ଏକ ପରିବେଶ ସୃଷ୍ଟି ହୋଇଛି । ନୂଆ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାରେ ଏହା ପ୍ରତିଫଳିତ ହୋଇଛି । ଦେଶରେ ନୂଆ ସ୍ୱାସ୍ଥ୍ୟ ନୀତି ଆଣିବା ଲାଗି କାର୍ଯ୍ୟ ଜାରି ରହିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ ନୂଆ ବିମାନ ବନ୍ଦର ନିର୍ମାଣ ହେଉଛି । ଛୋଟ ଛୋଟ ସହର ବିମାନ ମାର୍ଗ ସହ ଯୋଡ଼ି ହେଉଛନ୍ତି । ମେଟ୍ରୋ ରେଳ ସେବାର ସମ୍ପ୍ରସାରଣ ଆଜି ଏତେ ପରିମାଣରେ ହେଉଛି ଯେ ପୂର୍ବରୁ ଏହା କେବେ ଦେଖିବାକୁ ମିଳିନଥିଲା । ଦେଶରେ ରେକର୍ଡ ସଂଖ୍ୟକ ନୂଆ ମୋବାଇଲ ଟାୱାର ସଂଯୋଗ କରାଯାଉଛି । ଅତ୍ୟାଧୁନିକ ଫାଇଭ୍‌ ଜି ସେବା ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଭାରତରେ ଆଜି ରେକର୍ଡ ସଂଖ୍ୟକ ଗ୍ରାମକୁ ଅପ୍ଟିକାଲ ଫାଇଭର ସଂଯୋଗ ହୋଇପାରିଛି ।

ଦେଶର ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ବୃଦ୍ଧି ପାଇଛି । ଉତ୍ତମ ପ୍ରଶାସନ ପାଇଁ ଅଣାଯାଇଥିବା ପ୍ରଯୁକ୍ତିକୁ ଲୋକମାନେ ଗ୍ରହଣ କରୁଛନ୍ତି । ବିଶ୍ଵର ଶ୍ରେଷ୍ଠ ଡିଜିଟାଲ ଅର୍ଥ ପଇଠ ପ୍ଲାଟଫର୍ମ ୟୁପିଆଇ ବା ୟୁନିଫାଏଡ ଇଣ୍ଟରଫେସ ପ୍ରତି ଜନସାଧାରଣଙ୍କ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି । ଏହା ଡିଜିଟାଲ ସଂସ୍କାର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରତିଫଳିତ କରିଛି । ବିଶ୍ଵର ୪୦ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହେଉଛି । ଦୂରବର୍ତ୍ତୀ ଗାଁ ଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ରାସ୍ତାକଡ଼ ଉଠାଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, ସମସ୍ତେ ୧୦-୨୦ ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଣନେଣ ୟୁପିଆଇ ମାଧ୍ୟମରେ କରୁଛନ୍ତି ।

ଦେଶରେ ସମାବେଶୀ ବିକାଶ ଦେଖିବାକୁ ମିଳିଛି । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୧୧ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଆଜି ଦେଶର ୩ କୋଟି ଗରିବ ଲୋକମାନଙ୍କୁ ନୂଆ ପକ୍କା ଘର ମିଳିଛି, ଯେଉଁଥିରେ ସେମାନେ ରହିବା ଆରମ୍ଭ କରିଛନ୍ତି । ଦେଶର ୫୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବାର ସୁବିଧା ରହିଛି । ଦେଶର ୨୫ କୋଟିରୁ ଅଧିକ ଲୋକଙ୍କ ପାଖରେ ଦୁର୍ଘଟଣା ବୀମା ଏବଂ ୨ ଲକ୍ଷ ଟଙ୍କା ଲେଖାଏଁ ଅବଧି ବୀମା ରହିଛି । ଆଜି ଦେଶର ୪୬ କୋଟିରୁ ଅଧିକ ଲୋକଙ୍କ ପାଖରେ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ରହିଛି । ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ଦେଶର ୩୫ ଲକ୍ଷ ରାସ୍ତାପାର୍ଶ୍ବ ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଦେଶର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଯୋଗାଇ ଦିଆଯାଇଛି । ଋଣଗ୍ରହିତାମାନଙ୍କ ମଧ୍ୟରେ ୭କୋଟି ଏଭଳି ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ସେମାନଙ୍କର ବ୍ୟବସାୟ ଆରମ୍ଭ କରି ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି । ପ୍ରଥମ ଥର ପାଇଁ ୭ କୋଟିରୁ ଅଧିକ ଲୋକ ମୁଦ୍ରା ଯୋଜନା ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ୭୦ ପ୍ରତିଶତ ମହିଳା ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଛି । ‘ଜରୁରିକାଳୀନ କ୍ରେଡିଟ୍‌ ଲାଇନ ଗ୍ୟାରେଣ୍ଟି ଯୋଜନା’ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସହାୟକ ହୋଇଛି । ଏକ ଅଧ୍ୟୟନ ଅନୁଯାୟୀ ଏହି ଯୋଜନା ପ୍ରାୟ ଦେଢ଼ କୋଟି ଲୋକଙ୍କ ଚାକିରି ସୁରକ୍ଷିତ ରଖିପାରିଛି ।

ଲଘୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସହାୟତା ପାଇଁ ଗତ ୮ ବର୍ଷ ମଧ୍ୟରେ ଏହି କ୍ଷେତ୍ର ପାଇଁ ବଜେଟକୁ ୬୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି । ୧୧ କୋଟିରୁ ଅଧିକ ଲୋକ ଏହି କ୍ଷେତ୍ର ଠାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲାଭ ପାଇପାରିଛନ୍ତି । ଶତାବ୍ଦୀର ସବୁଠୁ ବଡ଼ ବିପତ୍ତି ସମୟରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏମଏସଏମଇଙ୍କ ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ଋଣ ସୁନିଶ୍ଚିତ କରିଥିଲେ ।

ଦେଶରେ ଏବେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇଛି । ଶ୍ରମ ଆଇନ ଭଳି କେତେକ ଆଇନକୁ ସରଳ କରାଯାଇଛି । ୨୯ରୁ ଅଧିକ ଶ୍ରମ ଆଇନ ପରିବର୍ତ୍ତେ ୪ଟି ସରଳ ଶ୍ରମ ସଂହିତା ଲାଗୁ କରାଯାଇଛି । ୩୦ ହଜାରରୁ ଅଧିକ ଅନୁପାଳନକୁ କମାଇବା, ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରିବା, କମ୍ପାନୀ ଆଇନରେ ଥିବା ବହୁ ବ୍ୟବସ୍ଥାର ନିରପରାଧୀକରଣ କରିବା ଫଳରେ ଭାରତର କମ୍ପାନୀମାନଙ୍କ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ସଂଖ୍ୟାଧିକ ଟିକସର ଜାଲ ପରିବର୍ତ୍ତେ ଏବେ କେବଳ ଜିଏସଟି କାର୍ଯ୍ୟକାରୀ ହେଉଛି । ଏହି ସରଳ ଟିକସ ବ୍ୟବସ୍ଥାର ଲାଭ ଦେଶକୁ ମିଳୁଛି । ପ୍ରତି ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ସାଧାରଣ କଥା ହୋଇଗଲାଣି । ଏସବୁ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ କରିଛି । ସରକାର ନୀତିଗତ ସ୍ଥିରତା, ସମନ୍ବୟ ଏବଂ ବ୍ୟବସାୟିକ ସୁଗମତା ଉପରେ ଜୋର ଦେଉଛନ୍ତି । ଅତୀତରେ ଥିବା ହଜାର ହଜାର ପୁରୁଣା ଆଇନ ଓ ଅନୁପାଳନକୁ ଉଚ୍ଛେଦ କରାଯାଇଛି । ସଂସ୍କାର ମାଧ୍ୟମରେ ଭାରତକୁ ଅଖଣ୍ଡ ରାଷ୍ଟ୍ର ଭାବେ ଅଧିକ ଶକ୍ତିଶାଳୀ କରିବା ଲାଗି ପ୍ରୟାସ କରାଯାଉଛି । ଏକ ରାଷ୍ଟ୍ର-ଏକ ଟିକସ ଆକାରରେ ଜିଏସଟି, ଏକ ରାଷ୍ଟ୍ର-ଏକ ଗ୍ରୀଡ, ଏକ ରାଷ୍ଟ୍ର-ଏକ ମୋବିଲିଟି ବା ପରିବହନ କାର୍ଡ, ଏକ ରାଷ୍ଟ୍ର-ଏକ ରାସନ କାର୍ଡ, ଏସବୁ ପ୍ରୟାସ ସରକାରଙ୍କ ସ୍ପଷ୍ଟ ଓ ଦୃଢ଼ ନୀତିକୁ ପ୍ରତିଫଳିତ କରୁଛି ।

‘‘ସରକାର ସବୁକଥା ଜାଣନ୍ତି ଏବଂ କେବଳ ସରକାର ହିଁ ସବୁ କରିବେ’’, ଅତୀତର ଏହି ଚିନ୍ତାଧାରାରେ ଏବେ ପରିବର୍ତ୍ତନ ଆସିଛି । ‘ସବକା ପ୍ରୟାସ’ (ସମସ୍ତଙ୍କ ଉଦ୍ୟମ) ଭାବନା ନେଇ ଦେଶ ଏବେ ଆଗକୁ ବଢ଼ୁଛି । ଏହି କାରଣରୁ ଦେଶରେ ଏବେ ବିଭିନ୍ନ ଦିଗରେ ଉଦ୍ୟମ କରାଯାଉଛି । ବିଆଇଆରଏସି ଭଳି ପ୍ଲାଟଫର୍ମକୁ ଶସ୍ତ କରାଯାଉଛି । ଷ୍ଟାର୍ଟଅପ୍‌ ପାଇଁ ଷ୍ଟାର୍ଟଅପ୍‌ ଇଣ୍ଡିଆ ଅଭିଯାନ, ମହାକାଶ କ୍ଷେତ୍ର ପାଇଁ ଇନ-ସ୍ପେସ, ପ୍ରତିରକ୍ଷା ଷ୍ଟାର୍ଟଅପ୍ସ ପାଇଁ ଆଇଡିଇଏକ୍ସ, ସେମିକଣ୍ଡକ୍ଟର ପାଇଁ ଇଣ୍ଡିଆନ ସେମିକଣ୍ଡକ୍ଟର ମିଶନ, ଯୁବବର୍ଗଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ, ବାୟୋଟେକ୍‌ ଷ୍ଟାର୍ଟଅପ୍‌ ଆଦି ପଦକ୍ଷେପ ସରକାରଙ୍କ ଅଭିନବ ପ୍ରୟାସର ପ୍ରମାଣ ଦେଉଛି । ଗବେଷଣା ଓ ବିକାଶ, ନବସୃଜନ, ଷ୍ଟାର୍ଟଅପ୍ସ, ଅଭିନବ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏସବୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶ ଏସବୁ ପ୍ରୟାସ ଦ୍ୱାରା ବ୍ୟାପକ ଭାବେ ଲାଭାନ୍ୱିତ ହେଉଛି । ଗବେଷଣା ଓ ଶିକ୍ଷାଦାନ କ୍ଷେତ୍ରରେ ଦେଶ ଏକ ନୂଆ ଉପଲବ୍ଧି ହାସଲ କରିଛି । ଏହି କ୍ଷେତ୍ରରେ ବାସ୍ତବ ଦୁନିଆର ଦୃଷ୍ଟି ପ୍ରଦାନ କରିବା ଲାଗି ଶିଳ୍ପ ଜଗତର ସହାୟତା ମିଳୁଛି । ସରକାର ଏଥିପାଇଁ ଆବଶ୍ୟକ ନୀତିଗତ ପରିବେଶ ଏବଂ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି ।

ଲଗାତାର ସଂସ୍କାର ମାଧ୍ୟମରେ ଦେଶର ଯୁବବର୍ଗ ସମ୍ମୁଖିନ ହେଉଥିବା ବାଧା ଦୂର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଘରୋଇ ଉଦ୍ୟୋଗ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ଖୋଲାଯାଇଛି । ମହାକାଶ ଉଦ୍ୟୋଗରେ ଘରୋଇ ଅଂଶଗ୍ରହଣ ଲାଗି ମାର୍ଗପ୍ରଶସ୍ତ ହୋଇଛି । ଆଧୁନିକ ଦ୍ରୋନ ନୀତି ଅଣାଯାଇଛି । ଭୂସ୍ଥାନିକ ଡାଟା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି । ଟେଲିକମ-ଆଇଟି କ୍ଷେତ୍ର ପାଇଁ ‘ଯେକୌଣସି ସ୍ଥାନରୁ କାମ କରିବା’ର ସୁବିଧା ଦିଆଯାଇଛି । ସରକାର ସବୁ ଦିଗରେ କାର୍ଯ୍ୟ କରୁଛନ୍ତି । ଘରୋଇ କ୍ଷେତ୍ରକୁ ସର୍ବାଧିକ ବ୍ୟବସାୟିକ ସୁଗମତା ଦେବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି, ଯାହାଫଳରେ ଦେଶବାସୀଙ୍କ ସହଜ ଜୀବନ ଧାରଣ ପାଇଁ ଦେଶର ଘରୋଇ କ୍ଷେତ୍ର ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.