ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃୃତି ପାଳନ ପାଇଁ ଟେଣ୍ଟରେ ୩ ବର୍ଷ

ଆପଣ ବନ୍ଧୁତ୍ୱର ଅନେକ ଉଦାହରଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଜଣେ ୧୦ ବର୍ଷର ବାଳକ ନିଜ ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ତମ୍ବୁରେ ୩ ବର୍ଷ ବିତାଇଛନ୍ତି । କେବଳ ଏତିକି ନୂହେଁ, ସେ କର୍କଟ ରୋଗୀଙ୍କ ପାଇଁ ଏତେ ଟଙ୍କା ଆଦାୟ କଲେ ଯେ ଏହା ଏକ ବିଶ୍ୱ ରେକର୍ଡ ହୋଇଗଲା । ତାଙ୍କର ଏଭଳି ଉଦ୍ୟମକୁ ବିଶ୍ୱ ସାଲ୍ୟୁଟ୍ କରୁଛି । ବ୍ରିଟେନ୍‌ରେ ରୁହନ୍ତି ମ୍ୟାକ୍ସ ବୁସିି । ବୟସ ମାତ୍ର ୧୩ ବର୍ଷ । ଯେତେବେଳେ ମ୍ୟାକ୍ସଙ୍କୁ ୧୦ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ସାଙ୍ଗ ରିକ୍ ଆବଟ୍ଟଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କ ସାଙ୍ଗ ଏକ ପ୍ରତିଶ୍ରୃତି ଦେଇଥିଲେ । ଯାହାକୁ ପାଳନ କରିବାକୁ ମ୍ୟାକ୍ସ ଘର ଲୋକଙ୍କୁ ଜଣାଇଲେ । ହେଲେ ଘରଲୋକେ ଶୁଣି ଆଶ୍ଚର୍ଯ୍ୟ ହେବା ସହ ମାକ୍ସଙ୍କ କଥାକୁ ସମର୍ଥନ କଲେ । ମ୍ୟାକ୍ସ କହିଥିଲେ, ରିକ୍ କର୍କଟ ରୋଗରେ ପୀଡ଼ିତ ଥିଲେ । ସେ ବେଶୀଦିନ ବଞ୍ଚିବେ ନାହିଁ ବୋଲି କହିବା ସହ ମୋତେ ଏକ ତମ୍ବୁ ଦେଇଥିଲେ । ଏହି ତମ୍ବୁ ସାହାଯ୍ୟରେ ମୋତେ ଦୁଃସାହସିକ କାର୍ଯ୍ୟ କରିବାକୁ କହିଥିଲେ । ନର୍ଥ ଡିଭନ୍ ହସ୍ପିସ୍ ସଂସ୍ଥା ମୋର ଭଲ ଯତ୍ନ ନେଇଛି । ମୁଁ ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ କିଛି କରିବାକୁ ଚାହେଁ । ଯଦି ତୁମେ ପାରିବ, ଏପରି କିଛି କର ଯାହା ସେମାନଙ୍କୁ ସାହାଯ୍ୟ କରିବ ବୋଲି ରିକ୍ କହିଥିଲେ । ରିକ୍‌ଙ୍କ ଏହି ପ୍ରତିଶ୍ରୃତିକୁ ପାଳନ କରିବାକୁ ଯାଇ ୨୦୨୦ ମସିହା ଫେବୃୟାରୀରୁ ମ୍ୟାକ୍ସ ଘର ବାହାରେ ଟେଣ୍ଟରେ ରହିବାକୁ ଲାଗିଲେ । ସେଠାରେ ରାତି ବିତାଇବା ପାଇଁ ସମସ୍ତ ବ୍ୟବସ୍ଥା କରୁଥିଲେ । କେତେବେଳେ ଖେଳାଳିଙ୍କ ଘର ବାହାରେ ଟେଣ୍ଟଲଗାନ୍ତି ତ ଆଉ କେତେବେଳେ ରାଜନେତାଙ୍କ ଘର ଆଗରେ । ଏପରିକି ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ବଙ୍ଗଳା ପାଖରେ ବି ଟେଣ୍ଟରେ ରହିଥିଲେ । ସେ ବିଭିନ୍ନ ସ୍ଥାନରେ ଟେଣ୍ଟ ଲଗାଇ ଲୋକଙ୍କୁ କର୍କଟ ରୋଗୀଙ୍କ ଲାଗି ସାହାଯ୍ୟ କରିବାକୁ ନିବେଦନ କରୁଥିଲେ । ସେ ମାତ୍ର ୩ ବର୍ଷରେ ମୋଟ ୭.୫ କୋଟି ଟଙ୍କା ଅର୍ଥ ଆଦାୟ କରିପାରିଥିଲେ । ସେ ଏହି ଟଙ୍କାକୁ ନର୍ଥ ଡିଭନ୍ ହସ୍ପିସ ସଂସ୍ଥାକୁ ପ୍ରଦାନ କରିଛନ୍ତି । ଯେଉଁଥିରେ ଏକ ବର୍ଷ ପାଇଁ ୫୦୦ କର୍କଟ ରୋଗୀଙ୍କୁ ସାହାଯ୍ୟ କରାଯାଇପାରିବ । କମ୍ ବୟସରେ ଏତେ ଟଙ୍କା ଆଦାୟ କରିଥିବାରୁ ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.