ହାଓ୍ୱଡାରେ ହିଂସା: ରାଜ୍ୟପାଳଙ୍କୁ ଫୋନ୍ କଲେ ଗୃହମନ୍ତ୍ରୀ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କଲେ ଶୁଭେନ୍ଦୁ ଅଧିକାରୀ

ଓଡ଼ିଆ ବାର୍ତ୍ତା/ କୋଲକାତା: ରାମ ନବମୀ ଅବସରରେ ପଶ୍ଚିମବଙ୍ଗର ହାୱଡାରେ ହୋଇଥିବା ହିଂସାକୁ ନେଇ ବିଜେପି ମମତା ସରକାର ଉପରେ ଜୋରଦାର ବର୍ଷିଛି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ଫୋନରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ପ୍ରସଙ୍ଗରେ ଅମିତ ଶାହ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏହାପରେ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ଯେ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ଏବଂ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଅପରାଧିକ ଘଟଣାର ପୁନରାବୃତ୍ତି ନହେବା ପାଇଁ କଠୋର ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା ସୁନିଶ୍ଚିତ କରିଥିବା ରାଜ୍ୟପାଳ କହିଛନ୍ତି। ସେହିପରି ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କୋଲକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏନଆଇଏ ତଦନ୍ତ ଏବଂ ଏଭଳି ଅଞ୍ଚଳରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିୟୋଜିତ କରିବାକୁ ସେ ପିଆଇଏଲ ଜରିଆରେ ଦାବି କରିଛନ୍ତି। ଏପ୍ରିଲ ୩ରେ ଏହି ଆବେଦନର ଶୁଣାଣି ହେବ ବୋଲି ସୂଚନା ରହିଛି। ଗୁରୁବାର ହାଓ୍ୱାଡା ସହରର କାଜିପଦା ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଶୁକ୍ରବାର ପୋଲିସ ଫୋର୍ସ ମୁତୟନ ହେବାପରେ ଏହି ଅଞ୍ଚଳରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ହିଂସା ସମୟରେ ଅନେକ ଦୋକାନ ଏବଂ ଅଟୋ-ରିକ୍ସା ଭଙ୍ଗାରୁଜା ହୋଇଥିବାବେଳେ କେତେକ ପୋଲିସ ଗାଡି ସମେତ ଅନେକ କାରରେ ନିଆଁ ଲାଗିଯାଇଥିଲା।ଏହି ଘଟଣା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଦାୟୀ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ହାୱାଡା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ହାୱାଡାରେ ହୋଇଥିବା ହିଂସା ପଛରେ ବିଜେପି ରହିଛି ବୋଲି ସେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.