ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଫଗୁଣର ଆଗମନରେ ମହୁଲ ଝଡିବା ଆରମ୍ଭ ହେଲାଣି। ଏହାର ବାସ୍ନାରେ ମହକି ଯାଉଛି ବଣପାହାଡ। ବର୍ତ୍ତମାନ ମହୁଳଫୁଲ ସଂଗ୍ରହ କରିବା ନେଇ ବଣପାହାଡ଼ ଘେରା ଅଞ୍ଚଳରେ ରହୁଥିବା ଜନଜାତିର ଲୋକଙ୍କ ମନରେ ଅପୁର୍ବ ଉନ୍ନାଦନା ଦେଖାଦେଇଛି। ଏଣେ ସେମାନଙ୍କ ପରିବାର ପ୍ରତିପୋଷଣ ନେଇ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ବେଳେ ତା’ମଧ୍ୟରେ ମହୁଲ ଅନ୍ୟତମ ବନଜାତ ଦ୍ରବ୍ୟ। ବିଶେଷକରି ଫାଲଗୁନ ଓ ଚୈତ୍ର ଏହି ଦୁଇମାସ ବହୁ ସଂଖ୍ୟାରେ ମହୁଲ ଫୁଲ ଝଡୁଥିବା ବେଳେ ତାକୁ ସାଉଣ୍ଟିବା କାମରେ ବ୍ୟସ୍ତ ରୁହନ୍ତି ବସବାସୀ। ମହୁଲ ସାଉଣ୍ଟିିବା ପାଇଁ ସପରିବାର ଏହି କାମରେ ବ୍ୟସ୍ତ ରହିଥାନ୍ତି। ସେହିଭଳି ଗୋଳାମୁଣ୍ଡା ବ୍ଲକ ଅଧୀନରେ ଥିବା ଜଙ୍ଗଲୀ ଅଞ୍ଚଳରେ ପୁରାତନ କାଳରୁ ବହୁ ପରିମାଣରେ ମହୁଳ ଗଛ ଆଜି ପର୍ଯ୍ୟନ୍ତ ରହିଛି। ତେବେ ସେନେଇ ଅନେକ ଗରିବ ପରିବାର ଲୋକେ ମହୁଳଫୁଲ ସଂଗ୍ରହ କରିବା ପାଇଁ ନୀତିଦିନ ପରିବାର ସହ ଯାଇ ଗଛ ମୂଳରେ ଟାକି ବସିଥାନ୍ତି। ସେଠାରେ ମହୁଳଫୁଲ ପଡିଲେ ଗାଈ ଗୋରୁ, ଛେଳି ମେଣ୍ଢା ଖାଇ ଯିବେ ସେନେଇ ସକାଳୁ ଯାଇ ଗଛ ମୂଳରେ ଜଗି ରହିଥାନ୍ତି। ଆଉ ଗ୍ରୀଷ୍ମ ଆସି ବସନ୍ତର ସୁଷମା ହଜିଯିବା ବେଳେ ଚାରିଆଡେ ଗ୍ରୀଷ୍ମର କଡା ଶାସନର ପ୍ରଭାବ ଆରମ୍ଭ ହେଲେ ବହୁ ପରିମାଣରେ ମହୁଳଫୁଲ ଝଡ଼ିବା ଆରମ୍ଭ ହୁଏ। ସେହି ସମୟରେ ବହୁ ପରିମାଣରେ ମହୁଲ ଝଡ଼ିବା ଦେଖାଦେଉଥିବା ବେଳେ ବର୍ଷକ ଯାକ ମୋଟା ଅଙ୍କର ରୋଜଗାର ସେହିଠୁ ହିଁ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ସେଇଠୁ ବହୁ କଷ୍ଟରେ ମହୁଲ ସଂଗ୍ରହ କରୁଥିବା ବେଳେ ତାହାକୁ ପ୍ରତିବର୍ଷ ଦଲାଲମାନେ ଗାଁ ଗାଁ ବୁଲି କମ ଅର୍ଥ ଦେଇ କିଣି ନେଇଥାନ୍ତି। ତେବେ ସେନେଇ ଦଲାଲ ମାଲେମାଲ ହେଉଥିବା ବେଳେ ମହୁଲଫୁଲ ସଂଗ୍ରହ କାରି ମାନେ ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପରିବାର ପାଇଁ ମହୁଳଫୁଲ ଓ କେନ୍ଦୁପତ୍ର ସଂଗ୍ରହ ଅନ୍ୟତମ ଜୀବିକା ବୋଲି କୁହାଯାଉ ଥିବା ବେଳେ ଆଜିପର୍ଯ୍ୟନ୍ତ ସେମାନଙ୍କ ପାଇଁ ସରକାର ଟିକିଏ ଦରଦ ମଧ୍ୟ ଦେଖାଉନାହାନ୍ତି। ତେଣୁ ଏଥି ପ୍ରତି ରାଜ୍ୟ ସରକାର ଧ୍ୟାନ ଦେବା ଜରୁରୀ ହୋଇପଡିଛି।