ମୂର୍ତ୍ତିପୂଜା ନବବଧୂର କପାଳରେ ଶୋଭାପାଉଥିବା ସିନ୍ଦୂର ଟୋପା ପରି ଅତି ପବିତ୍ର ଓ ଅର୍ଥପୂର୍ଣ୍ଣ। ଯେଉଁ ପରମାତ୍ମା ସର୍ବବ୍ୟାପୀ ଓ ସର୍ବମୟ, ତାଙ୍କୁ ଗୋଟିଏ ମୂର୍ତ୍ତି ଭିତରେ ଆବାହନ ଓ ଦର୍ଶନ କରି ସେଇ ଚିରନ୍ତନ ସତ୍ତାଙ୍କଠାରେ ନିଜକୁ ହଜାଇଦେବାର ପ୍ରୟାସ ଯେ କେତେ ଉଚ୍ଚରେ, ତାହା ଅନୁଭବୀ ହିଁ ବୁଝିପାରେ। ବିନାୟକ ଚତୁର୍ଥୀ ବର୍ଷର ପ୍ରଥମ ଉତ୍ସବ। ଗଣପତି ଅଗ୍ରପୂଜ୍ୟ। ‘ଗ’ ବୁଦ୍ଧିର ପ୍ରତୀକ ‘ଣ’ ଜ୍ଞାନର ପ୍ରତୀକ। ଶ୍ରୀ ଗଣେଶ ହେଲେ ଜ୍ଞାନ ଓ ବୁଦ୍ଧିର ପ୍ରଭୁ। ସେ ବିଘ୍ନେଶ୍ବର, ଯିଏ ସମସ୍ତ ବିଘ୍ନ ଅର୍ଥାତ୍ ଜଡତାକୁ ମୂଳପୋଛ କରି ମଣିଷକୁ କ୍ରିୟାଶୀଳ କରାଇଥାନ୍ତି। ସେ ଯେଉଁଠି ଥା’ନ୍ତି ସେଠାରେ ବିଘ୍ନ ହିଁ ନ ଥାଏ, ସେ ସମସ୍ତ ବୁଦ୍ଧିର ନିଳୟ। ତେଣୁ ଗଣପତି ଉପାସନା ଅତି ଅର୍ଥପୂର୍ଣ୍ଣ, ତାଙ୍କର ଗାଥା ଅତି ଅପୂର୍ବ।ତାଙ୍କର ରୂପ ବି ଅସାଧାରଣ। ହାତୀମୁଣ୍ଡରେ ବିଭୂଷିତ ହୋଇଥାନ୍ତି, ଯାହା ହାତୀଭଳି ଉଚ୍ଚବୁଦ୍ଧି ସମ୍ପନ୍ନ ମଣିଷର ସମସ୍ତ ବିଘ୍ନକୁ ପାର କରିପାରିବାର ସଂବାଦ ଦେଇଥାଏ। ଶିବମାନସ ପୂଜାରେ ଶ୍ରୀଗଣେଶଙ୍କୁ ପ୍ରଣବ କୁହାଯାଇଛି। ଏହି ଏକାକ୍ଷର ବ୍ରହ୍ମରେ ଉପର ଅଂଶ ଗଣେଶଙ୍କ ମସ୍ତକ, ତଳଅଂଶ ଉଦର, ଚନ୍ଦ୍ରବିନ୍ଦୁ ଲଡୁ ଓ ମାତ୍ରା ଶୁଣ୍ଢର ପ୍ରତୀକ। ସେ ଲମ୍ବୋଦର। କାରଣ ସମଗ୍ର ସୃଷ୍ଟି ତାଙ୍କ ଉଦରରେ ବିଚରଣ କରେ, ବଡ ବଡ କାନ ଅଧିକ ଗ୍ରାହ୍ୟଶକ୍ତି, ଛୋଟ ଛୋଟ ଆଖି ସୂକ୍ଷ୍ମ ଅଥଚ ତୀକ୍ଷ୍ମ ଦୃଷ୍ଟିକୁ ଦର୍ଶାଏ, ଶୁଣ୍ଢ ମହାବୁଦ୍ଧିର ପ୍ରତୀକ।
ମୂଷିକ ତାଙ୍କର ବାହନ, ଅର୍ଥାତ ମୂଷା ସବୁ ଜିନିଷକୁ ଶୁଙ୍ଘିଥାଏ। ମୂଷା ଛୋଟ କିନ୍ତୁ ଅତି ଚଞ୍ଚଳ। ଆମର ମନ ବି ମୂଷା ପରି ବହୁତ ଚଞ୍ଚଳ, କିନ୍ତୁ ଏହା ଉପରେ ଆମର ନିୟନ୍ତ୍ରଣ ରହିଲେ ମନ ଉପରେ ବୁଦ୍ଧି ବିବେକର ଶାସନ ତ ହୋଇଯାଏ, ଏହା ଗଣପତିଙ୍କ ବାହନ ହୋଇଯାଏ ଏବଂ ଆମ ଇଷ୍ଟଙ୍କ ନିକଟକୁ ନେଇଯାଏ। ଆମର ଅଜ୍ଞାନର ଗୋଟିଏ ଗୋଟିଏ ପରସ୍ତକୁ କାଟି ପରମ ଜ୍ଞାନ ଆଡକୁ ନେଇଯାଏ। ଶ୍ରୀଗଣେଶ ଗଣପତି ଅର୍ଥାତ ଦେବଗଣଙ୍କ ସ୍ବାମୀ ଅଟନ୍ତି, ସେ ଗଣନାୟକ ବ୍ରହ୍ମାଣ୍ଡ ନାୟକ ଅଟନ୍ତି, ସେ ଗଣନାୟକ ବିବେକର ନାୟକ ଅଟନ୍ତି। ସେ ଏକଦନ୍ତ, ଯାହା ଏକାଗ୍ରତାର ପ୍ରତୀକ। ଶ୍ରୀଗଣେଶଙ୍କ ପ୍ରତୀକ ଚିହ୍ନଗୁଡିକରୁ ପ୍ରେରଣା ଗ୍ରହଣ କରି ତାଙ୍କର ଉପାସନାର ମର୍ମକୁ ବୁଝିବା ଆବଶ୍ୟକ। ସେ ସମସ୍ତ ଅସତ୍’କୁ ପାଦତଳେ ରଖନ୍ତି। ସେ ସିଦ୍ଧି ଓ ବୁଦ୍ଧିର ପ୍ରଭୁ, ସେ ସଫଳତାର ସର୍ବଶ୍ରେଷ୍ଠ ନାୟକ, ତାଙ୍କ ଉପରେ ଆଉ କେହି ନାୟକ ନାହିଁ। ଆମ ନାୟକ ଉତ୍ତମ ହେଲେ ଆମେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ଆମର ବିବେକ ହିଁ ଆମର ନାୟକ, ଆଉ ବିବେକର ଅଧିପତି ହେଉଛନ୍ତ ଗଣପତି। ବିବେକ କେବେ କଳୁଷିତ ନ ହେଉ, ଆମ ଭିତରର ଖରାପ ଲକ୍ଷଣକୁ ବିନାୟକ ହିଁ ବିନାଶ କରନ୍ତି। ଆସନ୍ତୁ ଶରୀର ଓ ମନକୁ ପବିତ୍ର କରି ଆଜି ଗଜାନନଙ୍କର ଆଶୀର୍ବାଦ ପାଇବା ପାଇଁ ନିଜକୁ ଯୋଗ୍ୟ ପାତ୍ର କରି ଗଢିବା।
ସ୍ନେହଲତା ଷଡ଼ଙ୍ଗୀ
ଭବାନୀପାଟଣା, କଳାହାଣ୍ଡି
ମୋ: ୮୨୪୯୪୪୦୮୬୫