ସଇଁତଲାରେ ଚଣ୍ଡେଶ୍ବରୀ ଲୋକୋତ୍ସବ ଉଦଘାଟିତ, ଢେମସା ନୃତ୍ୟରେ ଦର୍ଶକ ବିଭୋର 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଡାକ ବଙ୍ଗଳା ପରିସରରେ ମା ଚଣ୍ଡେଶ୍ୱରୀ ଲୋକୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ମା ଚଣ୍ଡୀଙ୍କ ଠାରେ ପୂଜର୍ଚ୍ଚନା କରିବା ପାଇଁ ଏକ ଆଦିବାସୀ ନୃତ୍ୟ, ଘଣ୍ଟବାଦ୍ୟ ଓ ବିଭିନ୍ନ ସଂସ୍କୃତିକ ଦଳ ଉପସ୍ଥିତିରେ ଏକ ବିରାଟ ଶୋଭାଯାତ୍ରା ବାହାରି ଲୋକଉତ୍ସବ ମଣ୍ଡପ ପଯ୍ୟନ୍ତ ପହଞ୍ଚିଥିଲେ। ଏହାପରେ ଉତ୍ସବର ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭାରେ ମୁଖ୍ୟବକ୍ତା ଭାବେ ଗୁରୁ ଘାସିରାମ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ  ଓ ବରିଷ୍ଠ ସମାଜସେବୀ ମଦନଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଲୋକଉତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ପ୍ରଥମ ଅଧିବେଶନରେ କମିଟିର  ସାଧାରଣ ସମ୍ପାଦକ ପ୍ରମୋଦ ବୈଠାରୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ସଭାକୁ କମିଟିର ସଭାପତି ଭୀମସେନ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ବିଶ୍ୱଜିତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ କମିଟିର କୋଷାଧକ୍ଷ ପ୍ରଶାନ୍ତ ବଗର୍ତ୍ତି, ସଂସ୍କୃତିକ ସମ୍ପାଦକ ନାରାୟଣ ଜାଲଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶନିବାର ରାତିରେ ବିଭିନ୍ନ ଲୋକ କଳା, ଲୋକ ନୃତ୍ୟ ଓ ଲୋକ ବାଦ୍ୟରେ ମଞ୍ଚ ଦୁଲକିଲା ଥିଲା। ଏହି ଉତ୍ସବରେ କଳାକାର ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମାଗମ ଦେଖିବାକୁ ମିଳିଛି। ଲୋକାରଣ୍ୟ ହୋଇପଡିଛି ମଞ୍ଚ ଅଞ୍ଚଳ। ଏହାର ଦ୍ଵିତୀୟ ଅଧିବେଶନ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା। ପ୍ରଥମେ ମା ଚଣ୍ଡୀ ଙ୍କ ଫୋଟୋ ଚିତ୍ର ସମ୍ମୁଖରେ ଅତିଥିମାନେ ଦୀପ ପ୍ରଜ୍ଜଳନ କରିଥିଲେ। ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ  ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ସ୍ମାରକ ରଞ୍ଜନ ମିଶ୍ର,  ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ବିଜେପି ନେତା ନବୀନ ଜୈନ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସମାଜସେବୀ ଶ୍ରୀକିଷାନ ଅଗ୍ରୱାଲ ଓ କମିଟି ସମ୍ପାଦକ ପ୍ରମୋଦ ବୈଠାରୁ ପ୍ରମୁଖ ମଞ୍ଚାସୀନ ରହି ସଇଁତଲା ତଥା ବଲାଙ୍ଗୀର ଅଞ୍ଚଳର ପ୍ରାଚୀନ କଳା, ସଂସ୍କୃତି ଓ ପରମ୍ପରା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଟଙ୍କଧର ସାହୁ  ସ୍ୱାଗତ ଭାଷଣ  ଓ ଅତିଥି  ପରିଚୟ ପ୍ରଦାନ କରିଥିଲେ। କମିଟି ସଭାପତି ଭୀମସେନ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ବେନ୍ୟାବିନ ତାଣ୍ଡି ଧନ୍ୟବାଦ ପ୍ରଦାନ କରିଥିଲେ। ପରେ କୋରାପୁଟ ଜିଲ୍ଲାର ଢ଼େମସା ନୂତ୍ୟ  ଦର୍ଶକଙ୍କ ମନ ମୋହିଥିଲା। ଏହା ସହିତ ପାଟଣାଗଡ଼ର ସଂସ୍କୃତିକ ଦଳ ଓ ବିଭିନ୍ନ ଅନୁଷ୍ଠାନର ସଂସ୍କୃତିକ ଦଳଗୁଡିକ ପରିବେଷିତ ହୋଇଥିଲା।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.