ନର୍ଲାରେ ଧାନ କଟା ଯନ୍ତ୍ରର ବହୁଳ ବ୍ୟବହାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳରେ ଧିରେ ଧିରେ ବଢିବାରେ ଲାଗିଛି ଶ୍ରମିକ ସମସ୍ୟା । ଏହାର ସିଧା ସଳଖ ପ୍ରଭାବ ପଡୁଛି ଚାଷ କାର୍ଯ୍ୟ ଉପରେ । ୧୫/୨୦ ବର୍ଷ ଆଗରୁ ଅଞ୍ଚଳର ଚାଷୀ ମାନେ ଶ୍ରମିକ ଲଗେଇ ଚାଷ କାର୍ଯ୍ୟ କରୁଥିଲେ । ଏବେ ଶ୍ରମିକ ସମସ୍ୟା ଯୋଗୁଁ ମେସିନ ଗୁଡିକ ଉପରେ ଭରଷା କରି ଚାଷୀ ଚାଷ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଶ୍ରମିକ, ହଳ ଲଙ୍ଗଳ ବଦଳରେ ଥ୍ରେସର, ହାର୍ଭେଷ୍ଟର ପାୱାର ଟିଲର, ଟ୍ରାକ୍ଟର ଭଳି ଯନ୍ତ୍ର ପାତି ଗୁଡିକ ଚାଷ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଦୃଶ୍ୟମାନ ହେଉଛି । ହଳ ଲଙ୍ଗଳର ବ୍ୟବହାର ତ ଏକ ପ୍ରକାର ବିଲୁପ୍ତ ହୋଇଗଲା କହିଲେ ଅତ୍ୟୁକ୍ତି ହେବନାହିଁ । ବଳଦ ଯୋଖା ଶଗଡ ଗାଡି ଆଉ ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ଦୃଶ୍ୟମାନ ହେଉନାହିଁ । ଚାଷୀ ହଳ ଲଙ୍ଗଳ ବଦଳରେ ଟ୍ରାକ୍ଟର ଓ ପାୱାର ଟିଲରର ବ୍ୟବହାର କାହିଁ ୩୦ ବର୍ଷ ତଳୁ କରି ଆସୁଛନ୍ତି । ହେଲେ ଧାନ କାଟିବା ପାଇଁ ଖଳା କର, ଧାନ କାଟି ଆଣି ଖଳାରେ ଟ୍ରାକ୍ଟର ସାହାଯ୍ୟରେ କିମ୍ବା ଗୋରୁ ସାହାଯ୍ୟରେ ମଳିବା ଭଳି ପ୍ରକ୍ରୀୟା ଚାଲି ଆସୁଥିଲା ଧାନ ଅମଳ ସମୟରେ । ହେଲେ ଏବେ ଗତ ପାଞ୍ଚ ବର୍ଷ ହୋଇ ଗଲାଣି ଥ୍ରେସର ଓ ହାରଭେଷ୍ଟର ଭଳି କୃଷି ଯନ୍ତ୍ର ଧାନ ଅମଳର ମୁଖ୍ୟ ମାଧ୍ୟମ ସାଜିଥିବା ଦେଖିବାକୁ ମିଳୁଛି । ନର୍ଲା ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କାର୍ଯ୍ୟ କରିଥାନ୍ତି । ଏଣୁ ପ୍ରାୟତଃ ଗୋଟିଏ ସମୟ ଅବଧିର ଧାନ ଚାଷ କରାଯାଉଥିବାରୁ ଧାନ ସବୁ ଏକା ସାଙ୍ଗରେ ପାଚି ଯାଉଛି । ଯାହା ଫଳରେ ଗୋଟିଏ ସମୟରେ ଏବଂ ଗୋଟିଏ ସପ୍ତାହ ମଧ୍ୟରେ ଧାନ କାଟିବାକୁ ପଡୁଥିବାରୁ ପର୍ଯ୍ୟାପ୍ତ ଶ୍ରମିକ ଆବଶ୍ୟକତାକୁ ପୁରଣ କରି ନପାରି ଚାଷୀ ବାଧ୍ୟ ହେଉଛି ଥ୍ରେସର ଓ ପାୱାର ଟିଲରରେ ଧାନ ମଳିବା ପାଇଁ । ହାରଭେଷ୍ଟର ଓ ଥ୍ରେସରରେ ଧାନ ମଳିଲେ ପାଳ ସବୁ ଗୁଣ୍ଡ ହୋଇ ଯାଉଥିବାରୁ ଗୋରୁଙ୍କ ପାଇଁ ପାଳ ଟିକେ ମିଳି ପାରୁନି । ଯାହା ଫଳରେ ଚାଷୀ ଆଉ ଗାଇ, ଗୋରୁ ରଖିବା ପାଇଁ ମଧ୍ୟ ମଙ୍ଗୁ ନାହାନ୍ତି । ନର୍ଲା ଅଞ୍ଚଳରେ ଚାଷ କାର୍ଯ୍ୟ ପାଇଁ ଜଳସେଚନର ବ୍ୟବସ୍ଥା ନଥିବାରୁ କେବଳ ଗୋଟିଏ ଖରିଫ୍ ସିଜନ ରେ ହିଁ ଚାଷ ହୋଇଥାଏ । ଏହି ସମୟ ତକ ପାଖାପାଖି ତିନିମାସ ପରେ ଅଞ୍ଚଳର ଶ୍ରମିକ ମାନଙ୍କୁ ମଧ୍ୟ ଆଉ କାମ ମିଳିପରୁ ନାହିଁ । ଫଳ ସ୍ୱରୁପ ଶ୍ରମିକ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଛନ୍ତି । ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକ ମାନେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆସିଥାନ୍ତି । ନୂଆଖାଇ ସରିଗଲେ ପୁଣି ଦାଦନ ଖଟିବା ପାଇଁ ବାହାର ରାଜ୍ୟ ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ଚାଲିଯାଇଥାନ୍ତି । ଏବେ ଧାନ ଅମଳର ସିଜନ ଚାଲିଛି । ଏଇ ସପ୍ତାହେ କିମ୍ବା ୧୦ ଦିନ ମଧ୍ୟରେ ଛୋଟ ଓ ମଧ୍ୟମ ସମୟ ଅବଧିର ଧାନ ଅମଳ ସରିଯିବ । ଅଧିକ ସମୟ ଅବଧିର ଧାନ ମାତ୍ର ୧୦ ପ୍ରତିଶତ ୧୫ ରୁ ୨୦ ଦିନ ପରେ ଅମଳ କରାଯିବ । ଆସନ୍ତା ୨୫ ରୁ ପ୍ୟାକ୍ସ ଗୁଡିକ ମାଧ୍ୟମରେ ଧାନ ସଂଗ୍ରହ କରିବେ ସରକାର । ଏବେ ନର୍ଲା ଅଞ୍ଚଳର ଚାଷୀ ବିଲ ଗୁଡିକରେ ହାର୍ଭେଷ୍ଟର ସବୁ ଲଗେଇ ଦିନରାତି ଧାନ କାଟୁଥିବା ଦେଖିବାକୁ ମିଳୁଛି । ଧାନ ସଂଗ୍ରହ ତ ସୁବିଧାରେ ହୋଇଯାଉଛି । ଚାଷୀକୁ ନା ଖଳା କରିବାକୁ ପଡୁଛି ନା ପାଳ ସଂଗ୍ରହର ଝନଝଟ । ଚାଷୀ ମେସିନ ଗୁଡିକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.