ଓଡ଼ିଆ ବାର୍ତ୍ତା/ ନ୍ୟୁୟର୍କ: ଏଲନ ମସ୍କ ନିକଟରେ ଏକ ପୋଲ ଟୁଇଟ କରିଛନ୍ତି । ସେ ଟୁଇଟର ସିଇଓ ପଦରେ ରହିବା ଉଚିତ କି ନୁହେଁ ତାହାର ନିଷ୍ପତ୍ତି ନେବାକୁ ସେ ୟୁଜର୍ସଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି । ସେ ଏକଥା ବି ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ପୋଲରେ ଯାହା ପରିଣାମ ଆସିବ ସେ ତାହାର ପାଳନ କରିବେ । ଟୁଇଟରରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ଆଉ କେତେକ ବିବାଦୀୟ ବ୍ୟକ୍ତିତ୍ୱ ତଥା ସଂଗଠନ ଉପରୁ କଟକଣା ହଟାଇବା ପରେ ଚର୍ଚ୍ଚାକୁ ଆସିଥିଲେ ମସ୍କ । ମସ୍କ ପ୍ରଥମରୁ କହିଥିଲେ, ଟୁଇଟର ସିଇଓ ପଦରେ ସେ ବେଶୀ ସମୟ କାମ କରିବାକୁ ଚାହାନ୍ତି ନାହିଁ । ତେଣୁ ମସ୍କ ଟୁଇଟର ଦାୟିତ୍ୱ ଆଉ କାହାକୁ ହସ୍ତାନ୍ତର କରିପାରନ୍ତି ବୋଲି ତାଙ୍କର ଏହି କଥାରୁ ଅନୁମାନ କରାଯାଉଥିଲା । ଏବେ ମସ୍କ ଏକାଧିକ ସଂସ୍ଥା ଯେମିତି ଟେସଲା ଇଙ୍କ, ସ୍ପେସଏକ୍ସ, ଦ ବୋରିଂ କମ୍ପାନୀ, ନ୍ୟୁରାଲିଙ୍କ ଏବଂ ମସ୍କ ଫାଉଣ୍ଡେସନର ସିଇଓ ଅଛନ୍ତି । ତେଣୁ ଏସବୁ ଭିତରେ ସେ ଅନ୍ୟସବୁ କମ୍ପାନୀକୁ ଅଣଦେଖା କରୁଛନ୍ତି ବୋଲି ଆଲୋଚନା ହେଉଥିଲା ।