କଳାହାଣ୍ଡି,୧୪/୪: ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ (ପିପଲପଡା) ଟାଙ୍ଗରି ଡଙ୍ଗର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାର ଦିନ ସକାଳେ ଗ୍ରାମ ପୋଖରୀରୁ ଦେବୀଙ୍କ ପୂଜାସ୍ଥଳୀ ପର୍ଯ୍ୟନ୍ତ ବୀରବାଦ୍ୟର ତାଳେ ତାଳେ ଦୀର୍ଘ ଚାରିକିଲୋମିଟର ବ୍ୟାପି କଳସଯାତ୍ରା ପରେ ପୂଜାରମ୍ଭ ହୋଇଥିଲା। ଏଥିରେ ପୂଜକ ଭାବେ ରାମଚନ୍ଦ୍ର ପଟ୍ଟନାୟକ, କର୍ତ୍ତା ଭାବେ ସୁଦାମ ଗୌଡ଼ ଓ ସେବତୀ ଗୌଡ଼ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରବଳ ଝାଂଜି ଓ ଖରା ସତ୍ତ୍ୱେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଦିନ ତମାମ ଲାଗି ରହିଥିଲା। ରାତିରେ ବଲାଙ୍ଗୀର ଖଲିଆପାଲିର ଲୋକକଳା ମହିଳା ଦଣ୍ଡନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏଥିରେ ପାଖାପାଖି ପାଞ୍ଚ ହଜାର ଲୋକଙ୍କ ଜନସମାଗମ ହୋଇଥିଲା। ଦୀର୍ଘ ଏଗାର ବର୍ଷ ଧରି ଚାଲିଆସୁଥିବା ଏହି ପୂଜାକୁ ପ୍ରଥମେ ସ୍ବର୍ଗତ ଚକ୍ରଧର ଗୌଡ଼ ଆରମ୍ଭ କରିଥିଲେ। ସେବେଠୁ ଧୁମଧାମରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଆଜି ସନ୍ଧ୍ୟାରେ ପଣାଭୋଗ ବଣ୍ଟନପରେ ରାତିରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ବୋଲି କହନ୍ତି ପୂଜା କମିଟି ସଦସ୍ୟ ଭାଗିରଥି ଗୌଡ଼।