ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ରଥରେ ଲାଗିଗଲା ନିଆଁ, ୬ ଜଣଙ୍କର ମୃତ୍ୟୁ, ୧୫ ଆହତ

ଓଡ଼ିଆ ବାର୍ତ୍ତା/ ଅଗରତାଲା: ତ୍ରିପୁରାର ଉନାକୋଟି ଜିଲ୍ଲାରେ ବାହୁଡା ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ରଥ ଟାଣୁଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ହଠାତ ରଥରେ ନିଆଁ ଲାଗିଯିବାରୁ ଅନ୍ୟୂନ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଏହି ବାହୁଡା ଯାତ୍ରା ଇସ୍କନ ମନ୍ଦିର ଦ୍ୱାରା ପରିଚାଳିତ ହେଉଥିଲା। ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏହି ଘଟଣା ଘଟିଥିବା ସେମାନେ ଦାବି କରିଛନ୍ତି। ରଥକୁ ଟାଣିବା ବେଳେ ଏହାର ଉପରେ ଏକ ୧୩୩ କେ.ଭି ତାର ଯାଇଥିଲା। ଯାହା କୌଣସି କାରଣରୁ ରଥ ସଂସ୍ପର୍ଶରେ ଆସିଥିଲା । ପୁଲିସ କହିବା ଅନୁସାରେ ରଥର କିଛି ଅଂଶରେ ନିଆଁ ଲାଗିବା ମାତ୍ରେ ଲୋକମାନେ ନିଜ ଶରୀର ସହ ରାସ୍ତା ଉପରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସେମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଦୁଇ ଜଣ ଶିଶୁ ଥିବା ପୁଲିସ କହିଛି। ଆହତମାନଙ୍କ ମଧ୍ୟରୁ ସାତ ଜଣଙ୍କୁ ଅଗରତାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଣ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ଆହତମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ଟ୍ରେନ୍ ଯୋଗେ କୁମାରଘାଟ ଯାଇଥିଲେ, ସେଠାରେ ସେ ଆହତଙ୍କୁ ଭେଟିଛନ୍ତି। ଶକ୍ତି ମନ୍ତ୍ରୀ ରତନ ଲାଲ ନାଥଙ୍କ କହିବାନୁସାରେ ତ୍ରିପୁରା ରାଜ୍ୟ ବିଦ୍ୟୁତ ନିଗମ ଲିମିଟେଡକୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସେହିପରି କଂଗ୍ରେସ, ସିପିଏମ ଏବଂ ଅନ୍ୟାନ୍ୟ ଦଳ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଏଭଳି ଏକ ଅଘଟଣ ଘଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.