ମହାନଦୀ କୂଳରେ ବସତି, ତଥାପି ତୃଷାର୍ତ୍ତ ସୋନପୁର ବାସୀ

ସୋନପୁର,୧୭/୪ : ମହାନଦୀ ସୁବର୍ଣ୍ଣପୁର ଜିଲାର ଅନ୍ୟତମ ପରିଚୟ । ସହର ର ଏକ ପରିଚୟ ହେଉଛି ମହାନଦି ଓ ତେଲନଦି ।ସୋନପୁର ଜିଲାରେ ମହାନଦୀ ଓ ତେଲନଦି ପ୍ରବାହିତ ହେଉଛି । ମହାନଦୀ ଉପରେ ପାନୀୟଜଳ ଠାରୁ ଆରମ୍ଭ କରି କୃଷିରେ ବ୍ୟବହାର କରିବା ଓ ମହାନଦୀ ଜଳରୁ ମାଛ ମାରି ପରିବାର ପ୍ରତିପୋଷଣ କରି ଦୈନନ୍ଦିନ ଜୀବନରେ ଲକ୍ଷାଧିକ ଲୋକ ନିର୍ଭରଶୀଳ । ଏବେ ମହାନଦୀର ଶୁଷ୍କ ଶରୀର ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି । ମହାନଦୀ କୂଳରେ ରହିବି ସୁବର୍ଣ୍ଣପୁର ବାସୀ ଏବେ ତୃଷାର୍ତ୍ତ । ଏଥର ନିର୍ବାଚନରେ ଏହା ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ବଡ ମୁଦ୍ଦା ହୋଇଥିବା ଦେଖାଯାଇଛି । ମହାନଦୀର ଜଳକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତି କରିବାରେ ବ୍ୟସ୍ତ । କିନ୍ତୁ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାକୁ କାହାର ବେଳ ନାହିଁ ।

ସୁବର୍ଣ୍ଣପୁର ଜିଲାରେ ଯେଉଁ ସ୍ଥାନରେ ମହାନଦୀର ଅଗଭୀର ଜଳରାଶି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲା, ବର୍ତ୍ତମାନ ତାହା ବୁଲା ପଶୁଙ୍କ ଚାରଣ ଭୂମି ପାଲଟିଛି । ମହାନଦୀରେ ଜଳାଭାବ ଯୋଗୁଁ ଜିଲାବାସୀଙ୍କ ପାଇଁ ଏବେ ପାନୀୟଜଳ ସଙ୍କଟ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ପାନୀୟଜଳ ଯୋଗାଇବା ଉଦ୍ୟମ କରାଯାଇଥିଲେ ମଧ୍ୟ ଆଗକୁ ଜଳଧାର ସଂପୂର୍ଣ୍ଣ ବନ୍ଦ ହେବା ଆଶଙ୍କା ଦେଖାଦେଇଛି । ସହରର ଆବର୍ଜନା ଜଳ ସବୁ ମହାନଦୀକୁ ନିଷ୍କାସିତ ହେଉଥିବା ବେଳେ ଜଳାଧାର ଶୁଖିଯିବା ଯୋଗୁଁ ବଡ ସମସ୍ୟା ଦେଖାଦେଇଛି । ପାନୀୟଜଳ ପାଇଁ ନଦୀ ବାଲିରେ ଖୋଳା ଯାଇଥିବା ନାଳ ଓ ଚୁଆଁରେ ବୁଲା ପଶୁଙ୍କ ବ୍ୟବହାର ଠାରୁ ଆରମ୍ଭ କରି ଲୋକମାନେ ଶୌଚ ହେବାକୁ ବ୍ୟବହାର କରୁଥିବା ଯୋଗୁଁ ଏହି ଜଳ ପ୍ରଦୂଷିତ ହେବାରେ ଲାଗିଛି । ତେବେ ଜିଲାରେ ବହୁ ସଂଖ୍ୟାରେ ପାନୀୟଜଳ ପ୍ରକଳ୍ପ ଓ ଉଠାଜଳସେଚନ ପ୍ରକଳ୍ପର ଭବିଷ୍ୟତ ମହାନଦୀର ଜଳଧାର ଉପରେ ନିର୍ଭର କରୁଥିବାରୁ ଅନେକ ଗ୍ରାମବାସୀ ଏବେ ଚିନ୍ତାରେ ରହଥିବା ଜଣାଯାଇଛି ।

ମହାନଦୀ ସୁଖିଲା ପଡିବା ଯୋଗୁଁ ଏହାର ପ୍ରଭାବରେ ଭୂତଳ ଜଳ ପ୍ରତିବର୍ଷ ତଳକୁ ଖସିବାରେ ଲାଗିଛି । ଫଳରେ ସରକାରୀ ରେକର୍ଡପତ୍ରରେ ନାମକୁମାତ୍ର ସଚଳ ଥିବା ନଳକୂପ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବା ଆଦୌ ସମ୍ଭବପର ନୁହେଁ । ସେହିରି ଭୂତଳ ଜଳ ଖସିଯିବା ଯୋଗୁଁ ଗ୍ରାମ ଗୁଡିକରେ ରହିଥିବା ବନ୍ଧ କଟା ଗୁଡିକ ମଧ୍ୟ ଶୁଖିବାକୁ ବସିଲାଣି । ବିଭାଗୀୟ ସର୍ବେକ୍ଷଣ ଅନୁଯାୟୀ ସୁବର୍ଣ୍ଣପୁର ଜିଲାରେ ଭୂତଳ ଜଳ ପ୍ରତିବର୍ଷ ଏକ ମିଟର ତଳକୁ ଖସିବାରେ ଲାଗିଛି । ତେଣୁ ଚେକ୍ ଡେମ୍ ଜରିଆରେ ମହାନଦୀର ପ୍ରବାହିତ ଜଳକୁ ସଂରକ୍ଷଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଦିଗରେ କୌଣସି ଉଦ୍ୟମ ହୋଇପାରିନାହିଁ । କେବଳ ପାନୀୟଜଳ ନୁହେଁ ମହାନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ହଜାର ହଜାର କୃଷକ, ମତ୍ସ୍ୟଜୀବୀ ଓ ନାଉରିଆ ପରିବାର ପାଇଁ ଏବେ ମହାନଦୀର ଶୁଷ୍କ ଶରୀର ଚିନ୍ତାର କାରଣ ପାଲଟିଛି । ତେଣୁ ସରକାର ମହାନଦୀ ଜଳ ସଂରକ୍ଷଣ ପାଇଁ କୌଣସି ଦୃଢ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ମହାନଦୀ ମରୁଭୂମି ପାଲଟିବ ବୋଲି ବୁଦ୍ଧିଜିବି ମହଲରେ ଚର୍ଚା ହେଉଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.