ସ୍ମୃତିରେ ୨୦୨୨: ପାର୍ବଣ ସହ ଲୋକକଳାର ମହକ

କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ

ମ.ରାମପୁର ନିକଟସ୍ଥ କୁଶୁଲାପୁଂଜାଠାରେ ରାଜ୍ୟ ସ୍ତରୀୟ କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ ୪ଦିନ ଧରି ଅନୁଷ୍ଠିତ ହୋଇଥିଲା। ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ତଥା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ଦିନଗୁଡ଼ିକରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇଥିଲେ ।ଏହି ଅବସରରେ ବିଭିନ୍ନ ଅଂଚଳର ଶିଳ୍ପୀ, କଳାକାର ମାନଙ୍କ ଦ୍ବାରା ବଜାଶାଲ, ଘୁମୁରା, ଘୁଡ଼ୁକା, ସୁର ଝଙ୍କାର, ଟୁକେଲ ଦଣ୍ଡ, ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।

Udyog Nursery
Udyogi Nursery

କୁମାରସ୍ବାମୀ ମହୋତ୍ସବ

ଦେବଗିରିରୁ ଆବିଷ୍କୃତ କୁମାର କାର୍ତ୍ତିକେୟଙ୍କ ମୂର୍ତ୍ତିକୁ ଆଧାରକରି ଦୀର୍ଘ ୩୨ ବର୍ଷ ଧରି ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ପାଳିତ ହେଉଛି କୁମାରସ୍ବାମୀ ମହୋତ୍ସବ। ଚଳିତ ବର୍ଷ ଏଥିରେ କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ରାୟଗଡ଼ା, ସମ୍ବଲପୁର ଆଦି ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ବ କଳାକାର ଯୋଗଦେଇ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ତିନି ଦିନ ଧରି ଆୟୋଜିତ ଏହି ରାଜ୍ୟସ୍ତରୀୟ ମହୋତ୍ସବରେ ବଜାଶାଲ୍, ଘୁମୁରା, ବନାବାଡି, ଘଣ୍ଟବାଦ୍ୟ, ଖଞ୍ଜଣୀ, ସଂକିର୍ତ୍ତନ, ଛଡରଶ, ସଂଚାର ଆଦି ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଥିଲା।

କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳସଚିବ ଡ଼ଃ ନୃପରାଜ ସାହୁ, ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ ଓ ସ୍ବାଧିନ ପାତ୍ର, ଯୁବ ଲେଖକ ଡିଲେଶ୍ବର ରଣା ଆଦି ଅନେକ ବିଶିଷ୍ଟ ବ୍ୟକ୍ତି ଏଥିରେ ସମ୍ବର୍ଦ୍ଧିତ ହୋଇଥିଲେ। ବିଭିନ୍ନ ଦିବସରେ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ନୃପରାଜ ସାହୁ,

ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଶିଳ୍ଲପତି ଧିରେନ୍ଦ୍ର ଖେତାନ, ସୁମିତ ଅଗ୍ରୱାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଆଇନଜୀବୀ କୁବେର ସାହୁ, ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇଥିଲେ। କୁମାରସ୍ବାମୀ ମହୋତ୍ସବ ୩ଦିନ ଧରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା।

କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼

ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନୀ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦେଇ ଦର୍ଶକଙ୍କ ମନମୋହିଥିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର। କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଶୋଇ, ଏବଂ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କନ୍ଧମାଳର ସର୍ବ ପୁରାତନ ଲୋକକଳା ଡାକୁଲ ନୃତ୍ୟ ବରଗଡ଼ରେ ପହଂଚି ଏକ କୋଡିଏ ଜଣିଆ ଟିମ ଦ୍ୱାରା ପରିବେଷଣ କରିଥିଲେ।

ବରଗଡ଼ ଧନୁଯାତ୍ରାର ସାଂସ୍କୃତିକ ଶୋଭାଯାତ୍ରାରେ ଏହି ଡାକୁଲ ନୃତ୍ୟକୁକୁ ଅଞ୍ଚଳର ଯୁବକ ଯୁବତୀ ଅଫିସର ମନଭରି ଉପଭୋଗ କରିଥିଲେ। ଆଦିମ ଅଧିବାସୀଙ୍କ ବେଶଭୁଷା କଳା ନୈପୁଣ ଏବଂ ନୃତ୍ୟକୁ ଜୀବନ୍ତ କରିବାରେ ସକ୍ଷମ ହୋଇଥିଲେ। ଏହି କଳା ସଂଗଠନ ଲୋକକଳା ଲୋକ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ସୁଯୋଗ ଦେଉଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଆମପାଣି ବୁଢାରଜାଙ୍କ ପ୍ରସିଦ୍ଧ ଦଶରା ମହୋତ୍ସବ

କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା ଆରଧ୍ୟ ଦେବତା ବୁଢାରଜାଙ୍କ ବାର୍ଷିକ ଦଶରା ଏବର୍ଷ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଦେବତାଙ୍କ ପାଖରେ ପାରମ୍ପରିକ ରିତିନିତି ଅନୁକ୍ରମେ ପୂଜାର୍ଚ୍ଚନା ପରେ ଏକ ବିରାଟ ଲାଠି ଯାତ୍ରା ପୁଜକଙ୍କ ଘରୁ ବାହାରି ବୁଢାରଜା ମନ୍ଦିରରେ ପହଞ୍ଚିଥିଲା। ଲାଠି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ଦେବାଦେବୀଙ୍କ ଲାଠି, କାଳିଶି, ଭବାନୀପାଟଣାର ଆଦିଶକ୍ତି ନିଶାନ ଦଳ, କୋକସରା କାଲେଶ୍ବର ଘଣ୍ଟଦଳ, ସୁନାମାଲର ଖୋଟଲା ନାଚ ଭଲି ବିଭିନ୍ନ ଲୋକନୃତ୍ୟ ଦଳ ସାମିଲ ହୋଇଥିଲେ।

ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜର ନୃତ୍ୟ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକୁ ବିମୋହିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ବୁଢ଼ାଡଙ୍ଗର ଲୋକ ମହୋତ୍ସବ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗାର ମିଳିତ ଆନୁକୂଲ୍ୟରେ ‘ଦେଶଜ’ଲୋକ ସଙ୍ଗୀତ ଓ ଲୋକ ନୃତ୍ୟ ଉତ୍ସବ ଏବଂ ୨୭ତମ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଥିଲା।  ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ସଂସ୍କୃତି ବିଭାଗରୁ ଯୋଗଦେଇଥିବା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ବଜାସାଲ, ଆସାମର ବିହୁ ଓ ଝୁମେର୍, ଗଞ୍ଜାମର ଯୋଡ଼ି ଶଙ୍ଖ, ଢ଼ାପ୍, ଘୁମରା ଓ ସମ୍ବଲପୁରୀ ଅର୍କେଷ୍ଟାରେ ମଞ୍ଚ ଦୁଲୁକିଥିଲା।

ଆଦିବାସୀ ସାଂସ୍କୃତିକ ସମାରୋହ

 ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଗୋଷ୍ଠୀର ଝିଅମାନଙ୍କୁ ନେଇ ଅପ୍ରେଲ ୧୭ରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୋରାପୁଟ ସ୍ଥିତ ଆଦିବାସୀ ସଂଗ୍ରହାଳୟ ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ କୋୟା, ଡଙ୍ଗରିଆ କନ୍ଧ, ପରଜା, ଦୁରୁଆ ଓ ଭୂମିଆ ସମ୍ପ୍ରଦାୟର କନ୍ୟାମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଉତ୍ତମ ପ୍ରଦର୍ଶନ କରିଥିବା ଝିଅମାନଙ୍କୁ ଶାବରୀ ସୁକନ୍ୟା ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା । 

ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟର ସାଇବାନୀ ୱାଡେକା, ଭୂମିଆ ଢେମସା ସମ୍ପ୍ରଦାୟର ସୁଜୟନ୍ତୀ ବାଲିଆ, ଦୁରୁଆ ସମ୍ପ୍ରଦାୟର ଭଗବତୀ ଦୁରୁଆ, ପରଜା ସମ୍ପ୍ରଦାୟର ହୀରା ମାଝୀ, କୋୟା ସମ୍ପ୍ରଦାୟର ଜିମେ କାବାସୀ ପ୍ରମୁଖଙ୍କୁ କୋରାପୁଟ ଆଦିବାସୀ ସଂଗ୍ରହାଳୟ ଖୋଲାମଞ୍ଚରେ ଶାବରୀ ସୁକନ୍ୟା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବଜାସାଲରେ ଦୁଲ୍‌କିଲା ପ୍ରଗତି ମଇଦାନ

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ନୂଆଦିଲ୍ଲୀସ୍ଥ ପ୍ରଗତି ମଇଦାନର ଆମ୍ଫି ଥିଏଟର୍ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ଯୋଗଦେଇଥିଲେ। 

‘ଓଡ଼ିଶା ରିଭ୍ୟୁ’ ଓ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦିକା କସ୍ତୁରୀ ମହାପାତ୍ର ଏବଂ ଓଡ଼ିଶା ଟୁରିଜିମ୍ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ ଲେଲିନ ମହାନ୍ତି ସମ୍ମାନିତ ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଓଡ଼ିଶା ଦିବସକୁ ଶୁଭଉଦ୍‌ଘାଟନ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଡାଲଖାଇ, ବଜାଶାଲିଆ ଏବଂ ଆଧୁନିକ ଗୀତ ନୃତ୍ୟ ପରିବେଷଣ ହୋଇଥିଲା। ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣାର କଳାକାରମାନେ ବଜାଶାଲିଆ ଲୋକନୃତ୍ୟ ପରିବେଷଣ କରିଥିଲେ। ଦର୍ଶକରେ ଭରପୁର ଆମ୍ଫି ଥିଏଟର୍ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବଜାଶାଲିଆ ନୃତ୍ୟଟେ ଦେଖିବାକୁ ମିଳିଲା ବୋଲି ଓ ଉଚ୍ଚ ପ୍ରଶଂସିତ ହେଲା।

ଦୁଲ୍‌କିଲା ପ୍ରଗତି ମଇଦାନର ଆମ୍ଫି ଥିଏଟର୍। କରତାଳି ଉପରେ କରତାଳି ଏହି ବଜାଶାଲିଆ ନୃତ୍ୟକୁ ନେଇ। ଏହି ବଜାଶାଲିଆ ନୃତ୍ୟ ଦଳରେ ଥିଲେ ପ୍ରଦୀପ କୁମାର ସିଂହ, ପବିତ୍ର ଗହୀର, ସାନ ପରାଭୋଏ, ରଥାଙ୍କ ନାଏକ, ସୁଶାନ୍ତ ସିଂହ, ରାଜେନ୍ଦ୍ର ସିଂହ, ଜଗଦିଶ ଗଉଡ଼, କ୍ଷୀରସିନ୍ଧୁ ନାଏକ, ହେମନ୍ତ ବେହେରା, ମଦନ ପୋଢ଼, ପିଙ୍କୁଳୁ କୈବର୍ତ୍ତ, ବିଷ୍ଣୁ ସେନାପତି, ସଂଜୀବ କୁମାର ସିଂହ, ସଂଜୟ କୁମାର ଓ ଗିରିଜା ଶଙ୍କର ବାବୁ। ମହାବୀର ସାସ୍କୃତିକ ଅନୁଷ୍ଠାନର ବଜାଶାଲିଆ ନୃତ୍ୟର ନେତୃତ୍ୱ ନେଇଥିଲେ ଜୟନ୍ତ କୁମାର ବେହେରା ଓ ତତ୍ତ୍ୱାବଧାନ କରିଥିଲେ ସତ୍ୟନାରାୟଣ ସିଂହ।

ଅଏଁଲାପାଲି ଗିରି ଗୋବର୍ଦ୍ଧନ ପୂଜାରେ କଂସ ଦରବାର 

କଳାହାଣ୍ଡ ଜିଲ୍ଲା ମ.ରାମପୁର ନିକଟସ୍ଥ ଅଏଁଲାପାଲି କେନାଲ୍ ଛକଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଚାଲିଥିଲା କଂସ ଦରବାର । ଦୀର୍ଘ ପାଂଚ ଦିନ ଧରି ଚାଲିଥିବା କଂସ ଦରବାର କାର୍ଯ୍ୟକ୍ରମରେ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଏବଂ ତାଙ୍କରି ଦଳର କଳାକାରଙ୍କ ଜୀବନ୍ତ ତଥା ନିଖୁଣ ଅଭିନୟରେ ଭରପୁର ମଜା ଉଠାଉଥିଲେ ହଜାର ହଜାର ଦର୍ଶକ ।

ବିଭିନ୍ନ ଦିବସରେ ଅତିଥିଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ସେଠ, ଅନିରୁଦ୍ଧ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ନର୍ଲା ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ମ.ରାମପୁର ଓଳିଲ ସଂଘ ସଭାପତି ଜୟ କୁମାର ସିଂଦେଓ, ସଂପାଦକ ଯତିନ କୁମାର ସାହୁ ପ୍ରମୁଖ ଅତିଥିଭାବରେ ଯୋଗଦେଇଥିଲେ ।

ଶେଷ ରାତିରେ କଂସ ଦରବାରରେ ଅତିଥିଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନୀତ ଅତିଥିଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳ ସଚିବ ଡ଼ ନୃପରାଜ ସାହୁ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ମ.ରାମପୁର ବ୍ଳକ ବିଜେଡ଼ି ସଭାପତି ଗୋବିନ୍ଦ ଶତପଥୀ, ସମାଜସେବୀ ବିକାଶ ରଂଜନ ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । 

ଡମ୍ ବଜା ଓ ଯାଦବ ସେବାୟତଙ୍କ ଗହଣରେ ଦଧିବାମନ

ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠ ଠାରେ ଦଧିବାମନ ଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଏବର୍ଷ ମଧ୍ୟ ପାରମ୍ପରିକ ରିତି ନିତି ଅନୁସାରେ ସମ୍ପନ୍ନ ହୋଇଥିଲା। ପୂର୍ବ ପରମ୍ପରା ଅନୁଯାୟୀ ରଥଯାତ୍ରାରେ ଯାଦବ ସେବାୟତ ମହାପ୍ରଭୁଙ୍କ ଛେରାପହରା ଓ ସଂପୂର୍ଣ୍ଣ ନିତି ସଂପାଦନ କରିଥିବାବେଳେ ଡମ୍ ବଜାର ତାଳେ ତାଳେ ପହଣ୍ଡି ବିଜେ କରି ରଥାରୂଢ଼ ହୋଇଥିଲେ ଦଧିବାମନ।

ଦେବଗରି ରଥଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଡମ୍ ବଜା। ଡମ୍ ବଜା ନହେଲେ ପାହୁଣ୍ଡେ ଆଗାନ୍ତିନାହିଁ ମହାପ୍ରଭୁ ଦଧିବାମନ। ଏହାସହ ଘଣ୍ଟ ବାଦ୍ୟ ଓ ସଂକିର୍ତ୍ତନ୍ୟ ମଧ୍ୟ ପରିବେଷଣ କରାଯାଇଥାଏ ତେବେ କେଉଁ ଏକ ସ୍ମରଣାତିତ କାଳରୁ ପ୍ରଚଳିତ ହୋଇ ଆସିଥିବା ଡମ୍ ବଜା ଦେବଗିରି ରଥଯାତ୍ରାର ମହାନ ବିଭବ ଭାବେ ପରିଗଣିତ ହୋଇ ଆସିଛି।

ନୂଆଖାଇ ଭେଟଘାଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ 

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ଗାଁର  କପିଳେଶ୍ଵର ଯୁବକ ସଂଘ ତରଫରୁ ଆୟୋଜିତ ନୂଆଁଖାଇ ଭେଟଘାଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କପିଳେଶ୍ବର ଯୁବକ ସଂଘର ସଭାପତି ତୁଳାଚନ୍ଦ୍ର ପୋଡଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ,

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତି, ମୁଖ୍ଯ ବକ୍ତା ଭାବେ କଣ୍ଟାବାଞ୍ଜି ମହାବିଦ୍ୟାଳୟର ଅଧ୍ୟାପକ ରୋହିତ କୁମ୍ଭାର, ବଙ୍ଗୋମୁଣ୍ଡା ବ୍ଳକ ବିଜେଡି ସଭାପତି ରାଧେଶ୍ୟାମ କେତକୀ ପ୍ରମୁଖ ମଞ୍ଚାସୀନ ରହି  ନୂଆଖାଇ ପର୍ବ ସହ ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋକପାତ କରିଥିଲେ। 

ମାଣିକେଶ୍ଵରୀଙ୍କ ଛତରଯାତ୍ରା

କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ଏବର୍ଷ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। ଘୁମୁରା, ଘଣ୍ଟ, ଗଣାବଜା ଓ ବିଭିନ୍ନ ବାଦ୍ୟନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଭବାନୀପାଟଣା ସହର। ବର୍ଷକୁଥରେ ମାଁ ମାଣିକେଶ୍ବରୀ ଛତର ବିଜୟ ଯାତ୍ରା ମାଧ୍ୟମରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଦେବୀଙ୍କ ପ୍ରତିକ ଛତରକୁ ଦର୍ଶନ କରିବାକୁ ଛୁଟିଥାଏ ଜନ ସମୁଦ୍ର ।

ମାଣିକେଶ୍ବରୀଙ୍କ ଛତର ଯାତ୍ରାର ସାଂସ୍କୃତିକ ବିଭବ ଏହାର ଗାରିମାକୁ ଅଧିକ ରୁଦ୍ଧିମନ୍ତ କରି ଗଢି ତୋଳିଥାଏ। ବିଭିନ୍ନ ବେଷ ପୋଷାକରେ ତଥା ବିଚିତ୍ର ଭଙ୍ଗିରେ ସଜ୍ଜିତ ହୋଇ କଳାକାର ମାନେ ଦର୍ଶକଙ୍କ ଚିତ୍ତ ହରଣ କରିବାରେ ସକ୍ଷମ ହୋଇଥାନ୍ତି।

ବାସେଳୀ ଦେବୀଙ୍କ ଚ଼ଇତି ପର୍ବ

ଜଟଣୀ ବ୍ଲକ ଅନ୍ତର୍ଗତ ଯାଁଳା ପଞ୍ଚାୟତର ଓଗାଳପଡ଼ା ଗ୍ରାମର ମା’ ବାସେଳୀ ଦେବୀଙ୍କ ଚ଼ଇତି ପର୍ବ ବଡ଼ ଧୁମଧାମରେ ପାଳିତ ହୋଇଥିଲା। ମା’ ବାସେଳୀ ଦେବୀଙ୍କ ଏହି ପର୍ବ ପ୍ରତିବର୍ଷ ଭଳି ଚ଼ଳିତ ବର୍ଷ ମଧ୍ୟ ଚ଼ୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ବୈଶାଖ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ପାଳିତ ହୋଇଥିଲା। ଏକ ମାସ ଧରି ଦେବୀ ବାସେଳୀ ସାଂସ୍କୃତିକ ବିଭବ ସହ ଓଗାଳପଡ଼ା ଗ୍ରାମ ସହିତ ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥିଲେ। 

ଦଣ୍ଡପାଟ ଧନୁଯାତ୍ରା

ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଠାରେ ଆୟୋଜିତ ଦଣ୍ଡପାଟ ଧନୁଯାତ୍ରା ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇ ଦେବାରେ ସମର୍ଥ ହୋଇଛି। ସପ୍ତାହବ୍ୟାପୀ ଆୟୋଜିତ ଉକ୍ତ ମହୋତ୍ସବରେ ଗଣାବଜା, ଘୁମୁରା, ଘଣ୍ଟଦଳ ସହ ବିଭିନ୍ନ ଲୋକକଳା ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ଦେଖିବା ପାଇଁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା।

ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ 

ଗଞ୍ଜାମ ଜ଼ିଲ୍ଲା ବରିଷ୍ଠ କଳାକାର ସଂଘର ତୃତୀୟ ବାର୍ଷିକ ଉତ୍ସବରେ ଆୟୋଜିତ ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀରେ କନ୍ଧମାଳ ଦଣ୍ଡନାଟ କୃତିତ୍ୱ ହାସଲ କରିପାରିଛି । ବାଲିଗୁଡା ବ୍ଲକ ବାରଖମାର ଯୁବ କଳାକାର ସଚିଦାନନ୍ଦ ପାତ୍ରଙ୍କ ନେତୃତ୍ୱରେ ମା’ ସୂର୍ଯ୍ୟକାଳୀ ଦଣ୍ଡନୃତ୍ୟ ସଂଘର କଳାକାରମାନେ ଏଥିରେ  ଯୋଗଦେଇଥିଲେ ।

ଏଥିରେ ଅଂଚଳର ଜଣାଶୁଣା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ବୀଣାକାର ଭୂମିକାରେ ସଫଳ ଅଭିନୟ କରି ଦଳ ପାଇଁ କୃତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇଥିଲେ । ସେହିପରି ନନ୍ଦିନୀକାଳୀ ଦଣ୍ଡନୃତ୍ୟ ଦଳ ରେବିଙ୍ଗିଆ ପକ୍ଷରୁ ସମାଜସେବୀ ପୁରସ୍ତମ ବେହେରାଙ୍କ ନେତୃତ୍ୱରେ ବୀଣାକାର ଭୂମିକାରେ ଗୋବିନ୍ଦ ଚନ୍ଦ୍ର ବେହେରା ନିଖୁଣ ଅଭିନୟ କରି କୃତିତ୍ୱ ଅର୍ଜନ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ଦେଇଥିଲେ ।

ସଂସ୍କାର ଭାରତୀ ପକ୍ଷରୁ ବୈଠକି ସଂକୀର୍ତ୍ତନ ସଙ୍ଗମ

ସଂସ୍କାର ଭାରତୀ କଳାହାଣ୍ଡି ଜିଲ୍ଲାର ମାର୍ଗଦର୍ଶନରେ ଲାଞ୍ଜିଗଡ ବ୍ଲକ ପାଣିମୁଣ୍ଡା ଠାରେ ଅପ୍ରେଲ ୧୭ରେ ଏକ ବୈଠକୀ ସଂକୀର୍ତ୍ତନ ସଙ୍ଗମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଗୋଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ପୁରାତନୀ ସଂଗୀତର ସଂକୀର୍ତ୍ତନ ପରିବେଷଣ କରିଥିଲେ। ଆଧୁନିକତାର ସ୍ପର୍ଶରେ ପ୍ରାଚୀନ ଛାନ୍ଦ, ଚମ୍ପୁ, ଓଡିଶୀ ଆଦି ନିଷ୍ପ୍ରଭ ହୋଇଯାଉଥିବା ବେଳେ ସଂସ୍କାର ଭାରତୀ ଏହାକୁ ବଞ୍ଚାଇ ରଖିବାରେ ସଦା ତତ୍ପର ରହିଛି।

କାର୍ଯ୍ୟକ୍ରମରେ ଅତିଥି ଭାବେ  ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ, ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର, ଲୋକକଳା ସଂଯୋଜକ ହରେକୃଷ୍ଣ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ। ସାମ୍ପ୍ରତିକ ସମୟରେ କଳା ଓ ସଂଗୀତ ଅବକ୍ଷୟମୁଖୀ ହେଉଥିବା ବେଳେ ଏଭଳି ଆୟୋଜନ ପାଇଁ ସଂସ୍କାର ଭାରତୀ ଓ ପାଣିମୁଣ୍ଡା ଗ୍ରାମକୁ ଅତିଥିମାନେ ପ୍ରଶଂସା କରିଥିଲେ।

ଅଇନି ଯାଦବ ସଂଘ ପକ୍ଷରୁ ଲଉଡି ଉତ୍ସବ

କଟକ ଜିଲ୍ଲା ୪୨ମୌଜା ସ୍ଥିତ ଅଇନି ଗ୍ରାମର ଆରାଧ୍ୟ ଦେବୀ ମା ହାଡ଼ବାଇ ମନ୍ଦିର ପରିସରରେ ଅଇନି ଯାଦବ ସଂଘ ପକ୍ଷରୁ ଅପ୍ରେଲ ୧୪ ତାରିଖରେ ବାର୍ଷିକ ଲଉଡ଼ି ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଥିଲା ।

ଏଥିରେ ଆୟୋଜକ ଅଇନି ସହ ଦହିଗାଁ, ମଣ୍ଡାସାହି ଓ ନାହାଭଙ୍ଗା ପ୍ରଭୃତି ୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଝାରକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଶିଶିର କୁମାର ରାଉତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ କଟକ ଜିଲ୍ଲା ଯାଦବ ମହାସଭା ଉପ ସଭାପତି ବିନୋଦ ବେହେରା, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ତୀର୍ଥବାସୀ ବେହେରା, ସାଧାରଣ ସମ୍ପାଦକ ତରୁଣ ବେହେରା, ତୁଷାରକାନ୍ତ ମହାପାତ୍ର, କଟକ ସଦର ଯୁବ ଯାଦବ ମହାସଭା ସଭାପତି ତଥା ମହାନଗର ୫୮ ନ° ୱାର୍ଡ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗ୍ରାମ ମୂରବୀ ପ୍ରଭାକର ରଣା ଓ ବୈଷ୍ଟମ୍ବ ବେହେରା ପ୍ରମୁଖ ଅନୁଷ୍ଠାନର ଉନ୍ନତି ବାବଦରେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।

୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ପ୍ରସନ୍ନ କୁମାର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଯାଦବ ସଂସ୍କୃତିର ଅନନ୍ୟ ବିଭବ ଲଉଡି ଖେଳକୁ ବଞ୍ଚାଇ ରଖିବାକୁ ଆଇନି ଯାଦବ ସଂଘର ଏହି ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ ।

ନୂଆପଡାରେ ରାବଣ ଦରବାର 

ନୂଆପଡା ଜିଲ୍ଲା ସଦର ତେଲିପଡା ଠାରେ ଚୈତ୍ର ନବରାତ୍ରି ପ୍ରଥମ ଦିନ ଠାରୁ ରାମ କଥା ଆୟୋଜିତ ହୋଇଥିଲା । ଏହା ସାଙ୍ଗକୁ ସତସଙ୍ଗ ସାମ୍ନା ପଡିଆ ଠାରେ ଚାଲିଥିଲା ରାବଣ ଦରବାର । ରାବଣ ଦରବାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଦଶାନନ ରାବଣ ମହାରାଜଙ୍କ ଭୂମିକାରେ ଅଭିନୟ କରିଥିଲେ ବଲାଙ୍ଗୀରର କଳାକାର ରବୀନ୍ଦ୍ର ସାହୁ ।

ମହାରାଜ ରାବଣଙ୍କ ଲଙ୍କା ନଗରୀରେ ଥିବା ମିନା ବଜାରରେ ମଧ୍ୟ ଯୁବକ, ଯୁବତୀ, ଶିଶୁ ଓ ମହିଳା ମାନଙ୍କ ଭିଡ଼ ଜମିଥିଲା । ନନା ପ୍ରକାରର ମନୋରଞ୍ଜନ ଉପକରଣ, ସୁସ୍ୱାଦୁ ଖାଦ୍ୟ ଓ ଛୋଟ ଛୁଆ ମାନଙ୍କ ପାଇଁ ବିଭିନ୍ନ ଖେଳନା ଅସାରରେ ପଡିଆ ଜନସାଗର ପାଲଟି ଥିଲା । ରାବଣ ଦରବାରରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଘାଟି ମୁଣ୍ଡିଆଣୀଙ୍କ ଡଙ୍ଗରଯାତ୍ରା

 ଭାରତୀୟ ଶାକ୍ତ ତନ୍ତ୍ର ଧାରାର ଏକ ବୃହତ ଶ୍ରୋତ ଅଭିଚାର ତନ୍ତ୍ର ଆଜି ମଧ୍ୟ କଳାହାଣ୍ଡିରେ ଦେଖାଯାଇଥାଏ। ଅଭିଚାର ତନ୍ତ୍ର ଧାରାର ଏକ ଶକ୍ତିଶାଳୀ ଦେବୀ ହେଉଛନ୍ତି ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ। କୋକସରା ବ୍ଲକ ଗୋତମୁଣ୍ଡା ସିମାନ୍ତ ସାହାଜଖୋଲ ଜଙ୍ଗଳ ପାଦଦେଶରେ ଥିବା ଅଠରନଳା ଘାଟି ଠାରେ ପୂଜା ପାଉଛନ୍ତି ଦେବୀ। ଏବର୍ଷ ଶ୍ରାବଣ ପୂର୍ଣ୍ଣିମାର ପରବର୍ତ୍ତୀ ମଙ୍ଗଳବାର ଦିନ ପାଳିତ ହୋଇଥିଲା ଦେବୀଙ୍କ ଡଙ୍ଗରଯାତ୍ରା ଏହି ଯାତ୍ରା। ଗ୍ରାମବାସୀମାନେ କାଳିସୀ ଓ ପୁଝାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କିମି ରାସ୍ତା ଚାଲିଚାଲି ଲାଠି ଯାତ୍ରାରେ ବାହାରିଥିଲେ। ଏହି ସମୟରେ ପାରମ୍ପରିକ ଗଣାବଜା ଓ ଅନ୍ୟାନ୍ୟ ବାଦ୍ୟନୃତ୍ୟରେ ପରିବେଶ ରଙ୍ଗିନ ହୋଇ ଉଠିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.