ହୃଦଘାତରେ କନ୍ନଡ଼ ଅଭିନେତା ନୀତିନ ଗୋପୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ହୃଦଘାତରେ କନ୍ନଡ଼ ଫିଲ୍ମ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି ଏହି ଫିଲ୍ମ ଷ୍ଟାର୍। ଗତକାଲି ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥଇଲା। ଏହାପରେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ନୀତିନ ଗୋପୀନାଥନ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତା। ହ୍ୟାଲୋ ଡ୍ୟାଡୀ, କେରାଲିଦା କେସରୀ, ମୁଥିନନ୍ଥା ହେନ୍ଦାତି, ନିଶବ୍ଦ ଓ ଚିରବାନ୍ଧବ୍ୟ ଫିଲ୍ମରେ ତାଙ୍କର ଅଭିନୟକୁ ଲୋକେ ଖୁବ୍ ତାରିଫ କରିଥିଲେ। କେବଳ ଫିଲ୍ମରେ କାହିଁକି ସେ ଅନେକ ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ଶ୍ରୁତି ନାଇଡୁଙ୍କ ଲୋକପ୍ରିୟ ଧାରାବାହିକ ପୁନର ବିବାହରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅଭିନୟ କରି ଖୁବ୍ ଫେମସ୍ ହୋଇଥିଲେ।

ଟିଭି ଧାରାବାହିକ ହର ହର ମହାଦେବରେ ତାଙ୍କୁ କିଛି ଏପିସୋଡ୍‌ରେ ଦେଖିବାକୁ ମିଳିଥିଲା। କନ୍ନଡ଼ ଫିଲ୍ମ ସହିତ ସେ ଏକାଧିକ ତାମିଲ ଫିଲ୍ମରେ ବି ଅଭିନୟ କରିଛନ୍ତି। ସେ ଏକ ଧାରାବାହିକର ନିର୍ଦ୍ଦେଶନା ଦେଇଥାନ୍ତେ। ଏଥିପାଇଁ ଏକ ଚ୍ୟାନେଲ୍ ସହ ତାଙ୍କର ଆଲୋଚନା ବି ଜାରି ରହିଥିଲା। ହେଲେ ହଠାତ୍ ତାଙ୍କର ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଛି।

ନିକଟରେ ଅନେକ ଫିଲ୍ମ ଷ୍ଟାର୍ ଯଥା ପୁନୀତ ରାଜକୁମାର, ଲକ୍ଷ୍ମଣ, ମନଦୀପ ରୟ, ଓ ବୁଲେଟ ପ୍ରକାଶଙ୍କ ଭଳି ଲୋକପ୍ରିୟ ଅଭିନେତାଙ୍କର  ହଠାତ୍ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଏବେ ନୀତିନଙ୍କ ବିୟୋଗରେ ଅନେକ ଫିଲ୍ମ ଷ୍ଟାର ଶୋକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.