ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜଧାନୀ ଭୁବନେଶ୍ୱରର ଜନତା ମୈଦାନରେ ଅନୁଷ୍ଠିତ ଜନଜାତି ସମାବେଶରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିଛନ୍ତି ନର୍ଲା ଅଂଚଳର ୫୦୦ରୁ ଉର୍ଦ୍ଧ୍ବ ଜନଜାତି ସଦସ୍ୟ । ୨୫ ମାର୍ଚ୍ଚ ରାଜଧାନୀର ଜନତା ମୈଦାନରେ ଅନୁଷ୍ଠିତ ହୋଇଥିଲା ଜନଜାତି ସମାବେଶ । ପ୍ରାନ୍ତ ଜନଜାତି ମଞ୍ଚ ବିଶେଷଜ୍ଞ ତଥା କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ବନବାସୀ କଲ୍ୟାଣ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ପର୍ଶୁରାମ ପଣ୍ଡା, ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ବ୍ଲକ ସଂଯୋଜକ ରାଜୀବ ଲୋଚନ ପୋଢ, ଜିଲ୍ଲା ବାଇଗା ଜନଜାତି ସଚେତକ ଓ ସଂଗଠକ ସଦନ ପ୍ରଗଣିଆ, ଘୋଡାବନ୍ଧ ଗ୍ରା.ପ. ଭାଜପା ସହପ୍ରମୁଖ କୁମୁଦ ଘିଭେଲା, ଜିଲ୍ଲା ସତସଙ୍ଗ ପ୍ରମୁଖ ଜମ୍ବେଶ୍ୱର ମାଝୀ, ବନବାସୀ କଲ୍ୟାଣ ଆଶ୍ରମର ମ.ରାମପୁର ଆଞ୍ଚଳିକ ସଭାପତି କୃଷ୍ଣ ପାତ୍ର, ଆଞ୍ଚଳିକ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଗତିକା ସାରଦା ମାଝୀ, ଲିଳାବତୀ ମାଝୀ, ନୃପତି ମାଝୀ, ସୀତା ମାଝୀ, ମମତା ଭୋଇ, ପାନ ପାତ୍ର, ଲୋକକଳା ପ୍ରମୁଖ ଦେବରାଜ ବଗର୍ତ୍ତି, ମହେନ୍ଦ୍ର ଘଡେଇ, ଟିକ୍ରି ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ନର୍ଲାରୁ ୫୦୦ ରୁ ଉର୍ଦ୍ଧ୍ବ ଜନଜାତି ସଦସ୍ୟ ରାଜଧାନୀ ସମାବେଶରେ ଯୋଗଦେଇଥିଲେ ।
ଜନତା ମୈଦାନର ଆଦିବାସୀ ସୁରକ୍ଷା ମଞ୍ଚରେ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଇଥିଲା ନର୍ଲାର କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କୁ । ଶ୍ରୀ ଜାନୀଙ୍କ କହିବାନୁଯାୟୀ ଭାରତର ସମ୍ବିଧାନ ଧାରା ୩୪୧ ଅନୁଯାୟୀ ଅନୁସୂଚିତ ଜାତିର ଲୋକମାନେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ବା ମୁସଲମାନ ହେଲେ ସେମାନଙ୍କୁ ମିଳୁଥିବା ଅନୁସୂଚିତ ଜାତି ସଂରକ୍ଷଣରୁ ବାଦ ଦିଆଯାଉ ବୋଲି ସରକାରଙ୍କ ପାଖରେ ଦାବୀ କରାଯାଇଛି । ହେଲେ ଅନେକ ଧର୍ମାନ୍ତରିକରଣ ବ୍ୟକ୍ତି ସରକାରଙ୍କ ବିଭିନ୍ନ ଅଫିସରେ କାମ କରି ଜନଜାତି ପାଇଁ ରହିଥିବା ସରକାରଙ୍କ ସୁବିଧା ସୁଯୋଗ ଉପଭୋଗ କରିବା ସହିତ ଅନ୍ୟ ଧର୍ମରୁ ମଧ୍ୟ ଫାଇଦା ନେଉଛନ୍ତି । ଏଣୁ ୩୪୧ ଧାରା ନିୟମାନୁଯାୟୀ ସରକାର ସେହି ବହୁରୁପୀ ମାନଙ୍କୁ ଚିହ୍ନଟ କରନ୍ତୁ, ନକଲି ଆଦିବାସୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡିତ କରନ୍ତୁ ତାହେଲେ ଜନଜାତି ସମ୍ପ୍ରଦାୟକୁ ନ୍ୟାୟ ମିଳିବ ଓ ସମ୍ବିଧାନର ୩୪୧ ଧାରା ନିୟମ ପ୍ରତି ମଧ୍ୟ ସମ୍ମାନ ରହିବ । ରାଜଧାନୀର ଜନଜାତି ସମାବେଶରେ ସରକାରଙ୍କ ପାଖରେ ଆମର ଏହା ମୁଖ୍ୟ ଦାବୀ କରାଯାଇଛି ବୋଲି କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ମତବ୍ୟକ୍ତ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ମାର୍ଚ୍ଚ ୨୫ ଶନିବାର ରାଜଧାନୀରେ ଅନୁଷ୍ଠିତ ହୋଇଥିବା ଜନଜାତି ସମାବେଶରେ ଯୋଗଦାନ କରିବା ପାଇଁ ଶୁକ୍ରବାର ନର୍ଲାରୋଡ ରେଳ ଷ୍ଟେସନରୁ ଜଗଦଲପୁର- ଭୂବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଯୋଗେ ନର୍ଲା, ମ.ରାମପୁର ବ୍ଲକ ରୁ ୫୦୦ ରୁ ଉର୍ଦ୍ଧ୍ବ ଜନଜାତି ମହିଳା ଓ ପୁରୁଷ ସଦସ୍ୟ ଭୁବନେଶ୍ୱର ଯାତ୍ରା କରିଥିଲେ ।