ସୁମିତ କୁମାର ଅଗ୍ରୱାଲ
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକତ ଭାବରେ ବନ୍ଧା । ଭକ୍ତ ଯେତେବେଳେ ତାଙ୍କୁ ଯେଉଁ ଋପରେ ଦେଖିବାକୁ ଚାହିଁଛି, ସେ ତାଙ୍କୁ ସେହି ଋପରେ ଦର୍ଶନ ଦେଇଛନ୍ତି । ଥରେ ମହାରାଷ୍ଟ୍ରର ଗଣପତି ଭଟ୍ଟ ନାମକ ଜଣେ ଗଣେଶ ଭକ୍ତ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ । ତେବେ ସେ ତେଣୁ ଦାରୁ ବିଗ୍ରହ ମଧ୍ୟରେ ନିଜ ଆରାଧ୍ୟ ଭଗବାନ ଗଣପତିଙ୍କ ରୂପ ନଦେଖି ଜଗନ୍ନାଥଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି । ଭକ୍ତ ଓ ଭଗବାନଙ୍କ ଲିଳାଖେଳାର ଏକ ମୂର୍ତ୍ତିମନ୍ତ ପ୍ରତୀକ ହେଉଛି ମହାପ୍ରଭୁଙ୍କ ଗଜାନନ ବେଶ ।