ଜଗମୋହନ ପଟ୍ଟନାୟକ
ଉତ୍କଳର ନବବର୍ଷ ଅଟେ ଶୁଭ ଦିନ
ଏହି ଦିନ ଜନ୍ମିଥିଲେ ବୀର ହନୁମାନ ।
ଆମ ପରମ୍ପରା ଭୁଲି ହେଉଛୁ ଭ୍ରମିତ
ପାଶ୍ଚାତ୍ୟକୁ ଆପଣେଇ ହେଉ ଆନନ୍ଦିତ ।
ଆମ କଳା ସଂସ୍କୃତି ଯେ ଅତି ମନୋରମ
ତାହାଠୁ ଦୁରେଇ ଯାଇ ଖୋଜୁଛୁ ସୁନାମ ।
ଇଂରାଜୀ ନବବର୍ଷରେ ହୋଇଣ ପାଗଳ
ମଦ୍ୟପାନେ ଯୁବପିଢ଼ି ସ୍ଥିତି ଅସମ୍ଭାଳ ।
ପବିତ୍ର ଏ ଦିବସରେ କର ଅନୁଚିନ୍ତା
ସମୃଦ୍ଧ ଓଡିଶା ଉଠୁ ପାଇ ନବ ଚେତ୍ତା ।
ହେ ଓଡ଼ିଶାବାସୀ ତୁମେ ହୁଅ ଜାଗରଣ
ସମସ୍ତ ପରାଣେ ଆସୁ ନୂଆ ଶିହରଣ ।
ପୁଣି ସେ ଗର୍ବ ଗୌରବ ଫେରାଇ ଆଣିବା
ଅସମ୍ଭବକୁ ସମ୍ଭବ କରି ଦେଖାଇବା ।
ଜାତି ପାତି ଭୁଲି ସର୍ବେ ହୁଅ ଏକତ୍ରୀତ
ମାଟି ମାଁର ସୁରକ୍ଷାରେ ଲାଗିବା ନିଃସର୍ତ୍ତ ।
ଜଗମୋହନ ଲେଖୁଛି ହୋଇଣ ବିମୁଖ
ଭାଗ ଭାଗ ହୋଇ ସର୍ବେ ପାଇବ କି ସୁଖ ।
ଇତିହାସ ପରମ୍ପରା ମିଛ ନୁହେଁ ଭାଇ
ବନ୍ଧ ନଭାଙ୍ଗୁଣୁ ତାକୁ ବାନ୍ଧିନିଅ ଯାଇ ।
କଳିର କରାଳ ଗ୍ରାସେ ବୁଦ୍ଧି ନ ଦିଶଇ
ଧ୍ବଂସ ହୋଇଯିବେ ଅହଂ ଭାବ ଆପଣେଇ ।