ବଳଦ ଗାଡ଼ିରେ ଆସିଲେ ବର, ଓଟ ଉପରେ ନାଚୁଥିଲେ ବରଯାତ୍ରୀ

ବିବାହକୁ ସ୍ୱତନ୍ତ୍ର, ସ୍ମରଣୀୟ କରିବାର ଇଚ୍ଛା ସମସ୍ତଙ୍କର ଥାଏ । କିଛି ହଟକେ ହେବ ବାହାଘର । ଏମିତି ନିଶା ଯୁବୀପୀଢିଙ୍କ ମନରେ ବେଶି । ସେଥିପାଇଁ କିଏ ହେଲିକପ୍ଟରରେ ବାହା ହେବା ପାଇଁ ଆସୁଛି ତ କିଏ ପାରାଚୁଟରେ ଉଡି ବରଣମାଳା ଦେଉଛି । କିଏ କୋଟି କୋଟି ଟଙ୍କା ଉଡଉଛି ତ କିଏ ଅତିଥିଙ୍କୁ ଖାଲି ପାଣି ଦେଇ ଅଭ୍ୟର୍ଥନା କରୁଛି ।  ହେଲେ ଏଠି ଏମିତି ଏକ ବାହାଘର ବିଷୟରେ କହିବୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଏଠି ବାହାଘର ପାଇଁ ବର ବଳଦ ଗାଡିରେ ଆସୁଥିବାବେଳେ ବରଯାତ୍ରୀ ଓଟ ଉପରେ ଆସୁଛନ୍ତି । ଘଟଣାଟି ରାଜସ୍ଥାନ ଦୌସା ଜିଲ୍ଲାର । ରାସ୍ତାରେ ଯାଉଥିବା ଏହି ବାହାଘର ଶୋଭାଯାତ୍ରା ଦେଖି ଲୋକେ ବି ଆଶ୍ଚର୍ଯ୍ୟ । ଏପରିକି ଏହି ଶୋଭାଯାତ୍ରା ଦେଖିବା ପାଇଁ ଲୋକଙ୍କ ଭିଡ ବି ଜମି ଯାଇଥିଲା । ବର ଶୋଭାଯାତ୍ରା ନେଇ କନ୍ୟା ଘରେ ପହଞ୍ଚିବା ବେଳକୁ ବର ସହ ଥିଲେ ଶହଶହ ସ୍ଥାନୀୟ ଅଞ୍ଚଳର ଲୋକ । ବରପିତା ପ୍ରହ୍ଲାଦ ମିନା ଗୁଜରାଟର ଅହମଦାବାଦରେ ବ୍ୟବସାୟ କରନ୍ତି । ତେଣୁ କନ୍ୟାଘର ଭାବିଥିଲେ ବର ଦାମୀ ଗାଡିରେ ଆସିବ । ବରଯାତ୍ରୀଙ୍କ ଗାଡି ବି ବେଶ ଶାନଦାର ହୋଇଥିବ । ହେଲେ ସେମାନେ ଯେତେବେଳେ ବଳଦ ଗାଡି ଧରି ପହଞ୍ଚିଲେ ସମସ୍ତେ ଚକିତ ହୋଇଗଲେ। ପ୍ରହ୍ଲାଦ ରାମଗଡ ପଚୱାରା କ୍ଷେତ୍ରର ଅମରାବାଦ ନିବାସୀ । ପ୍ରହ୍ଲାଦଙ୍କର ଅର୍ଥର ଅଭାବନ ନାହିଁ । ହେଲେ ସେ ନିଜ ପୁଅ ବାହାଘରରେ କିଛି ଅଲଗା କରିବାକୁ ଚାହୁଁଥିଲେ । ତେଣୁ ବଳଦ ଓ ଓଟ ଗାଡିରେ ବର ଓ ବରଯାତ୍ରୀ ଧରି ପହଞ୍ଚିଥିଲେ । ଏହି ବାହାରଘର ଖୁବ ସାଧାସିଧା ଏବଂ ପାରମ୍ପରିକ ଥିଲା । ଏହି ଶୋଭାଯାତ୍ରାରେ ସାମିଲ ଥିଲା ୭ଟି ବଳଦଗାଡି, ୧୦ଟି ଓଟ, ୧୦ଟି ଘୋଡା । ବରଯାତ୍ରୀଙ୍କୁ ଅମରାବାଦରୁ ରାୟମଲପୁରା ଆସିବା ପାଇଁ ତିନି ଘଣ୍ଟା ଲାଗିଥିଲା । ଡିଜେ ବାଜୁଥିଲା । ବରଯାତ୍ରୀ ଓଟ ଉପରେ ନାଚି ନାଚି ଆସୁଥିବା ଦେଖିବାକୁ ମିଳିଥିଲା । ଜାଣି ଖୁସି ହେବେ, ବିନୋଦଙ୍କ ପରିବାର ଗୋଟିଏ ନଡିଆ ଏବଂ ଏକ ଟଙ୍କା ଯୌତୁକ ଆକାରରେ ନେଇ ଏହି ବାହାଘର କରିଥିଲେ । ଏପରକି କନ୍ୟା ପାଇଁ ଗହଣା ସେ ନିଜେ ନେଇ ଆସିଥିଲେ । ବିନୋଦ ନିଜେ କହିଛନ୍ତି, ସମାଜରେ ଯୌତୁକ ଏକ କଳଙ୍କିତ ପ୍ରଥା । ଏହାକୁ ଭାଙ୍ଗି ସେ ନୂଆ ଜୀବନର ଆରମ୍ଭ କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.