ଡ. ଅଜିତ ବେହେରାଙ୍କ ଆଲୋଚନା : ଓଡ଼ିଶାର ପ୍ରସିଦ୍ଧ କୁଶୁର୍ଲା ମକରମେଳା

ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା

ଭାରତବର୍ଷର କାବ୍ୟଗ୍ରନ୍ଥରେ କଳାହାଣ୍ଡି ଏକ ସୁନ୍ଦର କବିତା । ଭାରତକୁ ଈଶ୍ୱରଙ୍କ ଗଳାର ହାର କହିଲେ କଳାହାଣ୍ଡି ହେଉଛି ତା’ର ପଦକ । ‘କୁଶୁର୍ଲା’ ଗ୍ରାମ ସେଇ ପଦକ ମଝିରେ ଥିବା ହୀରାଖଣ୍ଡ । କୁର୍ଶୁଲା! ଏକ କଳାତ୍ମକ ନାଁ ଟିଏ । ବିଜ୍ଞଜନ ମାନଙ୍କ ମତରେ ‘କୁର୍ଶୁଲା’ ଗ୍ରାମର ନାମକରଣ ନିମ୍ନପ୍ରକାର ହୋଇଥିବାର ଅନୁମାନ କରାଯାଏ । କୁଶ+ଉ+ଲା = କୁର୍ଶୁଲା । ‘କୁଶ’ ହେଉଛି ଶୁଭାଶୁଭ କାର୍ଯ୍ୟରେ ବ୍ୟବହୃତ ଏକ ତୃଣ । ‘ଉ’ ର ଅର୍ଥ ର୍ହେଉଛି ଉମାପତି ବା ଶିବ । ‘ଲା’ ର ଅର୍ଥ ଲାଏକ ବା ଉପଯୁକ୍ତ । ତେଣୁ ଉପରୋକ୍ତ ସନ୍ଧିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, କୁଶୁର୍ଲା ହେଉଛି ‘କୁଶବଣ ପରିବେଷ୍ଟିତ ଭଗବାନ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ବାବାଙ୍କ ଉପଯୁକ୍ତ ନିବାସସ୍ଥଳୀ’ । ଶୁଣାଯାଏ, ଏହି ଗ୍ରାମ ଚାରିପଟେ ଆଗକାଳରେ ବହୁତ ଘଞ୍ଚ କୁଶବଣ ଥିଲା । ଏହି କୁଶବଣକୁ ପଦାକରି ଗ୍ରାମ ସ୍ଥାପନ କରାଯାଇ ଥିବାରୁ ଏହି ଗ୍ରାମର ନାମ କୁର୍ଶୁଲା ହୋଇଛି । ଏହି ଗ୍ରାମ ଚାରିପଟେ ଥିବା ସୁନ୍ଦର ବନାନୀ ‘ଶାନ୍ତିବନ’ ଓ ‘ଇନ୍ଦିରାକାନନ’ ମର୍ତ୍ତ୍ୟରେ ବି ସ୍ୱର୍ଗର ଭ୍ରମ ସୃଷ୍ଟିକରେ । ପ୍ରକୃତିରାଣୀର କାଉଁରୀ ସ୍ପର୍ଶରେ ଚିରଚଞ୍ଚଳ ‘ଉତେଇନଦୀ’ ଓ ‘ମଙ୍ଗଳାଝରଣା’ ଗଙ୍ଗା ସରୂପ ଚିରପ୍ଲାବନୀ, ‘ବେହେଡାମାଳିଆ ପବନ’ ଯେଉଁଠି ଚିରବସନ୍ତର ସୂଚନା ଦିଏ । ଏଇଠି ରାତି ଆସେ, ଜହ୍ନ ଉଏଁ । ଫୁଲଫୁଟା ଋତୁରେ ଜହ୍ନ ଲୁଚକାଳି ଖେଳେ । ସେତେବେଳେ ରୂପେଲି ଶାଢୀ ପିନେ୍ଧ କୁଶୁର୍ଲା ଜନନୀ ଓ କୋଳେଇ ନିଏ ତା’ର ସନ୍ତାନକୁ । ଏହି ପୀଠ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ବାବା ଓ ସେଥିରେ ପାଳିତ ମକରମେଳା ପାଇଁ ପ୍ରସିଦ୍ଧ । ଏହି ସ୍ଥାନକୁ ଭବାନୀପାଟଣାରୁ ବସରେ ୭୦କି.ମି ଓ କେସିଙ୍ଗା ରେଲଷ୍ଟେସନରୁ ୩୫କି.ମି. ମ.ରାମପୁରରୁ ଅମାଠକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୦୧ରେ ଆସିଲେ ରାସ୍ତା ଉପରେ ପଡିଥାଏ ।

କୁଶୁର୍ଲା ଶୈବପୀଠରେ କେମିତି ଲିଙ୍ଗପୂଜାର ଅୟମାରମ୍ଭ ହେଲା ସେ ବିଷୟରେ ଏକ ସୁନ୍ଦର ଆଖ୍ୟାନ ରହିଛି । ତାହା ଏହିପରି, ଥରେ କୁର୍ଶୁଲା ଗ୍ରାମର ଜଣେ ବ୍ୟକ୍ତିକୁ ଭଗବାନ ସ୍ୱପ୍ନରେ ଦେଖାଦେଇ ଯେଉଁଠି ସେ ବେଲ, ପିପ୍ପଲ, ନିମ୍ବ, ଆଙ୍କେଲ ବୃକ୍ଷ ଘେରା ନିଘଞ୍ଚ ଜଙ୍ଗଲ ଭିତରେ ଚଣ୍ଡୀ ସହିତ ସେ ଲିଙ୍ଗ ରୂପରେ ରହିଛନ୍ତି ବୋଲି ସୂଚନା ଦେଇ ସେଠାରେ ତାଙ୍କୁ ପୂଜା କରିବାକୁ ନିର୍ଦ୍ଦେଶ ଦେଲେ । ଏଭଳି ଏକ ଅଦ୍ଭୁତ ସ୍ୱପ୍ନଦେଖି ସେ ଆଶ୍ଚର୍ଯ୍ୟ ହେଲା । ଗାଁ ଲୋକଙ୍କୁ ସେ କହିବ ନା ନାହଁ ଦ୍ୱନ୍ଦରେ ପଡିଲା । ମାତ୍ର ଏତେବଡ ଜଙ୍ଗଲ ଭିତରକୁ ଏକାକୀ ଯିବ କେମିତି? ବାଟରେ ମଶାଣିପଦା, ଜୀବଜନ୍ତୁର ଭୟ ଓ ଜଙ୍ଗଲ ଭିତରକୁ ଯିବା ଆସିବାର ରାସ୍ତାନାହିଁ । ତେଣୁ ସେ ଗାଁର କେଇଜଣ ଭାଇଙ୍କୁ ସ୍ୱପ୍ନକଥା କହି ସାଥିରେ ନେଇ ଜଙ୍ଗଲ ଭିତରକୁ ଗଲା । ଅନେକ ଦୂର ଯାଇ ଖୋଜାଖୋଜି କରିବାପରେ ମଧ୍ୟ କିଛି ପାଇଲେ ନାହିଁ । କିନ୍ତୁ ସେମାନେ ହତାସ ନ ହୋଇ ଖୋଜିବାରେ ବ୍ୟସ୍ତ ରହିଲେ । ହଠାତ୍ ସେମାନେ ଦେଖିଲେ ଯେ, ଗୋଟିଏ ଗାଈ ତା’ର ବାଛୁରୀକୁ ଖଣ୍ଡେଦୂରରେ ଛାଡି ଗୋଟିଏ ଆଙ୍କେଲ ଗଛମୂଳରେ କ୍ଷୀର ଦେଉଛି । ସେମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ଗାଈ କ୍ଷୀରଦେଇ ଯିବାପରେ ପାଖକୁ ଆସି ଦେଖିଲେ ଯେ ସେଥିରେ ଏକ ଶିବଲିଙ୍ଗ ରହିଛି । ଯାହାକି ସେ ଗତରାତ୍ରିରେ ସ୍ୱପ୍ନରେ ଦେଖିଥିଲା । ଏହି ଶିବଲିଙ୍ଗର ସନ୍ଧାନପରେ ଗାଁ କନ୍ଧମୁଖିଆ ମହନ ଜାନୀଙ୍କୁ ଖବର ଦିଆଗଲା । ଗାଁରୁ ଲୋକ ମାନଙ୍କ ସହିତ ବାଜାଗଜା ଧରି ମହନ ଜାନୀ ଆସିଲେ । ସେ ଆସିବାପରେ ଶିବଲିଙ୍ଗର ଚତୁଃପାଶ୍ୱର୍କୁ ସଫା କରାଯାଇ ଚଣ୍ଡୀଙ୍କୁ ଖୋଜାଗଲା । କାରଣ ଯେଉଁଠି ହର ସେଇଠି ଚଣ୍ଡୀ ବିଦ୍ୟମାନ । ଏହି ଆଧାରରେ ଅନେକ ଖୋଜାଖୋଜି କରାଗଲା ମାତ୍ର ମିଳିଲା ନାହିଁ । ତା’ପରେ ସମସ୍ତେ ହତାଶ ହୋଇ ଘରକୁ ଫେରିଆସିଲେ । ସେଦିନ ରାତ୍ରିରେ ମାଁ ଚଣ୍ଡୀ ମହନ ଜାନୀଙ୍କୁ ସ୍ୱପ୍ନରେ ଶିବଲିଙ୍ଗ ପାଖରେ ପଡିଥିବା ଏକ ଶିଳାଖଣ୍ଡ ହିଁ ତାଙ୍କ ସ୍ୱରୂପ ବୋଲି ଜଣାଇଥିଲେ । ଏହାପରେ ସେ ସକାଳୁ ସକାଳୁ ଝାଁକର ସହ ଗାଧୋଇ ପାଧୋଇ ଚାଉଳ, କୁକୁଡା, ମଦ ନେଇ ଉକ୍ତ ସ୍ଥାନକୁ ଗଲା । ରାତ୍ରିରେ ଯେଉଁଶିଳାକୁ ସ୍ୱପ୍ନରେ ଦେଖିଥିଲା ତା’କୁ ଆବିଷ୍କାର କରି ଶିବଙ୍କ ସହିତ ଚଣ୍ଡୀଙ୍କୁ ଚାଉଳ ପୁଞ୍ଜିପାରି, ମଦ ଥିପାଇ କୁକୁଡା ବଳିଦେଇ ସମସ୍ତେ ଘରକୁ ପ୍ରତ୍ୟାବର୍ତ୍ତନ କଲା । ସେ ଥିଲା ଅଶିକ୍ଷିତ! ତେଣୁ ସେ’ବା କେମିତି ଜାଣିବ ପୂଜାର ମାନେ କ’ଣ? ସେ ଦୈନନ୍ଦିନ ଜୀବନରେ ଯାହା ଖାଏ ତାକୁ ସେ ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରେ । ତେଣୁ ସେ ତା’ର ପରମାରାଧ୍ୟ ହରଚଣ୍ଡୀଙ୍କୁ ରକ୍ତ ଥିପାଇ ପୂଜାଦେଲା । ଶବର ପଲ୍ଲୀରେ ନୀଳମାଧବଙ୍କ ଆସ୍ଥାନପରି ଆଦିବାସୀ ମେଳରେ ହରଗୋ÷÷ରୀଙ୍କ ଶୋଭା ବଢିଲା ।

ପରାଧୀନ ସମୟ । ରାଜା ଜମିଦାର ମାନଙ୍କ ଶାସନ । କଳାହାଣ୍ଡି ରାଜାଙ୍କ ଜମିଦାର ଥାଆନ୍ତି ମ.ରାମପୁରର ଦୁର୍ଗାମାଧବ ସିଂହଦେଓ । ତାଙ୍କ ରାଜବୈଦ୍ୟ ଥିଲେ ଚର୍ତୁଭୁଜ ସାହୁ । ସେ କୁର୍ଶୁଲା ଗ୍ରାମରେ କନ୍ଧମାନଙ୍କ ରକ୍ତଭୋଗଦେଇ ହରଚଣ୍ଡୀକୁ ପୂଜା କରିବା କଥାକୁ ନାପସନ୍ଦ କରୁଥିଲେ । କିନ୍ତୁ କରିବେ କଣ? ଏହି ଗ୍ରାମର ଅଧିକାଂଶ ଲୋକ ହେଉଛନ୍ତି ଆଦିବାସୀ । ଯଦି ସେ ଏକଥାକୁ ବିରୋଧ କରିବେ ତେବେ ତାକୁ ମେଳିକରି ଅସୁବିଧାରେ ପକାଇଦେବେ । ତଥାପି ଦିନେ ସାହସ ବାନ୍ଧି ଜମିଦାରଙ୍କ କାନରେ ହରଗୌରୀଙ୍କ ଉତ୍ପତ୍ତି ଓ ତାଙ୍କୁ କନ୍ଧମାନେ ରକ୍ତଭୋଗ ଦେଇ ପୂଜା କରୁଥିବା କଥା ଜଣାଇଦେଲେ । ଏହାପରେ ଜମିଦାର ପାତ୍ରମନ୍ତ୍ରୀଙ୍କ ସହିତ ହାତୀପିଠିରେ ବସି କୁଶୁର୍ଲାକୁ ଆସିଲେ । ହରଗୌରୀଙ୍କୁ ନିଜ ରାଜବାଟିକାକୁ ନେଇ ସ୍ଥାପିତ କରିବାକୁ ସ୍ଥିରକଲେ ଶ୍ରମିକମାନଙ୍କୁ ଲିଙ୍ଗ ଖୋଲିବାକୁ ଆଦେଶ ଦେଲେ । ଶ୍ରମିକମାନେ ଶିବଲିଙ୍ଗ ଚତଃୁପାଶ୍ୱର୍କୁ କୋଦାଳରେ ଖୋଳୁ ଖୋଳୁ ଜଣକର କୋଦାଳ ବାଜି ଲିଙ୍ଗରୁ କ୍ଷୀରର ସୁଅ ଛୁଟିଲା । ଏହିପରି ଏକ ଅଭାବନୀୟ ଘଟଣାରେ ବିଚଳିତ ହୋଇ ଜମିଦାର ଘରକୁ ପ୍ରତ୍ୟାବର୍ତ୍ତନ କଲେ । ରାତ୍ରିରେ ମହାଦେଦ ଜମିଦାରଙ୍କୁ ନିଜବାଟିକାକୁ ତାଙ୍କ ଲିଙ୍ଗନେବାରୁ ନିବୃତ୍ତହୋଇ ସେହି ସ୍ଥାନରେ ହିଁ ପୂଜାଦେବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ । ତା’ପରଦିନ ସକାଳେ ଜମିଦାର କୁର୍ଶୁଲା ଆସି ସେଠାରେ ଏକ ଛାଉଣୀ କରାଇ ଶିବଙ୍କ ପୂଜକ ବଡମାଳୀ ଓ ଚଣ୍ଡୀଙ୍କ ପୂଜକ ଭାବେ କନ୍ଧମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଏହାପରେ ପାରମ୍ପରିକ ଭାବରେ ଆଜିଯାଏ ହରଚଣ୍ଡୀଙ୍କ ପୂଜା ହୋଇ ଆସୁଛି ।

ମକର ଚାଉଳ ବଣ୍ଟନ

କଳାହାଣ୍ଡିର କୁର୍ଶୁଲା ଗ୍ରାମ ଯେତିକି ପ୍ରସିଦ୍ଧ ତା’ର ମନ୍ଦିର ପାଇଁ ତା’ଠୁ ଅଧିକ ପ୍ରସିଦ୍ଧ ଅଦ୍ୱିତୀୟ କୃଷିଭିତ୍ତିକପର୍ବ ମକରମେଳା ପାଇଁ । ମକରମେଳା ହେଉଛି କୁର୍ଶୁଲା ଶୈବପୀଠର ପ୍ରଧାନ ପର୍ବ । ପ୍ରତିବର୍ଷ ଇଂରାଜୀ କ୍ୟାଲେଣ୍ଡର ଜାନୁୟାରୀ ୧୩ ରୁ ୧୮ ଯାଏ ମକରମେଳା ମହାସମାରୋହରେ ପାଳିତ ହୋଇଥାଏ । କିମ୍ବଦନ୍ତୀ କହେ, ୧୯୫୧ ମସିହାରେ କୁର୍ଶୁଲା ଅଞ୍ଚଳର ପାଞ୍ଚଜଣ ମୁଖିଆ ଯୁଧିଷ୍ଠିର ବେହେରା, ଘାସିରାମ ସାହୁ, ମାଦୁକା ମାଝୀ, ଗିରିଧାରୀ ସାହୁ, କାନ୍ଦରୁ ନାଗ ମିଶି ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ସେମାନେ ଚନ୍ଦ୍ରଭାଗା ଯାଇ ସେଥିରେ ଅନୁଷ୍ଠିତ ହେଉଥିବା ମେଳାକୁ ମନଭରି ଉପଭୋଗ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ଚନ୍ଦ୍ରଭାଗା ମେଳା ଭଳି ଏକ ମେଳା କିପରି ତାଙ୍କ ଅଂଚଳରେ ଆୟୋଜନ କରିବେ ସେଥି ସକାଶେ ଚିନ୍ତା କଲେ । କିଛିଦିନ ଗଲାପରେ ପୁଣି ସେଇ ପାଞ୍ଚଜଣ ବ୍ୟକ୍ତିଙ୍କ ନେତୃତ୍ୱରେ ଆଖପାଖ ୪୪ଖଣ୍ଡ ଗ୍ରାମରେ ଡେଙ୍ଗୁରା ବଜାଇ ଲୋକମାନଙ୍କୁ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧନୁସଂକ୍ରାନ୍ତି ଦିନ ଏକତ୍ରିତ କଲେ । ସେଠାରେ ପ୍ରତିବର୍ଷ ମକରସଂକ୍ରାନ୍ତିକୁ ଆଧାରକରି ମକରମେଳାର ଆୟୋଜନ କରିବାଲାଗି ନିଷ୍ପତ୍ତି ନିଆଗଲା । ଏହାପରେ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ମେଳାର ଶୁଭାରମ୍ଭ ଘଟିଲା ।

ପ୍ରତିବର୍ଷ ଜାନୁୟାରୀ ୧୩ ତାରିଖଦିନ ‘ନେଉଳଘର ପ୍ରବେଶ’ ହୁଏ । ଏହି ଦିନ ମନ୍ଦିର ଚୁଡାରେ ଉଡୁଥିବା ପତାକାକୁ ପୁରୁଣା ପତାକା କାଢି ନୂତନ ପତାକା ବନ୍ଧାଯାଏ ଓ ମେଳାର ବ୍ୟବସାୟ ଏହାପର ଠାରୁ ଆରମ୍ଭ ହୋଇଥାଏ । ଜାନୁୟାରୀ ୧୪ ତାରିଖଦିନ ‘ମକରସଂକ୍ରାନ୍ତି’ ପଡେ । ଏହାକୁ ହିମାଳୟ ଠାରୁ କୁମାରୀକା ଯାଏ ଭିନ୍ନଭିନ୍ନ ପ୍ରଦେଶରେ ଭିନ୍ନଭିନ୍ନ ଭାବରେ ପାଳିତ ହୋଇଥାଏ । ଦାକ୍ଷିଣାତ୍ୟ (ଚେନ୍ନାଇ)ରେ ଏହି ଦିବସକୁ ପୁଂଗଳ ବା ମକରପାଣ୍ଡୁ କହନ୍ତି । ଏହି ପୂଣ୍ୟତିଥିରେ ଘରେଘରେ ଲକ୍ଷ୍ମୀପୂଜା, ସୂର୍ଯ୍ୟପୂଜା କରି ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ନାନା ପିଠାପଣା, ମିଷ୍ଟାନ୍ନ ଭକ୍ଷଣ କରନ୍ତି । ବିହାର ପ୍ରଦେଶର (ସିଂହଭୂମ, ମାଳଭୂମ, ନାଗପୁରରେ)ଏହି ଦିବସରେ ଦେବୀପୂଜାପରେ ନୂତନ ବସ୍ତ୍ର ପରିଧାନ କରନ୍ତି । ଦିନ ଓ ରାତିରେ କଥୁପିଠା (ଚାଉଳରେ ତିଆରି କୋମଳ ପିଠା) ଖାଇଥାନ୍ତି । ସେହିପରି କୁର୍ଶୁଲାରେ ମକର ସଂକ୍ରାନ୍ତିଦିନ ହରଗୈାରୀଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ରଥକୁ ଆବାଳ ବୃଦ୍ଧ, ବନିତା ସମସ୍ତେ ଟାଣିଥାନ୍ତି । ଏହି ରଥଯାତ୍ରା ସମୟରେ ଗ୍ରାମର ସମସ୍ତଙ୍କ ଘରସାମ୍ନାରେ ଗୋବର ପାଣିରେ ସଫାକରି ବିଭିନ୍ନରଙ୍ଗର ମୁରୁଜରେ ଝୋଟି ଅଙ୍କାଯାଇ ତା ଉପରେ କଳସ ସ୍ଥାପନ କରାଯାଏ । ଘରର କୂଳବଧୂମାନେ ହରଗୋ÷÷ରୀଙ୍କୁ ଧୂପଦୀପ ଦେଇ ବନ୍ଦାପନା କରି ପ୍ରସାଦରୂପେ ମକର ଚାଉଳ ପାଇଥାନ୍ତି । ଯାହାକୁ ଏକ ମହାପୂଣ୍ୟର ପ୍ରତୀକ ଭାବରେ ଗ୍ରହଣ କରାଯାଏ । ଏହି ପ୍ରସାଦକୁ ପାଇବାଲାଗି ପ୍ରବଳ ଜନଗହଳି ହୁଏ । ଏହି ମହାପ୍ରସାଦକୁ ବଦଳ ଉଦଳ କରି ପଶ୍ଚିମ ଓଡିଶାରେ ଯୁବକ ଯୁବତୀମାନେ ‘ମକର’, ‘ଜାଇଫୁଲ’, ‘ମଲ୍ଲୀଫୁଲ’, ‘ସଂଗାତ’, ‘ମିତ’ ଇତ୍ୟାଦି ସମ୍ପର୍କରେ ଭଗବାନଙ୍କୁ ସାକ୍ଷୀରଖି ବାନ୍ଧି ହୁଅନ୍ତି । ଏହା ପରଠାରୁ ଜଣେ ଅନ୍ୟଜଣକର ନାମଧରି ଡାକନ୍ତି ନାହିଁ । ତେଣୁ ‘ଏ ମକର’, ‘ଏ ଗଜାମୁଗ’, ‘ଏ ସମକଟା’ ଇତ୍ୟାଦି ବୋଲି ଡକାଡକି ହୋଇଥାନ୍ତି । ଏହା ହିଁ ମୈତ୍ରିବନ୍ଧନକୁ ଅଧିକ ମାତ୍ରାରେ ସୁଦୃଢ ଓ ଚିରନ୍ତନ କରିଥାଏ । ଜାନୁୟାରୀ ୧୮ ତାରିଖଦିନ ମକରମେଳା ସମାପ୍ତ ହୋଇଥାଏ । ଏହି ଦିନ ‘ଚଣ୍ଡୀଗୁଡିଯାତରା’ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ । ସମଗ୍ର ୫୨ଖଣ୍ଡ ଗ୍ରାମର ଆଦିବାସୀମାନଙ୍କ ଏହିଦିନ ସମାଗମ ଘଟେ । ପ୍ରତିଗ୍ରାମରୁ ଜାନୀ, ଝାକର ଓ ବହୁ କନ୍ଧ ସମ୍ପ୍ରଦାୟର ଲୋକମାନେ ନାନା ପୁରୁଣା ଅସ୍ତଶସ୍ତ୍ର, ଛେଳି, କୁକୁଡା, ପୋଢ, ମନ୍ଦାର ଫୁଲମାଳ, ଅଖତା ଆଦି ଆଣି ଆସିଥାନ୍ତି । ସମସ୍ତେ ଆସି ପ୍ରଥମେ କୁର୍ଶୁଲା ଧରଣୀ ପୀଠରେ ଜମାହୋଇ କିପରି ଚଣ୍ଡୀଗୁଡି ଯାତରାକୁ ପାଳନ କରିବେ ସେ ବିଷୟରେ ଆଲୋଚନା କରନ୍ତି । ତା’ପରେ ଦେବୀ (ବରୁଆ) ନିଜ ପୋଷାକ, ଅସ୍ତ୍ରଶସ୍ତ୍ର ଧରି ଚଣ୍ଡୀଗୁଡିକୁ ଆସିଥାନ୍ତି । ସେଠାରୁ ଦେବୀଙ୍କୁ ଚାରିଜଣ କନ୍ଧସମ୍ପ୍ରଦାୟର ବ୍ୟକ୍ତି ବଧଭୂମିକୁ କାନ୍ଧରେ ବୋହି ଆଣିଥାନ୍ତି । ଦେବୀ ବଧଭୁମିରେ ପହଁଚିବା ପରେ ଭରନୀପାର୍ ବାଦ୍ୟର ତାଳେତାଳେ ନୃତ୍ୟ କରନ୍ତି । କିଛିସମୟ ନାଚିବା ପରେ କଣ୍ଟା ଦୋଳିରେ ବସି ଝୁଲି ଗୁଡି ସମ୍ମୁଖରେ ଚିତ୍ହୋଇ ଶୋଇଥିବା କଷ୍ଟୀମାନଙ୍କୁ ଉଠାଇ ବର ପ୍ରଦାନ କରି ନିଜେ ପିନ୍ଧିଥିବା ମନ୍ଦାରମାଳରୁ ଖଣ୍ଡେ ଛିଣ୍ଡାଇ କଷ୍ଟୀକୁ ଖାଇବାକୁ ଦେଇ ନାକସିଧାରେ କାହା ସହିତ କଥା ନହୋଇ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥାନ୍ତି ।

ଚଣ୍ଡୀପୀଠରେ ଏହିଦିନ ଅସଂଖ୍ୟ ବଳିପଡେ । ବଳିକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମଟି ମାନସିକ ବଳି ଓ ଅପରଟି ଗୋଷ୍ଠୀସ୍ତରୀୟ ବଳି । ମାନସିକ ବଳି ସନ୍ତାନ ସନ୍ତତିଙ୍କ ଜନ୍ମ, ରୋଗବ୍ୟାଧି ଦୂରୀକରଣ ଅଥବା କୌଣସି ଜିନିଷର ପ୍ରାପ୍ତି ସକାଶେ କାମନାକରି ତାହା ପୂରଣହେଲେ ବ୍ୟକ୍ତିଗତ ସ୍ତରରେ ଯେଉଁ ବଳିପ୍ରଦାନ କରାଯାଏ ତାହା ଏଥିରେ ଅର୍ନ୍ତଭୁକ୍ତ । କିନ୍ତୁ ଗୋଷ୍ଠୀସ୍ତରୀୟ ବଳିରେ ଗାଁ ବା ଅଞ୍ଚଳର ମଙ୍ଗଳ ସକାଶେ ପାରମ୍ପରିକ ରୀତିରେ ଭଲବର୍ଷା, ଭଲଫସଳ, ଗାଁରେ ରୋଗବ୍ୟାଧି ନହେବା, ଗୋରୁଗାଈଙ୍କ ପ୍ରତି ବିପଦ ନ ମାଡିବାର କାମନା ନେଇ ବଳି ପ୍ରଦାନ କରାଯାଏ । ଏହି ବଳିଯୋଗ୍ୟ ପଶୁ/ପକ୍ଷୀ ଗାଁରୁ ଚାନ୍ଦାକରି କିଣାଯାଇଥାଏ । ବଳିଦେବା ବେଳେ ପ୍ରଥମେ ବଳିଯୋଗ୍ୟ ପଶୁକୁ ମନ୍ଦାରମାଳ ପିନ୍ଧାଇ ମୁଣ୍ଡରେ ସିନ୍ଦୁର ଲଗାଯାଏ । ତାପରେ ତାକୁ ଚାଉଳ ପୁଞ୍ଜିକୁ ଖାଇବାକୁ ଦିଆଯାଏ । ସେମାନେ ତାକୁ ଖାଇଲେ ହିଁ ବଳି ଦିଆଯାଏ ଅନ୍ୟଥା ଦିଆଯାଏ ନାହିଁ । ଯଦି ସେ ପଶୁ/ପକ୍ଷୀ ଚାଉଳପୁଞ୍ଜି ନ ଖାଆନ୍ତି ତେବେ ଦେବୀ ଅସନ୍ତୁଷ୍ଟ ଥିବାର ଅନୁମାନ କରାଯାଇ ମନସା ଉଧରା କରାଯାଏ । ଏହାପରେ ସେ ପୁଞ୍ଜି ଖାଇଲେ ଦେବୀ କ୍ଷମା କରିଦେଲେ ବୋଲି ବିଶ୍ୱାସ କରାଯାଏ ଓ ତା’ପରେ ବଳି ଦିଆଯାଏ । ବଳିରକ୍ତ ତଳେ ପଡିବା ଆଗରୁ ଜଣେ କନ୍ଧ ସମ୍ପ୍ରଦାୟର ବ୍ୟକ୍ତି ତାଟିଆରେ ରକ୍ତ ସଂଗ୍ରହ କରି ଦେବୀକୁ ପାନ କରିବାକୁ ଦେଇଥାଏ । ପୁଣି କେତେକ ଲୋକ ଏହି ବଳିରକ୍ତକୁ ଦେହରେ ଲେପନ କରିଥାନ୍ତି । ସେମାନଙ୍କର ବିଶ୍ୱାସ ଯେ, ଏହି ରକ୍ତକୁ ଦେହରେ ଲେପନ କଲେ ରୋଗବ୍ୟାଧି ହେବନାହିଁ ବା ହୋଇଥିଲେ ଛାଡିଯିବ । ଏହି ବିଶ୍ୱାସର ପୀଠ କଳାହାଣ୍ଡିର କୁଶୁର୍ଲା ଶୈବପୀଠ ଆଜି ସମଗ୍ର ଓଡିଶାରେ ସୁପରିଚିତ ।

ଓଡିଆ ବିଭାଗ
କଶୃପଡା ମହାବିଦ୍ୟାଳୟ, କଳାହାଣ୍ଡି
ମୋ. ୯୪୩୭୨୯୩୩୬୩

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.