ସ୍ବାଗତଂ ୨୦୨୩

କ୍ୟାଲେଣ୍ଡର ପୃଷ୍ଠାରୁ ବିଦାୟ ନେଇଛି ୨୦୨୨। ପ୍ରବଳ ଉତ୍ସାହ ଉଦ୍ଦୀପନା ଏବଂ ନୂତନ ଆଶାର ଆଲୋକରେ ଉଦ୍ଭାସିତ ହେବାପାଇଁ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିଛି ସାରା ବିଶ୍ବ। ଏମିତି ବର୍ଷ ପରେ ପର୍ବ ଗଡ଼ି ଚାଲିଛି। ପୂରାତନ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରାଯାଉଛି। ବିଗତ ବର୍ଷର ସ୍ମୃତି ବିଜଡ଼ିତ ଅତୀତକୁ ନୂତନ ବର୍ଷ ପ୍ରାରମ୍ଭରେ ରୋମନ୍ଥନ କରାଯାଉଛି।
ସମୟର ତାଳ ସହ ପାଦ ମିଳାଇ ଚାଲିବାକୁ ଚେଷ୍ଟା କରୁଛି ମଣିଷ। ପୁରାତନ ବର୍ଷରେ ହୋଇଥିବା ଭୁଲକୁ ନୂତନ ବର୍ଷରେ ସୁଧାରିବାକୁ ଚେଷ୍ଟା କରାଯାଉଛି। ଏମିତି ବିତିଚାଲିଛି ସମୟ। ଭଲମନ୍ଦ, ସୁଖଦୁଃଖ, ହାନିଲାଭର ହିସାବ ନିକାଶ ମଧ୍ୟରେ ସମୟ ଗଡ଼ିଚାଲିଛି ସ୍ବାଭାବିକ ଧାରାରେ। ନୂତନ ବର୍ଷର ସୂର୍ଯ୍ୟ କିରଣରେ ମାନବ ସଭ୍ୟତା କିଛି ସମୟ ପାଇଁ ନୂତନ ସଂକଳ୍ପ ନେଉଛି ସତ, ତେବେ ଧାରାବାହିକ ସମୟର ସ୍ରୋତରେ ଧୀରେ ଧୀରେ ତାହା ଭାସିଯାଉଛି।
କ୍ୟାଲେଣ୍ଡରର ପୃଷ୍ଠା ଓଲଟି ଚାଲିଛି। ଏହା ଭିତରେ ସମୟ ମଧ୍ୟ ଗତାନୁଗତିକ ଧାରାରେ ପ୍ରବାହିତ ହେଉଛି। ଏହି ସମୟ ଭିତରେ ଦେଶ ପାଇଁ, ଜାତି ପାଇଁ ଓ ବିଶ୍ବ ସମୁଦାୟ କିଛି ଭଲକାମ କରିବାର ଆହ୍ବାନ ଦେଉଛି ନବବର୍ଷ। ତେବେ ଏଥିପାଇଁ ଆମେ ସଜାଗ ରହିଲେ ଦେଶ, ଜାତି ଓ ବିଶ୍ବର ଅଶେଷ ମଙ୍ଗଳ ସାଧିତ ହୋଇପାରିବ, ଏଥିରେ ଦ୍ବିରୁକ୍ତି ନାହିଁ।
କରୋନାର କଳା ବାଦଲର ଆଶଙ୍କା ଭିତରେ ୨୦୨୨ ବର୍ଷରେ ବିଶ୍ୱ ନୂଆ ସ୍ୱପ୍ନ ଦେଖିଥିଲା। ଭୁଶୁଡ଼଼ି ଯାଇଥିବା ଅର୍ଥନୀତିକୁ ଟ୍ରାକକୁ ଆଣିବା ଲାଗି ସମସ୍ତେ ଚେଷ୍ଟା କରୁଥିଲେ। କିନ୍ତୁ ରୁଷ-ୟୁକ୍ରେନ୍ ଯୁଦ୍ଧ ସମସ୍ତ ଆଶାକୁ ଫିକା କରି ଦେଇଥିଲା। ଦୁଇ ଦେଶର ଯୁଦ୍ଧ ସାରା ବିଶ୍ୱରେ ଏତେ ପ୍ରଭାବ ପକାଇଲା ଯେ, ସବୁ ସାମଗ୍ରୀର ଦର ବଢ଼ିଗଲା। ଖାଦ୍ୟରୁ ଇନ୍ଧନ ଓ ଅର୍ଥନୀତି ରୁଷ-ୟୁକ୍ରେନ୍ ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିଲା।
ଦରଦାମ ବୃଦ୍ଧି ସତ୍ତ୍ୱେ ଭାରତକୁ ଏକ ବଡ଼ ସଫଳତା ମିଳିଥିଲା। ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି। ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଜିଡିପି ଆଧାରରେ ଭାରତ ପ୍ରଥମ ତ୍ରୈମାସିକରେ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରି ପାରିଥିଲା।
ଭାରତ ସିନା ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଭାବେ ଉଭା ହେଲା, କିନ୍ତୁ ଗୃହିଣୀଙ୍କ ମୁଣ୍ଡରେ ପଡ଼ିଥିବା ଚଡ଼କ ଖସାଇ ପାରି ନଥିଲା ବର୍ଷ ୨୦୨୨। ବର୍ଷ ଆରମ୍ଭରୁ ହାଣ୍ଡିଶାଳକୁ ଝଟକା ଲାଗିଥିଲା। ସରକାରୀ ଗ୍ୟାସ୍ କମ୍ପାନୀଗୁଡ଼ିକ ନିୟମିତ ଘରୋଇ ଗ୍ୟାସ୍ ଦର ବଢ଼ାଇ ଚାଲିଥିଲେ। ଏବେ ଓଡ଼ିଶାରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୮୦ ଟଙ୍କା ରହିଛି।
ଖାଲି ଗ୍ୟାସ୍ କାହିଁକି, ବିଦେଶରେ ଅଶୋଧିତ ତୈଳ ଦର କମିଥିଲେ ମଧ୍ୟ ସରକାର ତୈଳ କମ୍ପାନୀଙ୍କ କ୍ଷତି ଦର୍ଶାଇ ପେଟ୍ରୋଲ୍ ଓ ଡିଜେଲ୍ ଦର କମାଇ ନଥିଲେ। ଏବେ ବି ରାଜ୍ୟରେ ପେଟ୍ରୋଲ୍ ଲିଟର ପିଛା ୧୦୩ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ୍ ୯୪ ଟଙ୍କା ଉପରେ ବିକ୍ରି ହେଉଛି। ସରକାର ଉତ୍ପାଦନ ଟିକସ କମାଇଥିଲେ ବି ତୈଳଦର ଚଢ଼ା ରହିଛି।
ଦରଦାମ ବୃଦ୍ଧି ଭିତରେ ଅନେକ କମ୍ପାନୀ କର୍ମଚାରୀ ଛଟେଇ କରିଥିଲେ। ମେଟା ୧୧ ହଜାର କର୍ମଚାରୀଙ୍କୁ ବିଦା କରିଥିବା ବେଳେ ଏମାଜନ ୧୦ ହଜାର, ଟ୍ୱିଟର ୩୫୦୦ କର୍ମଚାରୀଙ୍କୁ ବାହାର କରି ଦେଇଥିଲା। ଦେଶର ବିଭିନ୍ନ ଷ୍ଟାର୍ଟଅପ୍ ମଧ୍ୟ ୧୫ ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରି ଦେଇଥିଲେ। ଅନେକ କର୍ମଚାରୀ ଚାକିରି ହରେଇ ଚିନ୍ତାରେ ରହିଛନ୍ତି। ଏଥି ମଧ୍ୟରେ ପଦାର୍ପଣ କରିଛି ୨୦୨୩। ନୂତନ ବର୍ଷ କିପରି ଫଳ ଦେବ ସେଥିପାଇଁ ସମସ୍ତେ ସନ୍ଦିହାନ। ତେବେ ବି ଏକ ନୂତନ ଆଶା ଉଙ୍କି ମାରିଛି ସମସ୍ତଙ୍କ ମନରେ।
ଦରଦାମ ବୃଦ୍ଧି, ଛଟେଇ ଭିତରେ ଆରବିଆଇ ବାରମ୍ବାର ରେପୋ ରେଟ୍ ବଢ଼ାଇଥିଲା। ଫଳରେ ଇଏମ୍ଆଇ ବା ମାସିକ କିସ୍ତି ଦେଉଥିବା ଗ୍ରାହକ ଚାପଗ୍ରସ୍ତ ହୋଇଥିଲେ। ଅନ୍ୟପଟେ ବୈଶ୍ୱିକ ବଜାରରେ ଡଲାର ତୁଳନାରେ ଦୁର୍ବଳ ହୋଇ ପଡ଼ିଥିଲା ଟଙ୍କା । ମୋଟାମୋଟି କହିବାକୁ ଗଲେ ଆର୍ଥିକ ଦୃଷ୍ଟିକୋଣରୁ ଭାରତକୁ ବର୍ଷ ୨୦୨୨ ମିଶ୍ର ଫଳ ଦେଇଥିଲା। ତେବେ ସେ ଯାହାହେଉ; ନୂତନ ବର୍ଷ ବିଶ୍ବ ପାଇଁ ମଙ୍ଗଳମୟ ହେଉ, ସମସ୍ତେ ଶାନ୍ତିରେ ସହାବସ୍ଥାନ କରନ୍ତୁ, ଏତିକି କାମନା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.