ବହୁଚାରା ପୂଜାର ପୂର୍ଣ୍ଣାହୂତି ପଡିଲା: ନଗର ପରିକ୍ରମା ଓ ଭାଷାଣି ଉତ୍ସବରେ ୨୦୦ କିନ୍ନର ସାମିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସେବାକାରୀ କିନ୍ନର ସଂଘ ତରଫରୁ ଗତ ୧୬/୪ ରୁ ଆରମ୍ଭ ହୋଇଥିବା ବହୁଚାରା ମାତାଙ୍କ ୧୬ ପୂଜାର ପୂର୍ଣ୍ଣାହୂତି ପଡିଛି । ଆଜି ସକାଳ ୭ ଘଣ୍ଟା ସମୟରେ ପୂର୍ଣ୍ଣାହୂତି ପଡି ଭାଷାଣି ମଧ୍ୟ ସାରିଯାଇଛି । ଏନେଇ ଗତ ୧୬/୪ ରେ ତୁଳା ଗାଁ ପୁଷ୍କରିଣୀ ରୁ ସନ୍ଧ୍ୟା ୭ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୬ ରାତିରୁ ପୂଜା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଏନେଇ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ଅଧ୍ୟକ୍ଷତାରେ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଯାଦବ ମହାସଂଘର ସଭାପତି ବଳରାମ ସିଂ ଯାଦବ ଯୋଗଦେଇ  କିନ୍ନରଙ୍କ ସମାଜରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ପ୍ରଥମେ ଅତିଥିବୃନ୍ଦ ବହୁଚାରା ମାତାଙ୍କ ପୂଜା ପରେ ମଞ୍ଚସୀନ ହୋଇଥିଲେ । ସଭାପତି କାମିନୀ ସ୍ୱଗାତ ଭାଷଣ ସହିତ ପରିଚୟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆ, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ଅକ୍ଷୟ କୁମାର ଗୋଛାୟତ, ଡ଼ ପୁଷ୍ପା ଚନ୍ଦ୍ରାକର, ଡ଼ କୁନାଳ ସାହୁ, କବି ମଧୁସୂଦନ ରାଉତ, ବିଜେଡି ଜିଲ୍ଲା ଉପସଭାପତି ସମିତା ନାୟକ, ସୁକୁନ ଚାରିଟେବୁଲ ଟ୍ରଷ୍ଟର ପରିଚାଳିକା ନିକି ପରଭିନ, ସମ୍ବଲପୁର କିନ୍ନର ସଂଘର ସଭାପତି ବିନ୍ଦିଆ କିନ୍ନର, ମଧୁ ନାଏକ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଆଇନଜୀବୀ ଭାରତ ଭୂଷଣ ପଣ୍ଡା ଯୋଗଦେଇ କିନ୍ନର ମାନଙ୍କ ହକ ଓ ସରକାରଙ୍କ ଦାଇତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ମଧୁସୂଦନ ରାଉତ କିନ୍ନର ମାନଙ୍କ ସମାଜ ରେ ସେମାନଙ୍କ ଚାଲିଚଳନ ଓ ଜୀବନ ଶୈଳୀ ଉପରେ ଭାଗବତ ଛନ୍ଦରେ କବିତା ଆବୃତି କରିଥିଲେ । ଇତ୍ୟବସରରେ କରୋନା ଯୋଦ୍ଧା ଭାବରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ଗୋଛାୟତ, ଡ଼କୁନାଳ ସାହୁ, ଡ ଚନ୍ଦ୍ରାକର, କିନ୍ନରଙ୍କ ପାଇଁ ଆଇନଗତ ଲଢେଇ କରୁଥିବା ଭବାନୀପଟଣାର ଭାରତ ଭୂଷଣ ପଣ୍ଡା, ରକ୍ତଦାତା ମିଳନ ଭୋଇ, ହେମସଗାର ସାହୁଙ୍କ ସମେତ ୧୫ ଜଣ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସମେତ ଜିଲ୍ଲା ବାହାରୁ ୨୦ ଗୋଟି ଅନୁଷ୍ଠାନକୁ ପୁଷ୍ପଗୁଚ୍ଛ, ଉପଢଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନର୍ଲା ସେବାକାରୀ କିନ୍ନର ସଂଘ ଗତ ୭ ବର୍ଷ ଧରି ନର୍ଲାରେ ସମାଜ ସେବା କରି ଜନପ୍ରିୟ ହୋଇପାରି ଥିବାରୁ ଅବସରପ୍ରାପ୍ତ ଶିକ୍ଷକ କବି ମଧୁସୂଦନ ରାଉତ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ସେବାକାରୀ କିନ୍ନର ସଂଘ ନର୍ଲାର ଉପସଭାପତି ପାୟଲ କିନ୍ନର, ବରିଷ୍ଠ ସଦସ୍ୟ ସଂଧ୍ୟାରଣୀ, ମଧୁ, ଦୁର୍ଗା, ରୀତା, ବର୍ଷା, ବିନୁ, ରେଖା, ଅଞ୍ଜଳି, ସୁନ୍ଦରୀ, ଜୁଳି, ଅନୁ, ସଂଗୀତା, ସଂଜନା, ଟିନା, ଶିବାନୀ, ମୁସ୍କାନ, ବବି, ସୁହାନୀ, ସରିତା, ସୁମନ, ଏଲିନା, କରିସ୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କବି ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ବୁଧବାର ସକାଳେ ପୂର୍ଣ୍ଣାହୂତି ପଡିବା ସହିତ ନଗର ପରିକ୍ରମା ଓ ଭାଷାଣି ଉତ୍ସବ ସମାପନ ହୋଇଯାଇଛି । ଭାଷାଣି ଉତ୍ସବରେ ୨୦୦ରୁ ଉର୍ଦ୍ଧ୍ବ କିନ୍ନର ସାମିଲ ହୋଇଥିଲେ ।‌‌ ମା ବହୁଚାରା ପୂଜାରେ ନର୍ଲା ଅଞ୍ଚଳ ବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗ ରହିଥିବାରୁ ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ଓ କୋଷାଧ୍ୟକ୍ଷ ରାଜୁ ଜୁଏଡ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.