ଯୁଦ୍ଧ ଭିତରେ ଆଲୋଚନା ଚାହୁଁଛନ୍ତି ପୁଟିନ, କିଏ କରିବ ମଧ୍ୟସ୍ଥି ?

ଓଡ଼ିଆ ବାର୍ତ୍ତା/ ମସ୍କାେ: ଦକ୍ଷିଣ ୟୁକ୍ରେନର ଖେରସନ ସହରରେ ତିନି ଦିନ ହେଲେ ଗୁଳି ଫୁଟିନ । ବାରୁଦ ଗନ୍ଧ ନାହିଁ । ୟୁକ୍ରେନ ସେନା ସରକାରୀ କାର୍ଯ୍ୟାଳୟରେ ନିଜ ପତାକା ଉଡାଇବା ସହ ଜାତୀୟ ସଂଗୀତ ଗାନ କରୁଥିବା ଭିଡିଓ ଭାଇରାଲ ହେଉଛି । ଏହାରି ଭିତରେ ବିଦେଶୀ ଗଣମାଧ୍ୟମରେ ଗୋଟିଏ ଆଲୋଚନା ହେଉଛି ଯେ ପୁଟିନ କଣ ଚାହୁଁଛନ୍ତି । ଏହା ସତ୍ୟ ଯେ ଯୁଦ୍ଧ ଭିତରେ ପୁଟିନ ଆଲୋଚନା ଚାହୁଁଛନ୍ତି । ତେବେ ଏହି ଦୁଇ ଦେଶକୁ ଆଲୋଚନା ଟେବୁଲକୁ କିଏ ନେବ ତାହାକୁ ନେଇ ଚର୍ଚା ଜାରି ରହିଛି । ଆମେରିକା ମଧ୍ୟ ଋଷର ଏପରି  ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ନେଇ ସ୍ବାଗତ କରିଛି ।  ରୁଷର ସୈନ୍ୟମାନେ ସୀମା ବାହାରକୁ ଚାଲିଯାଇଥିବାରୁ ୟୁରୋପୀୟ ଦେଶମାନେ ନିଶ୍ବାସ ମାରିଛନ୍ତି । ତେବେ କିଛି ଏହାକୁ ଝଡ଼ ପୂର୍ବର ନିରବତା କହୁଥିବା ବେଳେ ଆଉ କିଛି ଏହାକୁ ନେଇ ଆଲୋଚନା କରିବା ପାଇଁ ବାଟ ଖୋଲିଥିବା କହୁଛନ୍ତି । ରୁଷ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ଏବେ ଖେରସନରେ  ୟୁକ୍ରେନ ସୈନ୍ୟ ପହଞ୍ଚିଛନ୍ତି । ସହରରେ ଯେଉଁ କିଛି ଲୋକ ଅଛନ୍ତି ସେମାନେ ୟୁକ୍ରେନ ସୈନ୍ୟଙ୍କୁ ସ୍ବାଗତ କରିବା ସହ ୟୁକ୍ରେନ ପତାକା ଉଡ଼ାଉଥିବା ଦେଖାଯାଉଛି ।

ଗତ ୯ ତାରିଖରେ ଖେରସନରୁ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ରୁଷ ଘୋଷଣା କରିଥିଲା । ତେବେ ସବୁଠୁ ବଡ଼ କଥା ହେଲା ଏହିଭଳି ସମୟରେ ଭାରତ ଆଡ଼େ ସମସ୍ତେ ଇସାରା କରୁଛନ୍ତି । କିଛି ଦେଶ ଖୋଲାଖୋଲି କହୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟସ୍ଥତା ପାଇଁ ଆଗେଇ ଆସନ୍ତୁ । କାରଣ ଦୁଇ ଦେଶ ସହ ଭାରତର ଏପର୍ଯ୍ୟନ୍ତ ଭଲ ସଂପର୍କ ରହିଆସିଛି । ପୁଟିନ ମଧ୍ୟ ମୋଦିଙ୍କୁ ବନ୍ଧୁ ଭାବେ ସମ୍ମାନ ଦିଅନ୍ତି । ପଶ୍ଚିମ ଦେଶଗୁଡ଼ିକର ଭାରତ ପ୍ରତି ଥିବା ମନୋଭାବରେ ଆକାଶ ପାତାଳ ଫରକ ଆସିଛି । ବିଶ୍ବ ରାଜନୀତିରେ ଭାରତର ଦବଦବାକୁ ସମସ୍ତ ଗ୍ରହଣ କରୁଛନ୍ତି । ବିଶେଷ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଙ୍କ ମତ ପଶ୍ଚିମ ଦେଶଗୁଡିକୁ ପ୍ରେରଣା ଯୋଗାଇଛି । ବିଶ୍ବ ବଜାର ବା  ଅର୍ଥନୀତି ପାଇଁ ଏସ ଜୟଶଙ୍କରଙ୍କ ଯୋଜନା କୁ ଗ୍ରହଣ କରିବାକୁ ସମସ୍ତେ ପ୍ରସ୍ତୁତ । ନହେଲେ ଆଗାମୀ ଦିନରେ ବିଶ୍ବ ବଜାରରେ ଆର୍ଥିକ ସଂକଟ ଦେଖାଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଏତେ ବୃଦ୍ଧି ପାଇବ ତାହାକୁ ରୋକିବା ବିକାଶଶୀଳ ଦେଶପାଇଁ ଅସମ୍ଭବ ହୋଇପଡିବ । ବିଶେଷ କରି ତୈଳ ଏବଂ ଖାଦ୍ୟ ବଜାର ଏବେ ଯୁଦ୍ଧ ଉପରେ ନିର୍ଭର କରୁଛି । ଋଷ-ୟୁକ୍ରେନ ଯୁଦ୍ଧ ୟୁରୋପୀୟ ଦେଶମାନଙ୍କର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଉଛି । ଯୁଦ୍ଧ ଯେତେଦିନ ଲାଗି ରହିବ ବିଶ୍ବ ବଜାର ସେତେ ଦିନ ଅସ୍ଥିର ହୋଇପଡିବ । ଏହାର ପ୍ରଭାବକୁ ଋଷ ମଧ୍ୟ ବୁଝିପାରିଛି ।ୟୁକ୍ରେନର ଯେତେ ଅଧିକା କ୍ଷତି ହେବ ତାହା ଋଷର କ୍ଷତି ହେଉଥିବା ପୁଟିନ ବୁଝିଲେଣି ।  କାରଣ ୟୁକ୍ରେନବାସୀ ନିଜର ସ୍ବାଧୀନତା ହରାଇବାକୁ ଚାହୁଁନାହାଁନ୍ତି । ସେପଟେ ଦୁଇଦେଶର ସାଧାରଣ ଲୋକଙ୍କ ମୃତ୍ୟୁ ପାଇଁ ଦୁଇ ଦେଶ ପୁଟିନଙ୍କୁ ଦୋଷ ଦେଉଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଦୁଇଦେଶର ସାଂସ୍କୃତିକ, ସାମାଜିକ ଚଳେଣି ଉପରେ ଏହାର ପ୍ରଭାବ ଅଧିକ ପଡୁଛି । ଯାହାକୁ ନେଇ ପୁଟିନ ଆଲୋଚନାକୁ ଅଧିକ ଗୁରୁତ୍ବ ଦେଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.