ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ବୁଧବାରଦିନ ଖଲ୍ଲିକୋଟ ଥାନା ଅଂଚଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ସମେତ ୨ ଜଣ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟସ୍ଥ ନିର୍ମଳଝର ଛକ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକା ଫଳରେ ନିମିନା ଗ୍ରାମର ଗଣେଶ ପହାନ ଓ ମର୍ଦ୍ଧକୋଟ ଗ୍ରାମର ସୁରେଶ ଦାସ ଗୁରୁତର ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର ହୋଇଥିବାବେଳେ ବିଏନପୁର ପଞ୍ଚାୟତ ଝରପଲ୍ଲି ଗ୍ରାମର ଶତ୍ରୁ ପ୍ରଧାନ (୪୦) ବାରସର ଠାରୁ କୂଅ ଖୋଳା କାମସାରି ଅନ୍ୟ ସହଯୋଗୀଙ୍କ ସହ ନିଜ ଘରକୁ ଫେରୁଥିବାବେଳେ ଖାରିପଲ୍ଲି ଗ୍ରାମ ନିକଟରେ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ଶତ୍ରୁ ଗୁରୁତର ହୋଇଯାଇଥିଲା । ତାଙ୍କୁ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯିବ ପରେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ଖଲ୍ଲିକୋଟ ଥାନାର ତାଳପଡ଼ା ଗ୍ରାମର ପ୍ରମୋଦ ପ୍ରଧାନ ସୁରଟରେ ଥିବାବେଳେ ତାଙ୍କ ପତ୍ନୀ ଆପାରି ପ୍ରଧାନ (୪୦ ) ଅସହାୟ ଅବସ୍ଥାରେ ଏକାକୀ ରହୁଥିଲେ । କୌଣସି କାରଣରୁ ସେ ବିଷ ଖାଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।