ଲେଭେଲ୍-୩ ଶିକ୍ଷକଙ୍କ ଭରସାରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାର ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ଅନେକ ଯୋଜନା ପ୍ରଣୟନ ଓ ଅନେକ ଅନୁଦାନ ପ୍ରଦାନ କରୁଥିବାବେଳେ ପ୍ରଶାସନିକ ଅବହେଳାର ଶିକାର ହୋଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଏବେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଷୁଡ଼ିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ଜଣେ ଲେଭେଲ୍ -୩ ଶିକ୍ଷକଙ୍କ ଭରସାରେ ବ୍ଲକର ଶିକ୍ଷା ବିଭାଗ ସତେ ଯେମିତି ଆଉଜି ପଡ଼ିଛି । ଅଭିଯୋଗ ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକରେ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଅବସର ଗ୍ରହଣ କରିବା ପରେ ବେଶ୍ କିଛ୍ ମାସ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିଲା । ତେବେ ଏଇ ସମୟ ମଧ୍ୟରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଦାୟିତ୍ବରେ ଥିବା ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡାଙ୍କୁ ଲାଞ୍ଜିଗଡ଼ ବ୍ଲକର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଫଳରେ ଅତିରିକ୍ତ ଦାୟିତ୍ବ ବୋଝରେ ସେ ଲାଞ୍ଜିଗଡ଼ ବ୍ଲକକୁ ସମୟ ଦେଇପାରୁନଥିବା ଅଭିଯୋଗ ହେଉଛି । ମୁହଁ ଖୋଲି ନକହିଲେ ବି ଏହାକୁ ନେଇ ବ୍ଲକର ଶିକ୍ଷକ ମହଲରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅପରପକ୍ଷରେ, ବ୍ଲକରେ ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ସୁଢ଼ଳଦେବ ମୁଣ୍ଡ ଓ ଦ୍ରୋଣ ରଣା ଯୋଗ ଦେଇଛନ୍ତି ସତ କିନ୍ତୁ ଅଫିସ୍ କାର୍ଯ୍ୟ ଓ ଗସ୍ତର ବାହାନା ଦେଖାଇ ସେମାନେ ଯୋଗ ଦେବା ଦିନଠାରୁ ପ୍ରାୟ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ଚମ୍ପାଦେଇପୁର ସ୍କୁଲରେ ପ୍ରଧାନ ଶିକ୍ଷକ ଥିବା ପଦ୍ମଲୋଚନ ସୁନାଙ୍କ ଉପରେ ବ୍ଲକ ଶିକ୍ଷା ବିଭାଗ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇପଡ଼ିଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଖାଲି ଥିବା ଦର୍ଶାଇ ତାଙ୍କୁ ସ୍କୁଲରୁ ଆଣି ଦାୟିତ୍ବ ଦିଆଯାଇଥିଲା କିନ୍ତୁ ବ୍ଲକରେ ଦୁଇଜଣ ଅତିରିକ୍ତ ଶିକ୍ଷାଧିକାରୀ ଯୋଗ ଦେବା ପରେ ବି ତାଙ୍କୁ ବ୍ଲକ ଶିକ୍ଷା ବିଭାଗରୁ ହଟାଯାଇ ନାହିଁ । ଲେଭେଲ-୩ ଯୋଗ୍ୟତା ଥିବା ଶ୍ରୀ ସୁନାଙ୍କୁ ସ୍କୁଲକୁ ଫେରାଇ ଦିଆଯିବାର କଥା କିନ୍ତୁ ବ୍ଲକ ଶିକ୍ଷାବିଭାଗ ତାଙ୍କୁ କେଉଁ ଉଦ୍ଦେଶ୍ୟ ରଖି ଅଫିସରୁ ହଟାଉ ନାହିଁ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏଣୁ ଲାଞ୍ଜିଗଡ଼ ବ୍ଲକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନିଯୁକ୍ତି ସହିତ ଅବହେଳା କରୁଥିବା ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.