ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନିଖିଳ ଓଡିଶା ୬୬୨ (+୨ ଓ +୩) ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ କର୍ମଚାରୀ ସଂଘ ରାୟଗଡା ଜିଲ୍ଳା ଶାଖା ତରଫରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ୪ ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ସୂମହ ମଧ୍ୟରେ ସମାନ ଗ୍ରେଡ ପେ’କୁ ସମାନ ଦରମା ପ୍ରଦାନ କରିବା, ସମସ୍ତଙ୍କୁ ପେନସନ୍ ଓ ଅବସରକାଳୀନ ରାଶି ପ୍ରଦାନ, ୨୦୧୮ ଜିଓ ‘ର କର୍ମଚାରୀଙ୍କୁ ସପ୍ତମ ବେତନ ଦରମା ପ୍ରଦାନ ଓ ବିଭିନ୍ନ ଅସଙ୍ଗତିରେ ବାଦ ପଡିଥିବା କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଭଳି ୪ଦଫା ଦାବି କରାଯାଇଛି । ରାୟଗଡା ଜିଲ୍ଳା ଶାଖା ସଂଘ ସଭାପତି ହୃଷିକେଶ ଜାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ୩୦ବର୍ଷ ଧରି ଯେଉଁ ଅଧ୍ୟାପକମାନେ ଦୁଃଖକଷ୍ଟ ସହି ଅବସର ନେଇଯାଇଛନ୍ତି ସେମାନଙ୍କୁ ମଧ୍ୟ ପେନସନ୍ ଦେବାର ବ୍ୟବସ୍ଥା କରିବା ସହ ବର୍ତମାନ ଜିଲ୍ଳାରେ ଥିବା ୧୫୦ଜଣ ଅଧ୍ୟାପକ କର୍ମଚାରୀଙ୍କ ବିଷୟକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ବୋଲି କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସଂପାଦକ ସଂଜୟ କୁମାର ତ୍ରିପାଠୀଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।