‘ଦେଶର ସବୁଠାରୁ ବିଶ୍ୱସନୀୟ ଯୋଗାଯୋଗ ବ୍ୟବସ୍ଥା ଡାକସେବା’
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦିନେ ଏହି ବ୍ୟବସ୍ଥା ଯୋଗାଯୋଗର ପ୍ରମୁଖ ଭୂମିକା ନେଇଥିଲା । ଏହି ପ୍ରକ୍ରିୟା ଦୀର୍ଘ ଦିନ ଲାଗୁଥିଲେ ବି ଏଥିରେ ଥିଲା ନିଆରା ଖୁସି । ଆଜିର ମୋବାଇଲ୍ ଦୁନିଆରେ ଦୂରଦୂରାନ୍ତରୁ ଖବର ପହଞ୍ଚିବା ନେଇ କେଇ ମୁହୂର୍ତ୍ତ ଲାଗୁଥିଲେ ବି ଅନୁଭୂତ ହେଉନି ସେହି ଖୁସି । ଡାକ ସେବା ଏକମାତ୍ର ସେବା ଥିଲା ଯାହା ସଂପର୍କ ଯୋଡ଼ିବାର ଏକ ପ୍ରମୁଖ ମାଧ୍ୟମ ଥିଲା । ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ଭାବରେ ବିବେଚନା କରାଯାଉଥିଲା । ଚିଠି ମାଧ୍ୟମରେ ସମ୍ପର୍କୀୟମାନେ ପରସ୍ପରର ସୁଖ ଏବଂ ଦୁଖରେ ଭାଗ ହେଉଥିଲେ । ଦୂର ଦୂରାନ୍ତରେ ଥାଇ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକ ଆପଣାପଣ ଥିଲା । ଆଜିର ଦୁନିଆରେ ପ୍ରତି ମୁହୂର୍ତ୍ତରେ ଖବର ପହଞ୍ଚିଯାଉଥିଲେ ବି ଚିଠି ସମୟର ସ୍ନେହ, ପ୍ରେମ ଦେଖିବାକୁ ମିଳୁନି । ଏଭଳି ପରିସ୍ଥିତିରେ ଜାତୀୟ ଡାକ ଦିବସ ଆମକୁ ସେହି ପୁରୁଣା ଦିନଗୁଡ଼ିକୁ ମନେ ପକାଇଦିଏ । ତେବେ ଏହାକୁ ଦୃଷ୍ଟିରେ ରଖି ସୋମବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷଠାରେ ଡାକ ବିଭାଗ ତରଫରୁ ଡାକମେଳା ଅନୁଷ୍ଠିତ ହୋଇଯାଇଛି ।ଡାକବିଭାଗର ଡାକସେବା ଅଧୀକ୍ଷକ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସମାଜସେବୀ ହରିଶଙ୍କର ପାତ୍ର, ସହକାରୀ ଡାକସେବା ଅଧୀକ୍ଷକ ସଞ୍ଜୟ ମିଶ୍ର, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ ପ୍ରମୁଖ ଯୋଗଦେଇ ଥିବାବେଳେ ଦେଶର ସବୁଠାରୁ ବିଶ୍ୱସନୀୟ ଯୋଗାଯୋଗ ବ୍ୟବସ୍ଥା ଡାକସେବା ହୋଇଥିବାବେଳେ ଆଧୁନିକତାର ତାଳେ ତାଳେ ଏହାର ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଡ଼ାକ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିବା ସହ ସାଧାରଣ ଲୋକେ ଏହାର ଲାଭ ଉଠାଇବାକୁ ଅଧିକାରୀମାନେ ଆହ୍ୱାନ ଦେଇଥିଲେ । ଏଥିରେ କମର୍ସିଆଲ ପ୍ରବଣ କୁମାର ରାଉତ, ପ୍ରମୋଦ କୁମାର ନାଗଙ୍କ ସମେତ ବିଶ୍ୱନାଥପୁର, ଲାଞ୍ଜିଗଡ଼, ନର୍ଲା ରୋଡ଼ ଉପ ଡାକଘର ଅଞ୍ଚଳର ସମସ୍ତ ଗ୍ରାମୀଣ ଡାକ ସେବକ, ଡାକ ବିଭାଗର କର୍ମକର୍ତ୍ତାଙ୍କ ସମେତ ଏହି ଡାକମେଳାରେ ଅଞ୍ଚଳର ଅନେକ କର୍ମଚାରୀ, ଜନ ପ୍ରତିନିଧି, ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।