ଯେତେବେଳେ ସାରା ବିଶ୍ୱରେ କରୋନା ଓ ୟୁକ୍ରେନ-ଋଷ୍ ଯୁଦ୍ଧର ପ୍ରଭାବ ପଡ଼ିଛି, ବିଶ୍ୱ ଅର୍ଥନୀତି ଧିମେଇ ଚାଲିଛି, ଠିକ୍ ଏପରି କିଛି କଷ୍ଟକର କିନ୍ତୁ ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଉପସ୍ଥାପିତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍। ତେବେ କେନ୍ଦ୍ର ସରକାର ବଜେଟରେ ବଡ଼ବଡ଼ ବ୍ୟବସ୍ଥା କରିବା ସହ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବଜେଟରେ ସମାଜ ଓ ଅର୍ଥନୀତି ପ୍ରାୟ ସବୁ ବର୍ଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ଅର୍ଥମନ୍ତ୍ରୀ। ଏହି ବଜେଟକୁ ଅମୃତ କାଳର ବଜେଟର ଆଖ୍ୟ ଦେଇ ସପ୍ତଋଷୀର ତତ୍ୱ କହିଛନ୍ତି ଅର୍ଥମନ୍ତ୍ରୀ। ଏହି ସପ୍ତଋଷି ହେଉଛି, ମୋଦିର ସରକାରଙ୍କ ୭ଟି ପ୍ରମୁଖ ପ୍ରସଙ୍ଗ। ଯାହାକୁ ୨୦୦୩-୨୪ ଆର୍ଥିକ ବଜେଟରେ ପ୍ରାଥମିକତା ଦେଇଛନ୍ତି ନିର୍ମଳା ସୀତାରମଣ।
ଅମୃତକାଳର ସପ୍ତଋଷି
୧- ସାମଗ୍ରିକ ବିକାଶ
୨- ଲକ୍ଷ୍ୟର ଅନ୍ତିମ ଯାଏଁ ପହଂଚିବା
୩- ଭିତ୍ତିଭୂମି ଓ ନିବେଶ
୪-ଦକ୍ଷତା ବିକାଶ
୫-ସବୁଜ ବିପ୍ଲବ
୬-ଯୁବଶକ୍ତି
୭-ଆର୍ଥିକ ବିକାଶ
ଦେଶର ସାମଗ୍ରିକ ବିକାଶକୁ ଲକ୍ଷ୍ୟରେ ରଖି ଏହି ୭ଟି ପ୍ରସଙ୍ଗ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅମୃତକାଳର ଏହି ପ୍ରଥମ ବଜେଟ ବିକଶିତ ଭାରତର ସଂକଳ୍ପକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଯେଉଁ ୭ଟି ପ୍ରସଙ୍ଗକୁ ବଜେଟରେ ପ୍ରାଥିମତା ଦିଆଯାଇଛି, ତାହା ସାମଗ୍ରିକ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଦକ୍ଷତା ବିକାଶ ଏବଂ ଯୁବ ଶକ୍ତିର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଆୟକର ବ୍ୟବସ୍ଥାରେ ସଂସ୍କାର, ଶିକ୍ଷା ଓ ଦକ୍ଷତା ବିକାଶ, କୃଷି ଓ ବୈଷୟିକ ଜ୍ଞାନ କୌଶଳ, ମହିଳାଙ୍କ ବିକାଶ, ଗ୍ରାମାଂଚଳର ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି।
ବଜେଟରେ ଅଧିକାଂଶ କ୍ଷେତ୍ର ଓ ବର୍ଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ନିର୍ମଳା ସୀତାରମଣ। ସ୍ୱାସ୍ଥ୍ୟକ୍ଷେତ୍ରରେ ବଡ଼ ଘୋଷଣା ଭାବେ ୧୫୭ ନୂଆ ନର୍ସିଂ କଲେଜ ଖୋଲାଯିବାକୁ ଘୋଷଣା ହୋଇଛି। ଶିକ୍ଷାକ୍ଷେତ୍ରରେ ପାଖାପାଖି ସାଢ଼େ ୩ଲକ୍ଷ ଆଦିବାସୀ ଛାତ୍ରଙ୍କ ପାଇଁ ୭୪୦ଟି ଏକଲବ୍ୟ ମଡେଲ୍ ସ୍କୁଲ ଖୋଲିବା କଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସେପଟେ ଚଳିତ ଆର୍ଥିକ ବର୍ଷରେ ଚାଷୀଙ୍କୁ ୨୦ ଲକ୍ଷ କୋଟିର ଋଣ ପାଇଁ ଲକ୍ଷ୍ୟ ରଖାଯାଇଛି। ବିକଳ୍ପ ଇନ୍ଧନର ପ୍ରୟୋଗ ଉପରେ ଗୁରୁତ୍ୱ ଦେବା ପାଇଁ ଗୋବର୍ଦ୍ଧନ ସ୍କିମରେ ୫ଶହ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି ବଜେଟରେ ସ୍ୱାସ୍ଥ୍ୟ, କୃଷି ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ଘୋଷଣା ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ଆଣିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଆରମ୍ଭ ହେବାକୁ ଯାଉଛି ‘ସ୍ୱଦେଶ ଦର୍ଶନ ଯୋଜନା’ ଏବଂ ‘ଅପନା ଭାରତ ସ୍କିମ୍’।
ବଜେଟ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅମୃତକାଳର ଏହା ପ୍ରଥମ ବଜେଟ। ଏହା ବିକଶିତ ଭାରତର ନିର୍ମାଣରେ ଏକ ମଜବୁତ ନିଅଁ ରଖିବ। ଏହି ବଜେଟ ଗରିବ, ମଧ୍ୟମ ବର୍ଗ ଏବଂ କୃଷକଙ୍କ ସହିତ ଆକାଂକ୍ଷୀ ସମାଜର ସ୍ୱପ୍ନକୁ ପୂରା କରିବ। ମୋଦୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମକୁ ଏହି ଐତିହାସିକ ବଜେଟ ପାଇଁ ଧନ୍ୟବାଦ ଜଣାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ପରମ୍ପରାଗତ ଭାବେ ନିଜ ହାତରେ ଦେଶ ପାଇଁ ପରିଶ୍ରମ କରୁଥିବା ବିଶ୍ୱକର୍ମା ହେଉଛନ୍ତି ଦେଶର ନିର୍ମାତା। ପ୍ରଥମ ଥର ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଏବଂ ସହାୟତା ସମ୍ବନ୍ଧିତ ଯୋଜନାକୁ ବଜେଟରେ ଅଣାଯାଇଛି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ ବିକାଶ ଯୋଜନା ବିଶ୍ୱକର୍ମାଙ୍କ ଜୀବନ ଅନେକ ବଡ ପରିବର୍ତ୍ତନ ଆଣିପାରିବ। ମୋଦୀ ଆହୁରି ମଧ୍ୟ କହିଛନ୍ତି, ସରକାର ଗ୍ରାମୀଣ ଏବଂ ସହର କ୍ଷେତ୍ରରେ ମହିଳାଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମହିଳାଙ୍କୁ ଏଥିପାଇଁ ସରକାର ଆହୁରି ପ୍ରୋତ୍ସାହିତ କରୁଛନ୍ତି। ଏହି ବଜେଟ ସହକାରିତା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବ।
ଏପଟେ କେନ୍ଦ୍ରୀୟ ବଜେଟକୁ କର୍ପୋରେଟ୍ ବଜେଟ କହି ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତାକୁ ଦୃଷ୍ଟିରେ ରଖି ମୋଦୀ ସରକାର ବଜେଟ ପ୍ରସ୍ତୁତ କରିଛନ୍ତି। ଏଥିରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ତେବେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଛନ୍ତି- ଦେଶର ଅର୍ଥନୀତି ସଠିକ୍ ଧାରାରେ ଉଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛି।