ମାଗଣା ବଣ୍ଟନ ଯୋଜନା ଓ ବାଟହୁଡା ବିକାଶ

ସମୟ ସହ ତାଳଦେଇ ବିକାଶ ଅଗ୍ରଗତି କରୁଥିଲା କରୁଛି ଓ କରୁଥିବ ମଧ୍ୟ ‌। ସେହି ନିୟମରେ ଓଡ଼ିଶାର ବିକାଶ ହୋଇ ଚାଲିଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, କୃଷି, ପଶୁପାଳନ ପ୍ରଭୃତି ବିକାଶ ହୋଇଥିଲେ ମଧ୍ୟ ତାହା ବିଭିନ୍ନ ଯୋଜନାର ଅଂଶ ବିଶେଷ । ରାଜ୍ୟର ଅଧିବାସୀ ମୁଖ୍ୟତଃ ପାରମ୍ପରିକ ଚାଷ ଉପରେ ନିର୍ଭରଶୀଳ । ମାତ୍ର କୃଷିର କେତେ ଉନ୍ନତି ହୋଇଛି, କୃଷକର କେତେ ଉନ୍ନତି ହୋଇଛି, ଶ୍ରମିକର କେତେ, କୃଷି ଶ୍ରମିକର କେତେ ଉନ୍ନତି ତାହା ବିଚାର କରିବାର ସମୟ ଆସିଛି । ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରି ସାରିଛି କିନ୍ତୁ ଓଡିଶାର ମୁଖ୍ୟ ଜୀବିକା କୃଷି ପାଇଁ ଜଳ ସେଚନର ସୁବିଧା ନାହିଁ । ବର୍ଷସାରା ଗୋଟିଏ ମାତ୍ର ଫସଲରେ ଚାଷଜମି ସ୍ଥିରୀକୃତ ଯାହାକି ବର୍ଷାଜଳ ଉପରେ ନିର୍ଭର କରେ ।
ଶିକ୍ଷାର ବିକାଶ ଘଟିଛି । ଗମନାଗମନ, ସ୍ବାସ୍ଥ୍ୟ ସେବା କିଛିଟା ଉନ୍ନତି ହୋଇଛି । ଏଠି ବିକାଶର ଧାରା ବାରି ହେଉଥିଲେ ମଧ୍ୟ ଲୋକମାନଙ୍କ ମୁଣ୍ଡପିଛା ଆୟ ବଢିନାହି । ଏବେବି ଲୋକମାନେ ମାଗଣା ବଣ୍ଟନ ସ୍କିମ ଉପରେ ନିର୍ଭର କରନ୍ତି । ସରକାର ଯୋଗାଉଥିବା ଟଙ୍କିକିଆ ଚାଉଳ ଅନେକଙ୍କୁ କର୍ମ କୋଢିଆ କରିଦେଇଛି । ଗୋଟିଏ ପଟରେ ସାମାଜିକ ନିରାପତ୍ତା ଯୋଜନା ଯଥା ଟଙ୍କିକିଆ ଚାଉଳ, ଭତ୍ତା ବଣ୍ଟନ ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ପାଉଥିବା ପ୍ରୋତ୍ସାହନ ରାଶି ଯୋଗୁଁ ଶ୍ରମିକମାନେ ପୂର୍ବପରି ଆଉ ଠିକ୍ ଭାବରେ କାମ କରିବାକୁ ଚାହୁଁ ନାହାନ୍ତି । ଶ୍ରମଶକ୍ତିର ଉପଯୋଗ କମିଯାଇ ଲୋକଙ୍କୁ ପଙ୍ଗୁକରି ପରୋକ୍ଷରେ ଚାଷ କାର୍ଯ୍ୟରେ ବାଧା ପହଞ୍ଚାଉଛି ।
ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କେବଳ ପ୍ରୋତ୍ସାହନ ଋଣ ନେଇ ଉପଭୋଗ ଖର୍ଚ୍ଚ ଓ ମହାଜନୀ କାରବାର କରି ସାହୁକାର ସାଜିଛନ୍ତି । କୋୖଣସି ଉତ୍ପାଦକ ଖର୍ଚ୍ଚ କରୁନାହାନ୍ତି । ବିଭିନ୍ନ ପ୍ରୋତ୍ସାହନ ରାଶି ଯୋଗୁଁ ସାମାଜିକ ବିଶୃଙ୍ଖଳା ଦେଖା ଯାଉ ଥିବାର ପରିଲକ୍ଷିତ ହେଉଛି ।
ବିଭିନ୍ନ ପ୍ରୋତ୍ସାହନ ରାଶିକୁ ଲୋକେ ଅନାଇ ରହୁଛନ୍ତି, କିନ୍ତୁ ସେମାନଙ୍କର ଉଦ୍ୟମ ଉତ୍ପାଦନ ବଢାଇବାକୁ ରହୁ ନାହିଁ । ଏହି ପରିପ୍ରେକ୍ଷୀରେ ସବୁରି ହାତକୁ କାମ ଯୋଗାଇବା, କୁଟିର ଶିଳ୍ପ ହେଉ କିମ୍ବା ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ସୃଷ୍ଟି ଓ ଉନ୍ନତି ରାଜ୍ୟର ପ୍ରକୃତ ଉନ୍ନତି କରି ପାରିବ । ନଚେତ୍ ଲୋକମାନଙ୍କୁ ପରମୁଖାପେକ୍ଷିତା ଆଡ଼କୁ ଅଧିକ ଆକର୍ଷିତ କରି ହତୋତ୍ସାହିତ କରିବ ।
ଓଡ଼ିଶାରେ ଶ୍ରମ ବିନିଯୋଗର ସାଧନ ନଥିବାରୁ ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ‌। ସେମାନଙ୍କର ରୋଜଗାରର ସିଂହ ଭାଗ ବାହାରେ ଖର୍ଚ୍ଚ ହେଉଛି । ଏହା ରାଜ୍ୟର ଆର୍ଥିକ ବିକାଶରେ କୈାଣସି ସାହାଯ୍ୟ କରୁନାହିଁ ।
ଟଙ୍କିକିଆ ଚାଉଳ ହେଉ, ଭତ୍ତା ହେଉ, କାଳିଆ ଯୋଜନା, ବଳିଆ ଯୋଜନା ଏମିତି କେତେ କ’ଣ ଯୋଜନା, ଯାହାବି ହେଉଛି ତାହା ଲୋକଙ୍କ ସାମର୍ଥ୍ୟ ବଢାଇବା ପାଇଁ । ମାତ୍ର ତା’ର ଲକ୍ଷ୍ୟ ଗୋଟିଏ ଦିଗରେ ଲୋକଙ୍କ ମାନସିକତା ଗୋଟିଏ ଦିଗରେ । ଏଗୁଡ଼ିକ ବାଟବଣା ମୂଲ୍ୟ, ବାଟବଣା ବିକାଶ । ଲୋକମାନଙ୍କ ମାନସିକ ପରିବର୍ତ୍ତନ ଲୋଡ଼ା ଯେ, ଏଗୁଡ଼ିକ ସାମର୍ଥ୍ୟର ବିକାଶ ପାଇଁ ସାମୟିକ ବିକାଶ ପାଇଁ ନୁହଁ ।
ରାଜନୈତିକ ଦଳମାନଙ୍କ ଦ୍ବାରା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା କରାଯାଉଥିବା ମାଗଣା ବଣ୍ଟନ ସ୍କିମ ପ୍ରସଙ୍ଗରେ ଭାରତର ନିର୍ବାଚନ କମିସନ ବର୍ତ୍ତମାନ କେତେକ ପରାମର୍ଶ ଜାରି କରିଛନ୍ତି । ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ, ଭୋଟରମାନଙ୍କ ପାଇଁ ଘୋଷଣା କରାଯାଉଥିବା ସ୍କିମ ପାଇଁ ଅର୍ଥ କେଉଁଠୁ ଯୋଗାଡ଼ ହେବ ସେ ସମ୍ପର୍କରେ ବି ଭୋଟରଙ୍କୁ ଜଣାଇଦିଆଯିବା ଉଚିତ୍ ।
✍🏼ସୁନୀଲ କୁମାର ଧଙ୍ଗଡାମାଝୀ 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.