ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ପୁଣି ଚୋରି, କଡା ସୁରକ୍ଷା ଭିତରୁ ଚୋରୀ ଘଟଣାକୁ ନେଇ ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା ଟାଇପ ୨ ଫେଜ ୩ କଲୋନୀରୁ ପୁଣି ଗତ ଶନିବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଜଣାଯାଇଛି l ଏହି କଡା ସୁରକ୍ଷା ପରିସରରେ ଥିବା ଡ଼ିଏସସି, ପ୍ରାଇଭେଟ ସିକ୍ଯୁରିଟି ଓ ସ୍ଥାନୀୟ ପୋଲିସ ବିଭାଗ ଥାଇ ମଧ୍ୟ ଦୁର୍ବୁତ୍ତମାନେ ସରକାରୀ କ୍ୱାଟରକୁ ପଶି ବାରମ୍ବାର ଚୋରୀ କରୁଥିବାରୁ ଘଟଣାକୁ ନେଇ ସମସ୍ତଙ୍କ ଧନ ଜୀବନ ପ୍ରତି ଭୟଭୀତ ସୃଷ୍ଟି କରୁଛି l ବର୍ତ୍ତମାନ କାରଖାନାର କଡା ସୁରକ୍ଷା ଭିତରକୁ କିପରି ଦୁର୍ବୁତ୍ତମାନେ ଗଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଘଟଣାସ୍ଥଳକୁ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ ସାହୁ, ପିଏସଆଇ କାଜଲ ବାଗ ଓ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ପହଂଚି ଚୋରୀର ଖୋଡ଼ତାଳ ଆରମ୍ଭ କରିଛନ୍ତି l ଏ ନେଇ ପୋଲିସ ପୂର୍ଵରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି l ପ୍ରକାଶ ଯେ, ଏହି ବଡ଼ମାଳ କାରଖାନା ର ଅନେକ କର୍ମଚାରୀମାନେ ବାହାରୁ ଆସି ସରକାରୀ କ୍ୱାଟର ରହୁଥିବା ବେଳେ ଶନିବାର, ରବିବାର ଛୁଟି ହେଲେ ଗାଁ କୁ ଯାଇଥାନ୍ତି l ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଗତ ୧୬ ତାରିଖ ରବିବାର ଦିନ ବିଳମ୍ବିତ ରାତିରେ ବିଜୟ ସାହୁ, ଜୟଦେବ ନାଗଙ୍କ ଘରକୁ ପଶି ସୁନା ରୁପା ଟଙ୍କା ଆଦି ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା l ଏହି ଘଟଣାର ସପ୍ତାହ ନ ପୁରୁଣ ପୁଣି ଗତ ଶନିବାର ଦିନ ଟାଇପ ୨ ଫେଜ ୩ କଲୋନୀରେ ରହୁଥିବା ତ୍ରିନାଥ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ଘରୁ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ କବାଟ ଭାଙ୍ଗି ଆବାସ ପତ୍ର ଫିଙ୍କା ଫିଙ୍କି କରି ଚୋରି କରିଥିବା ଜଣାଯାଇଛି l ଏଥିରେ ତ୍ରିନାଥ ପରିବାର ସହ ବେଙ୍ଗଲୋର ଯାଇଥିବା ବେଳେ ପ୍ରଶାନ୍ତ ବେହେରା କିଛି ଦିନ ହେଲା କ୍ଵାଟରକୁ ଖାଲି କରି ସଇଁତଲା ନିଜ ଘରକୁ ସମସ୍ତ ଆବାସ ପତ୍ର ଆଣି ରହିଥିବା ବେଳେ କ୍ଵାଟରରେ ଚୋର ମାନେ କିଛି ନପାଇ ତ୍ରିନାଥ ଘରକୁ ପଶି କିଛି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ସନ୍ଦେହ କରାଯାଉଛି l ପରିବାର ଲୋକେ କେହି ନ ଥିବାରୁ କେତେ କଣ ଚୋରି ହୋଇଛି ତାହା ଜଣାପଡୁନାହିଁ l ତ୍ରିନାଥ ପରିବାର ଲୋକେ ଆସି ଦେଖିଲା ପରେ ଚୋରୀ ହୋଇଛି କି ନାହିଁ ତାହା ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଥିଲେ l ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଦୁର୍ବୁତ୍ତମାନଙ୍କ କୈାଣସି ସୁରାଗ ପାଇଁ ପାରୁନ ଥିବାରୁ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ଏଣୁ କାରଖାନା ପରିସରରେ ରାତ୍ରି ସମୟରେ ସିକ୍ଯୁରିଟି ବିଭାଗ ଓ ପୋଲିସ କଡା କଡ଼ି ପେଟ୍ରୋଲିଂ କରିବା ସାଧାରଣ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.