ଅମର ଜ୍ୟୋତି ସାଂସ୍କୃତିକ ଅନୁଷ୍ଠାନର ଗଜଲକ୍ଷ୍ମୀ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କେସିଙ୍ଗା ବ୍ଲକ କାଣ୍ଡେଲ ଠାରେ ଅମର ଜ୍ୟୋତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୋମବାର ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ସିଧାର୍ଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ମଣ୍ଟୁ ନାଏକ, ସମ୍ମାନିତ ଅତିଥି ଭାବେ ବିଜେଡ଼ି ଆଇଟି ସେଲ ସଂଯୋଜକ ଅମିତ ଯାଦବ, ସମାଜସେବୀ ସିଦ୍ଧାନ୍ତ କୁମାର ପଣ୍ଡା, ପୂର୍ବତନ ରାକ୍ସି ସରପଞ୍ଚ ବିଜୟ ଧଙ୍ଗଡାମାଝୀ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦରର ସାଂସ୍କୃତିକ ସମ୍ପାଦକ ସଲିଲ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ବିଶିଷ୍ଟ କଳାକାର କମ୍ବୁପାଣି ବାଗଙ୍କ ତତ୍ବାବଧାନରେରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗାର ବଜାସାଲ ଓ ଅନ୍ୟାନ୍ୟ ଲୋକନୃତ୍ୟ ପରିବେଷିତ ହୋଇଥିଲା । ଗିରିରାଜ ଗଉଡ ମଞ୍ଚ ପରିଚାଳନା କରିଥିବାବେଳେ ସଂଘର ସାଧାରଣ ସମ୍ପାଦକ ଉଦ୍ଧବ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପୂର୍ବରୁ ଦୁଇ ଦିନର ସନ୍ଧ୍ୟାରେ ରସମନ୍ଦାର ଦଣ୍ଡନୃତ୍ୟ ଓ ରାଧାକୃଷ୍ଣ ଦଣ୍ଡନୃତ୍ୟ ଆୟୋଜିତ ହୋଇଥିଲା । କାଣ୍ଡେଲ ଗ୍ରାମରେ ଅମର ଜ୍ୟୋତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜାର ସ୍ବାତନ୍ତ୍ରତା ରହିଥିବାରୁ ମା’ଙ୍କ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରବଳ ଜନସମାଗମ ଲାଗି ରହିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.