କାଶୀପୁରର ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ନିର୍ମମ ହତ୍ୟା

ଓଡ଼ିଆ ବାର୍ତ୍ତା/ କାଶୀପୁର (ଆଲାରାମ ଭାତ୍ରା): ସମାଜସେବୀ ତଥା କାଶୀପୁର ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର ପୂର୍ବତନ ସଭାପତି ଗଜେନ୍ଦ୍ର ନାଏକଙ୍କ ନିର୍ମମ ହତ୍ୟା ଏହି ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ଗଜେନ୍ଦ୍ର ନାଏକ କାଶୀପୁର ଠାରୁ ୧୦ କିଲୋମିଟର ଦୂର ସିକରଲଟା ଗ୍ରାମକୁ ନିଜ ଚାଷଜମିର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛି ଶ୍ରମିକ ଏବଂ ଜେସିବି ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ । ଜେସିବି ଦ୍ବାରା ଚାଷ ଜମିରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଚନ୍ଦ୍ରଗିରୀ ପଞ୍ଚାୟତ ଚାନ୍ଦୋଗିରି ଗ୍ରାମର ଭାଗ ଗଉଡ଼ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ମିଳିତ ଭାବେ କୁରାଡିରେ ଗଜେନ୍ଦ୍ର ନାଏକଙ୍କୁ ଆକ୍ରମଣ କରିଥିଲେ । 

କସନାଦରା ଗ୍ରାମର ଅନ୍ତ ମାଝୀ ଏହି ନିର୍ମମ ହତ୍ୟାକାଣ୍ଡର ବୟାନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଚାନ୍ଦୋଗିରି ଗ୍ରାମର ଭାଗ ଗଉଡ଼ ଓ ତା’ର ଦୁଇ ପୁଅ ଏମିତି ମୋଟ ତିନିଜଣ ମିଳିତ ଭାବେ ଗଜେନ୍ଦ୍ର ନାଏକଙ୍କୁ ତିନଟି କୁରାଢି ସହ ନିର୍ମମ ଭାବେ ହତ୍ୟା କରିଥିବାର ପ୍ରକାଶ କରିଛନ୍ତି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଅନ୍ତ ମାଝୀ । 

ଗଜେନ୍ଦ୍ର ନାଏକ ତାଙ୍କର ଶାନ୍ତ ଓ ଆମୟିକ ବ୍ୟବହାର ପାଇଁ କେବଳ କାଶୀପୁର ବ୍ଲକ ନୁହଁ ସାରା ରାୟଗଡ଼ାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । କାଶୀପୁର ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର ପୂର୍ବତନ ସଭାପତି ଥିବା ସମାଜସେବୀ ସ୍ବର୍ଗତ ନାଏକ କାଶୀପୁର ବ୍ଲକ ଡମ୍ବ ସମାଜର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ । ବର୍ତ୍ତମାନ ତାଙ୍କର ମୃତ ଶରୀର କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିବାବେଳେ କାଶୀପୁର ପୋଲିସ ହତ୍ୟା ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.