ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) । ଏହି ଜନପ୍ରିୟ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରଭୃତ ବିକାଶ ସାଧିତ ହୋଇଛି । କିନ୍ତୁ କେତେକ କ୍ଷେତ୍ରରେ ସରକାରୀ ବାବୁ ଓ ଜନପ୍ରତିନିଧି ମାନଙ୍କ ଯୋଗୁଁ ଏହା ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଉଥିବା ଦେଖାଯାଇଛି । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଧର୍ମଗଡ଼ ବ୍ଲକର ଦାଦନ ପ୍ରବଣ ଦଣ୍ଡପାଟ ଅଞ୍ଚଳର ବେହେରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଙ୍କିମୁଣ୍ଡା ଗ୍ରାମରେ । ସୂଚନା ଅନୁସାରେ ଜଳ ବିଭାଜିକା ପ୍ରକଳ୍ପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ପାଇଁ ବର୍ତ୍ତମାନ ୧୦୨୧ଟି ଫାର୍ମ ପଣ୍ଡ ଅନୁମୋଦନ ହୋଇଛି । ସେଥିମଧ୍ୟରୁ ଧର୍ମଗଡ ବ୍ଲକ ପାଇଁ ମୋଟ ୧୦୦ଟି ଥିବା ବେଳେ ବିଭିନ୍ନ ସ୍ଥାନରେ କାମ ମଧ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୧୫/୧୫ପୁଟ ପାଇଁ ୮୦ହଜାର ଓ ୨୦/୨୦ଫୁଟପାଇଁ ଢେଢ଼ ଲକ୍ଷ ଟଙ୍କା ବିନିଯୋଗ ହେବା ବିଭାଗ ବ୍ୟବସ୍ଥା ରଖିଛି । ଏହା ମନରେଗା ଯୋଜନା ଅନ୍ତର୍ଗତରେ ଥିବା ବେଳେ ଶ୍ରମିକଙ୍କୁ କାମ ଯୋଗାଇବା ମୂଳ ଉଦେଶ୍ୟ ଥିବା କୁହା ଯାଉଥିବା ବେଳେ ବାଙ୍କିମୁଣ୍ଡା ଗ୍ରାମରେ ବ୍ୟତିକ୍ରମ ହୋଇ ଥିବା ଅଭିଯୋଗ ହୋଇଛି । ଶ୍ରମିକ ବଦଳରେ ମେସିନ ନିୟୋଜିତ କରି କାମ କରିଥିବା ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଗାଁର ଅନେକ ଶ୍ରମିକଙ୍କ କହିବା ଅନୁଯାୟୀ ରାତି ବେଳା ଜେସିବି ଲଗେଇ ମାଟି ଖନନ କରାଯାଉଛି । ଏଠାରେ ହିତାଧିକାରୀଙ୍କ ବଦଳରେ ଠିକାଦାର ନିୟୋଜିତ ରହି କାମ କରାଉଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ଏପରିକି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ମେସିନ ନିୟୋଜିତ ହୋଇ କାମ କରୁଥିବା ଅଭିଯୋଗ ହେବା ପରେ ତଦନ୍ତ ପାଇଁ ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳକୁ ଆସି ତଦନ୍ତ କରି ଫେରି ଥିବା ଜଣାପଡିଛି । ହେଲେ ତଦନ୍ତ ବେଳେ ଅନେକ ଶ୍ରମିକ ମାନେ ନିଜେ ନିୟୋଜିତ ହୋଇ କାମ କରିଥିବା ତଦନ୍ତ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ । ଗୋଟାଏ ପଟେ ମେସିନ ଲାଗିବା ଅନ୍ୟପଟେ ଶ୍ରମିକ ନିୟୋଜିତ ହୋଇ କାମ କରିବା ଏକ ପ୍ରକାର ଦ୍ଵନ୍ଦତା ସୃଷ୍ଟି କରିଛି । ଅନ୍ୟପଟେ ତଦନ୍ତକାରୀ ଅଧିକାରୀ ତଦନ୍ତରେ ନିରପେକ୍ଷତା ନ ରଖି ସିଧାସଳଖ ଭାବେ ଠିକାଦାରଙ୍କୁ ଘଣ୍ଟ ଘୋଡେଇବାରେ ସହାୟତା କରୁଥିବା ଗାଁରେ ଆଲୋଚନା ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଏନେଇ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ ।