ଅଗ୍ନିକାଣ୍ଡରେ ଜଳିଗଲା ଘର: ସାର୍ଟିଫିକେଟ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଅଗ୍ନିକାଣ୍ଡରେ ଜଳିଗଲା ଘର । ପିଲାଙ୍କ ସାର୍ଟିଫିକେଟ, ଆସବାବପତ୍ର, ସୁନା ରୂପା,ନଗଦ ଦୁଇ ଲକ୍ଷ ଟଙ୍କା ଜଳିପୋଡ଼ି ପାଉଁଶ ହୋଇଗଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡ଼ା ଗ୍ରାମରେ । ସୂଚନା ପ୍ରକାରେ ରାତିରେ ରାତ୍ରି ଭୋଜନ ପରେ ଶ୍ରାଲିଗୁଡ଼ା ଗ୍ରାମରେ ରବିନ୍ଦ୍ର ମାଲିଙ୍ଗ ମାଝୀ ,ସ୍ତ୍ରୀ ରଶ୍ମିତାଙ୍କ ସମେତ ତିନି ପୁଅ ଓ ଝିଅ ଘରେ ଶୋଇଥିଲେ । କୌଣସି ପ୍ରକାରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଦରୁ ଉଠି ଦେଖିବା ବେଳେ ତାଙ୍କ ଘର ଜଳୁଥିବା ଦେଖିବାକୁ ପାଇଥିଲେ ରବିନ୍ଦ୍ର ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ସପରିବାର ଘରୁ ବାହାରକୁ ବାହାରି ଆସିଥିଲେ । ପରିବାର ସମେତ ପାଖ ପଡ଼ୋଶୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା ସତ, କିନ୍ତୁ ରବିନ୍ଦ୍ରଙ୍କ ଘର ସମେତ ସବୁ ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଏବେ ପରିବାର ଲୋକେ ବାସହରା ହୋଇ ଅସହାୟ ଅବସ୍ଥାରେ ଥିବା ଜଣାପଡ଼ିଛି । ସେପଟେ ପରିବାର ଲୋକେ ସରକାରୀ ସହାୟତାକୁ ଅନେଇ ବସିଥିବା ବେଳେ ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ଅଞ୍ଚଳବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.