ମଧ୍ୟାହ୍ନ ଭୋଜନ ପାଚିକାଙ୍କ ଦୁଃଖ

ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି। ବିଦ୍ୟାଳୟରେ ପାଠ ହେଉ କି ନହେଉ, ଧିରେଧିରେ ଚମକି ଉଠୁଛି ସ୍କୁଲ ପରିବେଶ। ବିଦ୍ୟାଳୟର କୋଠା, ପାଚେରୀ ଠାରୁ ଆରମ୍ଭ ହୋଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ ହେଉଛି। ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀମାନଙ୍କ ପାଇଁ ପୋଷାକ, ଜୋତା, ପୁସ୍ତକ ଠାରୁ ଆରମ୍ଭ କରି ବୃତ୍ତି, ଭତ୍ତା, ସାଇକେଲ ଆଦି ଯୋଗାଇ ଦିଆଯାଉଛି। ଏହାସହ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଅଭିବୃଦ୍ଧି ପାଇଁ ସୁରଭି, କଳା ଉତ୍ସବ, ବିଜ୍ଞାନମେଳା ପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ପୂର୍ବପେକ୍ଷା ଶିକ୍ଷକମାନଙ୍କ ଦରମା ବହୁଗୁଣିତ ହୋଇଛି। ତେବେ ଏଥିପାଇଁ ଶିକ୍ଷକ ମାନଙ୍କୁ କମ୍ କସରତ କରିବାକୁ ପଡ଼ିନାହିଁ। ଆନ୍ଦୋଳନ ପରେ ଆନ୍ଦୋଳନ ହୋଇଛି। ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ। ସମୟ ଏପରି ଥିଲା, ଶିକ୍ଷକମାନେ ପୋଲିସ ପାଖରୁ ଲାଠିମାଡ଼ ଖାଇଛନ୍ତି। ଶିକ୍ଷୟିତ୍ରୀମାନେ ରାଜରାସ୍ତାରେ ଶୀତ କାକରରେ ପଡ଼ିରହି ମାଣବସା ଗୁରୁବାର ପାଳନ କରିଛନ୍ତି। ଏବେ ବି ନିଜ ହକ୍ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି ପ୍ରାଥମିକ, ଏକ୍ସକେଡର୍, ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ବର୍ଗର ଶିକ୍ଷକ।

ପ୍ରାଥମିକ ଶିକ୍ଷା ପ୍ରତି ଅବିଭାବକ ଓ ଶିଶୁମାନଙ୍କୁ ଆକର୍ଷିତ କରିବା ପାଇଁ ଶିକ୍ଷା ବିଭାଗ ଅନେକ ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି। ଏଥିମଧ୍ୟରୁ ମଧ୍ୟାହ୍ନ ଭୋଜନ ଏକ ଉତ୍ତମ ଯୋଜନା। ପ୍ରତିଦିନ ସରକାରଙ୍କ ଦ୍ବାରା ପ୍ରଦତ୍ତ ସାମଗ୍ରୀରେ ଏହା ରୋଷେଇ ହୋଇ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ସମୟରେ ପରଷା ଯାଇଥାଏ। ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଏହି ମଧ୍ୟାହ୍ନ ଭୋଜନର ରୋଷେଇ କରିଥାନ୍ତି ପାଚିକା ଏବଂ ସହାୟିକା। ଏମାନେ ବିଦ୍ୟାଳୟ ଖୋଲା ରହୁଥିବା ସମସ୍ତ ଦିନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଶିଶୁମାନଙ୍କୁ ନିଜ ପୁଅଝିଅ ପରି ଖୁଆଇଥାନ୍ତି। ବିଭିନ୍ନ ସରକାରୀ ବିଦ୍ୟାଳୟରେ ସକାଳ ୧୦ଟାରୁ ନେଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପାଚିକା ଓ ସହାୟିକା ଭଉଣୀମାନେ କାମ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଏମାନେ ରୋଷେଇ କରି ଖାଦ୍ୟ ଦେବା ସହ ସ୍କୁଲର ଅନ୍ୟାନ୍ୟ କାମରେ ମଧ୍ୟ ସହଯୋଗ କରୁଛନ୍ତି। ୨୦୦୪ ମସିହାରେ ସରକାର ପାଚିକା ଓ ସହାୟିକା ମାନଙ୍କୁ ୧୦୦ଟଙ୍କା ବେତନ ଦେଇ ନିଯୁକ୍ତ ଦେଇଥିଲେ। ବର୍ତ୍ତମାନ ମାସିକ ୧୪୦୦ ଟଙ୍କା ମିଳୁଥିବା ବେଳେ ସମାନ କାମକୁ ସମାନ ଦରମା ଓ ସର୍ବନିମ୍ନ ମଜୁରି ପ୍ରଦାନ ପାଇଁ ଦାବି କରିଛନ୍ତି ପାଚିକା ଓ ସହାୟିକା ସଂଘ। ପ୍ରାଥମିକ ଶିକ୍ଷା ପାଇଁ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ଶିକ୍ଷକ ଓ ଶିକ୍ଷା ବିଭାଗ କର୍ମଚାରୀମାନଙ୍କ ଦରମା ବଢ଼ଛି । କିନ୍ତୁ ବୈମାତୃକତାର ଶିକାର ହୋଇଛନ୍ତି ପାଚିକାମାନେ। ସରକାରଙ୍କ ଦ୍ବାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଦୈଦିନ ମଜୁରୀ ପାଇଲେ ମଧ୍ୟ ଏମାନେ ସନ୍ତୁଷ୍ଟ ହୁଅନ୍ତେ, ସେତିକି ମଧ୍ୟ ହୋଇ ପାରୁନାହିଁ। ସରକାର ଏମାନଙ୍କ ଗୁହାରି ନଶୁଣିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ କଥା।

ପାଚିକା ଓ ସହାୟିକାମାନେ ବିଦ୍ୟାଳୟରେ ରୋଷେଇ କରିବା ଭିତରେ ସେମାନଙ୍କ ଦିନ ସରି ଯାଇଥାଏ। ସେମାନେ ଆଉ ଅନ୍ୟକାମ କିମ୍ବା ମୂଲ ଲାଗି ପାରନ୍ତି ନାହିଁ। ଏପଟେ ସରକାର ଦେଉଛନ୍ତି ମାସିକ ମାତ୍ର ୧୪୦୦ ଟଙ୍କା ଦରମା। ହିସାବ କଲେ ଏମାନେ ଦିନପିଛା ପାଉଛନ୍ତି ମାତ୍ର ଟ ୪୬.୬୬ ପଇସା। ଏହା ରାଜ୍ୟ ସରକାରଙ୍କ କେଉଁ ପ୍ରକାରର ମାନଦଣ୍ଡ, ତାହା ବୁଝିବା କଷ୍ଟ। ଜଣେ ମହିଳା ଦିନକୁ ୪୬ଟଙ୍କା ରୋଜଗାର କଲେ କିପରି ପରିବାର ପ୍ରତିପୋଷଣ କରିବେ? ଯେଉଁମାନେ ବିଦ୍ୟାଳୟରେ ପାଚିକା ଭାବେ ନିଯୁକ୍ତ ହୋଇଛନ୍ତି ସେମାନେ ସମସ୍ତେ ଅତି ଗରିବ ଶ୍ରେଣୀର। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସହାୟ ମହିଳା। ଏହି ମହିଳାମାନଙ୍କ ରୋଜଗାର ଉପରେ ତାଙ୍କ ପରିବାର ନିର୍ଭରଶୀଳ। ସରକାର ବୁଝିବା କଥା, ଆଜିର ମହଙ୍ଗା ସମୟରେ ଦୈଦିନ ଏତେ କମ୍ ଟଙ୍କାରେ କିପରି ଜଣେ ପାଚିକା କାମ କରିବ! ବିଦ୍ୟାଳୟର ଶହ ଶହ ପିଲାଙ୍କ ପାଇଁ ରୋଷେଇ କରି ଦେବା ମଧ୍ୟ ଏତେ ସହଜ କାମ ନୁହଁ। ଏଥିପାଇଁ ପାଚିକାମାନେ ଅନେକ ପରିଶ୍ରମ କରିଥାନ୍ତି। ଏମାନଙ୍କ କାମ ଭିତରେ ଲୁଚି ରହିଥାଏ ଅଗଣିତ ଶିଶୁମାନଙ୍କ ପାଇଁ ଭଲପାଇବାର ଏକ ବିଶାଳ ହୃଦୟ। ଏପଟେ ସମାନ କାମକୁ ସମାନ ଦରମା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ଓ ସହାୟିକା ସଂଘ। ଦିନକୁ ଦିନ ଏମାନଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ନବୀନ ସରକାର ମା’କୁ ସମ୍ମାନ କଥା କହିବା ସହ ନାରୀ ସଶକ୍ତିକରଣ ପାଇଁ ଯୋଜନା ପରେ ଯୋଜନା ଗଢ଼ି ଚାଲିଛନ୍ତି। ତେଣୁ ଆଶା କରାଯାଇପାରେ ଯେ, ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଶ୍ଚୟ ବିଦ୍ୟାଳୟର ପାଚିକା ଓ ସହାୟିକାଙ୍କ ଦୁଃଖ ବୁଝିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.